• Astrospeak
  • Live TV
  • Read In English

Niladree Bije 2025: ନୀଳାଦ୍ରିବିଜେର ପ୍ରୀତିନୈବେଦ୍ୟ, ତଥାକଥିତ ଦାମ୍ପତ୍ୟ କଳହର ସୁମଧୁର ପରିସମାପ୍ତି

ସ୍ନାନ ବେଦୀକୁ ଯିବା ପୂର୍ବରୁ ତାଙ୍କର ଚତୁର୍ଥୀ ହୋମ ହୋଇ ସାରିଥାଏ, କିନ୍ତୁ ସେ ଅଣସର ଘରେ ରହିଥିବାରୁ ସପ୍ତମଙ୍ଗଳାର ବାହା ଗଇଣ୍ଠାଳ ଫିଟା କର୍ମ ବାକିଥାଏ l ଗୋଟିଏ ଦିନ ବି ସେ ମାଆ ଲକ୍ଷ୍ମୀଙ୍କ ସହ ଏକାନ୍ତ ବାସରେ ବିତାଇ ନଥାନ୍ତି l ପୁଣି ଗୁଣ୍ଡିଚା ଯାତ୍ରାରେ ସେ ଲକ୍ଷ୍ମୀ ଠାକୁରାଣୀଙ୍କୁ ସାଙ୍ଗରେ ନନେଇ ଭାଇ ଭଉଣୀଙ୍କୁ ଧରି ବାହାରି ଯାଆନ୍ତି lଏହାକୁ କୋଉ ଘରଣୀ ସହିବ?

Niladri Bije The Grand Homecoming of Lord Jagannath with rasagola for laxmi
ନିଳାଦ୍ରିବିଜେ

ଘର କରିଥିଲେ କଳି କାହାର ନାହିଁ ! ଆଉ ପତି-ପତ୍ନୀଙ୍କ ମଧ୍ୟରେ କଳି ଝଗଡ଼ା ତ ପ୍ରେମ ଓ ଆନ୍ତରିକତାର ଗୋଟିଏ ପର୍ଯ୍ୟାୟ ମାତ୍ର। ଏହି କଳି ଯୋଗୁଁ ସମ୍ପର୍କରେ ମଧୁରତା ଗାଢ଼ ହୁଏ ବୋଲି କୁହାଯାଇଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଆଉ ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କ ସମ୍ପର୍କ ତ ଓଡ଼ିଆ ଦମ୍ପତିଙ୍କର ମଧୁର ସମ୍ପର୍କର ମାନବୀୟ ଲୀଳା। ସେ ଲୀଳାରେ ମାଆ ଲକ୍ଷ୍ମୀ ସୁଗୃହିଣୀ ପରି ଘର ସମ୍ଭାଳିବା ସହ, ପରିବାରକୁ ଅନ୍ନବ୍ୟଞ୍ଜନ ଖୁଆଇଥାନ୍ତି। ପୁଣି କେତେବେଳେ ସାଧାରଣ ନାରୀସୁଲଭ ଗୁଣରେ ଅଭିମାନ କରନ୍ତି ନିଜ ସ୍ଵାମୀଙ୍କ ପାଖରେ। ବିରହ, ରାଗ ଅଭିମାନ ସବୁ ପୁଣି ମିଳେଇଯାଏ କାଳିଆ ସାଆନ୍ତଙ୍କ ମିଠା କଥା ଆଉ ରସଗୋଲାରେ। ଏମିତି ହେଉଛି ପତି ପତ୍ନୀଙ୍କ ମଧୁର ସମ୍ପର୍କ, ଯାହା ନୀଳାଦ୍ରିବିଜେ ଦିନ ଦେଖିବାକୁ ମିଳେ।

ମାଆ ଲକ୍ଷ୍ମୀଙ୍କ ଅଭିମାନ

ମହାଲକ୍ଷ୍ମୀଙ୍କର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଏତେ ଅଭିମାନ କାହିଁକି! ମହାପ୍ରଭୁ ଲକ୍ଷ୍ମୀଙ୍କସହ ବିବାହର ତିନି ଦିନ ପରେ ପଡ଼େ ସ୍ନାନ ପୂର୍ଣ୍ଣମୀ l ଭାଇ ଭଉଣୀଙ୍କ ସହ ମହାପ୍ରଭୁ ଭକ୍ତଙ୍କ ଗହଣକୁ ଆସି ବଡ଼ ଆନନ୍ଦରେ ପାଣି ଢାଳି ହୋଇ ବହୁତ ଗାଧାନ୍ତି ଏବଂ ଭୀଷଣ ଜ୍ୱରରେ ପଡ଼ି ଭାଇ ଓ ଭଉଣୀଙ୍କ ସହ ଅଣସର ଘରେ ରୁହନ୍ତି l ପନ୍ଦର ଦିନ ପରେ ସୁସ୍ଥ ହୁଅନ୍ତି l ସୁସ୍ଥ ହେବାପରେ ଭାଇଭଉଣୀଙ୍କୁ ଧରି ଗୁ୍‌ଣ୍ଡିଚା ମନ୍ଦିରକୁ ଚାଲି ଯାଆନ୍ତି ରଥଯାତ୍ରାରେ l ସ୍ନାନ ବେଦୀକୁ ଯିବା ପୂର୍ବରୁ ତାଙ୍କର ଚତୁର୍ଥୀ ହୋମ ହୋଇ ସାରିଥାଏ, କିନ୍ତୁ ସେ ଅଣସର ଘରେ ରହିଥିବାରୁ ସପ୍ତମଙ୍ଗଳାର ବାହା ଗଇଣ୍ଠାଳ ଫିଟା କର୍ମ ବାକିଥାଏ l ଗୋଟିଏ ଦିନ ବି ସେ ମାଆ ଲକ୍ଷ୍ମୀଙ୍କ ସହ ଏକାନ୍ତ ବାସରେ ବିତାଇ ନଥାନ୍ତି l ପୁଣି ଗୁଣ୍ଡିଚା ଯାତ୍ରାରେ ସେ ଲକ୍ଷ୍ମୀ ଠାକୁରାଣୀଙ୍କୁ ସାଙ୍ଗରେ ନନେଇ ଭାଇ ଭଉଣୀଙ୍କୁ ଧରି ବାହାରି ଯାଆନ୍ତି lଏହାକୁ କୋଉ ଘରଣୀ ସହିବ? କେଉଁ ସ୍ତ୍ରୀ ଅବା ଅଭିମାନ ନକରନ୍ତା! ସ୍ବାମୀଙ୍କୁ ଟିକିଏ ଦେଖି ଆସିବେ ବୋଲି ଗୋପନରେ ଗୁଣ୍ଡିଚା ମନ୍ଦିର ଯାଏଁ ଗଲେ ଯେ ସେଠି ବି ଦର୍ଶନ ହେଇପାରିଲାନି। ଏଥିରେ ଅଭିମାନ ବଢ଼ି କ୍ରୋଧ ନହେବ କାହିଁକି! ସେଥିପାଇଁ ମନ୍ଦିର ଭିତରକୁ ମହାପ୍ରଭୁଙ୍କୁ ଯିବାକୁ ଦିଅନ୍ତନି ମା ଲକ୍ଷ୍ମୀ। ରାଗରେ କିଛି ସମୟ ପାଇଁ ଦୁଆର ବନ୍ଦ୍ କରିଦିଅନ୍ତି ମା ଲକ୍ଷ୍ମୀ।

ମାନଭଞ୍ଜନରେ ରସଗୋଲା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ସମୟରେ ସେ ଲକ୍ଷ୍ମୀ ଠାକୁରାଣୀଙ୍କର ରୋଷର ଶିକାର ହୁଅନ୍ତି। ଚାହାଣି ମଣ୍ଡପରୁ ମାଆ ଲକ୍ଷ୍ମୀ ଠାକୁରାଣୀ ପ୍ରଭୁଙ୍କ ଆଗମନକୁ ଦେଖି ଅଭିମାନରେ ନୀଳାଦ୍ରି ବିଜେ ପୂର୍ବରୁ ସହଚରୀମାନଙ୍କ ଦ୍ଵାରା ସିଂହଦ୍ଵାରକୁ ବନ୍ଦ କରିଦିଅନ୍ତି ! ମହାପ୍ରଭୁ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରି ବାଇଶି ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରନ୍ତି। କିନ୍ତୁ ଜଗମୋହନକୁ ପ୍ରବେଶ କରିବା ପରେ ପୁଣିଥରେ ଜୟବିଜୟ ଦ୍ଵାରଠାରେ ମା'ଙ୍କ ବିରୋଧର ସମ୍ମୁଖୀନ ହୁଅନ୍ତି। ମହାଲକ୍ଷ୍ମୀଙ୍କ ସହଚରୀମାନେ ଜୟ ବିଜୟ ଦ୍ୱାରକୁ ବନ୍ଦ କରିଦିଅନ୍ତି। ଏହି ସମୟରେ କାଳିଆ ଠାକୁରଙ୍କ ସହଚର ଓ ମା' ଲକ୍ଷ୍ମୀଙ୍କ ସହଚରୀଙ୍କ ମଧ୍ୟରେ କଳି ଲାଗେ। ପାରମ୍ପରିକ ବଚନିକା ପରେ ଖୋଲି ଦିଆଯାଏ ଜୟ ବିଜୟର ଦ୍ଵାର। ପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ଜୟ ବିଜୟ ଦ୍ଵାର ନିକଟରେ ରସଗୋଲା ଦେଇ ତାଙ୍କର ମାନଭଞ୍ଜନ କରନ୍ତି। ନୀଳାଦ୍ରି ବିଜେର ବିଶେଷତ୍ଵ ହେଲା, ରସଗୋଲା ଭୋଗ। ସାରା ବର୍ଷ ଏଇ ଗୋଟିଏ ଦିନ ଶ୍ରୀମନ୍ଦିରରେ ରସଗୋଲା ଭୋଗ ହୁଏ। ମହାପ୍ରଭୁଙ୍କ ଦ୍ଵାରା ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପର୍ବ ଜଗତ ଠାକୁରଙ୍କର ମାନବୀୟ ଲୀଳାର ଅନନ୍ୟ ପରିପ୍ରକାଶ। ଏହି ରସଗୋଲା ଭୋଗ କେବଳ ନୀଳାଦ୍ରି ବିଜେର ପ୍ରୀତି ନୈବେଦ୍ୟ ନୁହେଁ, ତଥାକଥିତ ଦାମ୍ପତ୍ୟ କଳହର ସୁମଧୁର ପରିସମାପ୍ତିର ପ୍ରତୀକ।

ଲକ୍ଷ୍ମୀନାରାୟଣ କଳି

ନବଦିନାତ୍ମକ ଯାତ୍ରା ସାରି, ମହାପ୍ରଭୁ ବାହୁଡ଼ାରେ ଫେରି ଆସିଲେ ଶ୍ରୀମନ୍ଦିରକୁl ସିଂହଦ୍ୱାର ସାମ୍ନାରେ ରଥ ଉପରେ ଥାଇ ମହାପ୍ରଭୁଏକାଦଶୀ ଦିନ ମହଣ ମହଣ ସୁନାରେ ସୁନାବେଶ ହୁଅନ୍ତି ପୁଣି ଦ୍ୱାଦଶୀ ଦିନ ଅଧର ପଣା ନୀତି କଲେ l ରଥଯାତ୍ରା ପର୍ବ ଶେଷ ଏଇଠି l ଏବେ ଭାଇଭଉଣୀଙ୍କୁ ଧରି ମହାପ୍ରଭୁ ଫେରିଯିବେ ଶ୍ରୀମନ୍ଦିର ରତ୍ନବେଦୀ ଉପରକୁ l ତେଣେ ଶ୍ରୀମନ୍ଦିର ମାଲିକାଣୀ ଜଗି ବସିଛନ୍ତି ଠିକ୍ ବେଳେ ପ୍ରଭୁଙ୍କୁ ପାନେ ଦେବେ ବୋଲି। ମହାପ୍ରଭୁ ରଥରୁ ଓହ୍ଲାଇ ସିଂହଦ୍ୱାରକୁ ଯାଉଛନ୍ତି ମହାଲକ୍ଷ୍ମୀ ସିଆଡୁ ଦାସୀ, ସଖିମାନଙ୍କ ସହ ଆସି ସିଂହଦ୍ୱାର କବାଟ କିଳି ଦେଲେ। ଆରମ୍ଭ ହୋଇଗଲା ମହାପ୍ରଭୁ ଏବଂ ମହାଲକ୍ଷ୍ମୀଙ୍କ ମଧ୍ୟରେ ଝଗଡ଼ା ‘ଲକ୍ଷ୍ମୀ ନାରାୟଣ କଳି’।

‘ବାମଦେବ ସଂହିତା’ ଅନୁସାରେ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦଇତାମାନେ ଏବଂ ଦେବୀ ଲକ୍ଷ୍ମୀଙ୍କ ପକ୍ଷରୁ ଦେବଦାସୀମାନେ ଲକ୍ଷ୍ମୀ ନାରାୟଣ ବଚନିକାରେ ଅଂଶଗ୍ରହଣ କରନ୍ତି। ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପହଣ୍ଡିରେ ଯାଇ ରତ୍ନସିଂହାସନରେ ବିଜେ କରିବା ପରେ, ଦେବୀ ଲକ୍ଷ୍ମୀ କବାଟର ଦୁଆରକୁ ବନ୍ଦ କରାଇ ନିଜେ ଦ୍ୱାରଦେଶରେ ରହିଲେ। ସେତେବେଳେ ଗଜପତି ମହାରାଜା ମହାଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କର ସେବକମାନଙ୍କୁ କୁହନ୍ତି, ପ୍ରଭୁ ଯେପରି ମୋର ପ୍ରିୟ, ମାତା ଲକ୍ଷ୍ମୀ ମଧ୍ୟ ସେହିପରି ପ୍ରିୟ ଅଟନ୍ତି। ଲକ୍ଷ୍ମୀ ଓ ନାରାୟଣ ମାତା ଓ ପିତା ପରି।

ରଥରୁ ପ୍ରଭୁ ଜଗନ୍ନାଥଙ୍କୁ ଓହ୍ଲାଇ ଆଣି, ରାଜା କବାଟର ଅର୍ଗଳି ପାଖକୁ ଆଣନ୍ତି ଏହା ଜାଣିବା ପରେ ମହାଲକ୍ଷ୍ମୀ ଅଭିମାନରେ ଦାସୀଙ୍କୁ ଡାକି ଆଦେଶ ଦେଇ କୁହନ୍ତି- ହେ ଦାସୀମାନେ! ତୁମେ ଯାଇ ଜଗନ୍ନାଥଙ୍କୁ କୁହ ଯେ, ଏହି ସ୍ଥାନରେ ଚଣ୍ଡରୂପା ଦେବୀ ଅଛନ୍ତି। ଆପଣଙ୍କୁ ସୁଖ ପ୍ରଦାନ କରିବା ପାଇଁ କେହି ପ୍ରିୟା ଏଠାରେ ନାହାନ୍ତି। ଏଠାରେ ଚନ୍ଦନାଦି ସୁଗନ୍ଧ ପଦାର୍ଥ, ମନଲାଖି ପାନ, ଭୋଜନ କିଛି ନାହିଁ। ତେଣୁ ପ୍ରଭୁ ଯେଉଁଠାରେ ଆପଣଙ୍କୁ ଏସବୁ ମିଳିବ, ଆପଣ ସେଠାକୁ ଯାଆନ୍ତୁ।

‘ବାମଦେବ ସଂହିତା’ ଅନୁସାରେ- ଦେବୀ ମହାଲକ୍ଷ୍ମୀଙ୍କର ସେହି କଥା ଶୁଣି, ରାଜା ଅନେକ ପ୍ରକାରରେ ଦେବୀଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି। ତାହା ପରେ ଦେବୀ ଲଜ୍ଜାନତ ମୁଖରେ ଦ୍ୱାର ଖୋଲି ଦିଅନ୍ତି। ‘ନୀଳାଦ୍ରି ମହୋଦୟ’ ଅନୁସାରେ- ଏହା ଏକ କୌତୁକପ୍ରଦ ନୀତି। ଏହା ହିଁ ‘ଲକ୍ଷ୍ମୀ-ନାରାୟଣ କଳି’। ଶ୍ରୀଜଗନ୍ନାଥ ସଂସ୍କୃତିରେ ଲକ୍ଷ୍ମୀନାରାୟଣ ବଚନିକା ପରମ୍ପରା ଧୀରେଧୀରେ ଲୁପ୍ତ ହେବାକୁ ବସିଛି। ମହାପ୍ରଭୁ ପହଣ୍ଡି ବିଜେରେ ଭିତରକାଠ ସମ୍ମୁଖ ଭଣ୍ଡାର ଘରଠାରେ ପହଞ୍ଚିବା ପରେ ରୁକ୍ମିଣୀ ବିବାହର ଗଇଣ୍ଠାଳ ଫିଟା ନୀତି ଓ ରସଗୋଲା ଭୋଗ ଆଦି କରାଯାଏ।

ନୀଳାଦ୍ରି ବିଜେ ନୀତି

ଆଷାଢ଼ ଶୁକ୍ଳ ତ୍ରୟୋଦଶୀରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହୁଏ। ତିନି ରଥରେ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ ଓ ବେଶ ସମାପନ ହୁଏ। ତା'ପରେ ଗୋପାଳ ବଲ୍ଲଭ ନୀତି ସମ୍ପନ୍ନ ହୁଏ। ସକାଳ ଧୂପ, ମଇଲମ, ମହାସ୍ନାନ ଓ ସର୍ବାଙ୍ଗ ନୀତି ପରେ ଦିଅଁମାନଙ୍କୁ ବେଶ କରାଯାଏ। ତା’ପରେ ମଧ୍ୟାହ୍ନ ଧୂପ, ମଇଲମ ଓ ବେଶ, ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ଆଦି ନୀତି ଅନୁଷ୍ଠିତ ହୁଏ। ଅପରାହ୍ନରେ ରଥରେ ଚାରବନ୍ଧା ସରିବା ପରେ ବଡ଼ ଓଡ଼ିଆ ମଠର ମଠାଧୀଶ ନୀଳାଦ୍ରି ବିଜେ ପାଇଁ ହେବା ପହଣ୍ଡି ପୂର୍ବରୁ ରତ୍ନ ସିଂହାସନର ମାର୍ଜନା କରନ୍ତି। ପ୍ରଥମେ ରାମକୃଷ୍ଣ ଓ ମଦନମୋହନ ନୀଳାଦ୍ରିବିଜେ କରନ୍ତି। ନୀଳାଦ୍ରିବିଜେ ଗୋଟି ପହଣ୍ଡିରେ ହୁଏ। ବଡ଼ଠାକୁର ପହଣ୍ଡିରେ ଯାଇ ରତ୍ନସିଂହାସନରେ ବିରାଜମାନ କରିବା ପରେ ମା' ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୁଏ। ମା' ସୁଭଦ୍ରା ରତ୍ନ ବେଦୀରେ ବିଜେ କରିବା ପରେ ବଳିୟାରଭୁଜ ମହାବାହୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୁଏ। ପହଣ୍ଡି ସମୟରେ ଚାରମାଳ ଉପରେ ତିନିଠାକୁରଙ୍କ ଟାହିଆ ବନ୍ଧା ହୁଏ। ଟାହିଆର ଆକୃତି ଅଶ୍ୱତ୍‌ଥ ପତ୍ର ପରି। ରାଘବ ଦାସ ମଠ ଏହାକୁ ନିର୍ମାଣ କରିଥାନ୍ତି।

ମହାପ୍ରଭୁଙ୍କ ଦ୍ଵାରା ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପର୍ବ ଜଗତ ଠାକୁରଙ୍କର ମାନବୀୟ ଲୀଳାର ଅନନ୍ୟ ପରିପ୍ରକାଶ। ଏହି ରସଗୋଲା ଭୋଗ କେବଳ ନୀଳାଦ୍ରିବିଜେର ପ୍ରୀତି ନୈବେଦ୍ୟ ନୁହେଁ, ତଥାକଥିତ ଦାମ୍ପତ୍ୟ କଳହର ସୁମଧୁର ପରିସମାପ୍ତିର ପ୍ରତୀକ।