Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଚିନ୍ତାରେ ଗଜପତି ମହାରାଜ

ଆଗେ ଭକ୍ତ ଦାବି କଲେ । ପରେ ସେବାୟତ ସମର୍ଥନ କଲେ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ଏବେ ଖୋଦ୍ ଗଜପତି ବି ମୁହଁ ଖୋଲିଲେ।

Gajapati Maharaj is worried about the security of the Ratnabhandar

Gajapati Maharaj is worried about the security of the Ratnabhandar

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ଖୋଦ୍ ଗଜପତି ମହାରାଜଙ୍କ ଚିନ୍ତା ପରେ ପୁଣି ତାଜା ହୋଇଛି ଏହି ପ୍ରସଙ୍ଗ। ଯେତେଶୀଘ୍ର ସମ୍ଭବ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି ଗଜପତି। ତେଣେ ଜଗନ୍ନାଥଙ୍କ ସେବକ ଓ ଭକ୍ତ ବି ପୁଣି ରତ୍ନଭଣ୍ଡାର ଯାଞ୍ଚ ଦାବି ଦୋହରାଇବା ସହ ମହଣ ମହଣ ସୁନାରୂପା ଥାଇ ଠାକୁରମାନେ ଭଙ୍ଗାଦଦରା ଅଳଙ୍କାର ପିନ୍ଧିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।

Advertisment

ଓଟିଭିକୁ ସାକ୍ଷାତକାର ଦେଇ ମହାପ୍ରଭୁଙ୍କ ଆଦ୍ୟ ସେବକ କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଶୀଘ୍ର ଖୋଲାଯାଉ, ରତ୍ନଭଣ୍ଡାର ଭିତରେ କି କି ଅଳଙ୍କାରମାନ ରହଛି ତା’ର ଗଣତି କରାଯାଉ, ଭଣ୍ଡାର ଘରର ବାସ୍ତବ ସ୍ଥିତି ଭଲ ଭଲ ନଥିବା ଶୀଘ୍ର ମରାମତି ହେଉ।

ରତ୍ନଭଣ୍ଡାର ଖୋଲିବାକୁ ସବୁ ମହଲରେ ବାରମ୍ବାର ଦାବି ହୋଇ ଆସୁଥିଲେ ବି ରାଜ୍ୟ ସରକାର କାହିଁକି ଏହାକୁ ଗଡ଼େଇ ଚାଲିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗଜପତି। ସେହିପରି ମହାପ୍ରଭୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁମହାପାତ୍ର ବି ରତ୍ନଭଣ୍ଡାର ଖୋଲା ନ ଯିବାକୁ ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତି।

Advertisment

ବାଡ଼ଗ୍ରାହୀ କହିଛନ୍ତି- ରତ୍ନଭଣ୍ଡାରରେ ମହଣ ମହଣ ସୁନା ଗଚ୍ଛିତ ରହିଛି, ହେଲେ ଯାନିଯାତ୍ରା ସମୟରେ ମହାପ୍ରଭୁ ଭଙ୍ଗା ଦଦରା ଅଳଙ୍କାର ପରିଧାନ କରୁଛନ୍ତି। ଏମିତିକି ଦାତାଙ୍କୁ ଅନୁମତି ଦେଲେ ସେମାନେ ମଧ୍ୟ ଠାକୁରଙ୍କୁ ଦାନ ଆକାରରେ ନାନାଦି ଅଳଙ୍କାର ଦେଇପାରିବେ ବୋଲି କହିବା ସହ ଶ୍ରୀଜିଉମାନଙ୍କ ପାଇଁ ୨ରୁ ୩ ସେଟ୍‌ର ଅଳଙ୍କାର କରି ରଖିବାକୁ ପ୍ରସ୍ତାବ ଦେଇଛନ୍ତି ଜଗନ୍ନାଥଙ୍କ ବାଡ଼ଗ୍ରାହୀ। ସେହିପରି ଭକ୍ତ ମହଲ ବି ଶୀଘ୍ର ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି।

ଶ୍ରୀମନ୍ଦିରର ରତ୍ନଭଣ୍ଡାର ଯେତିକି ଦୁର୍ଭେଦ୍ୟ ସେତିକି ରହସ୍ୟମୟ ମଧ୍ୟ। ଏଥିରେ ଭରି ରହିଛି ମହଣ ମହଣ ସୁନା, ରୂପା, ହୀରା, ନିଳା ଓ ମୋତି ମାଣିକ୍ୟ, ଯାହାର ଝଲକ ବର୍ଷର ବିଭିନ୍ନ ସମୟରେ ହେଉଥିବା ଯାନିଯାତ୍ରା ବେଳେ ଠାକୁରମାନେ ପରିଧାନ କରୁଥିବା ଆଭୂଷଣରୁ ମିଳିଥାଏ।

Advertisment

ଏଥିସହ ଶ୍ରୀମନ୍ଦିର ମାଦଳାପାଞ୍ଜି କହେ, ୧୪୬୪ ଖ୍ରୀଷ୍ଟାବ୍ଦରେ ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନ ସାରି ୧୬ଟି ହାତୀରେ ବହୁ ମୂଲ୍ୟବାନ ଅଳଙ୍କାର ବୋହି ଆଣିଥିଲେ। ସେଗୁଡିକ ସେ ଠାକୁରଙ୍କୁ ଅର୍ପଣ କରି ଏହି ଭଣ୍ଡାର ଘରେ ରଖିଥିଲେ। ସେହିପରି ଗଜପତି କପିଳେନ୍ଦ୍ର ଦେବ ମଧ୍ୟ ଦାକ୍ଷିଣାତ୍ୟ ବିଜୟ କରି ବିପୁଳ ଧନସମ୍ପତ୍ତି ବୋହିଆଣି ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ।

ଏଥିସହ ବିଭିନ୍ନ ସମୟରେ ଗଜପତିମାନଙ୍କ ଦ୍ୱାରା ପରାଜିତ ରାଜାମାନଙ୍କ ମୁକୁଟ ମଧ୍ୟ ମହାପ୍ରଭୁଙ୍କ ଭଣ୍ଡାର ଘରେ ରହୁଥିଲା। ଏବେସୁଦ୍ଧା ରତ୍ନଭଣ୍ଡାରର ୩ଟି କୋଠରୀ ଥିବା ଜଣାପଡ଼ିଛି। ପ୍ରଥମଟିରେ ଦୈନ୍ୟନ୍ଦିନ ନୀତିକାନ୍ତି ଓ ଯାନିଯାତ୍ରା ପାଇଁ ବ୍ୟବହାର ହେଉଥିବା ଅଳଙ୍କାର ରହୁଥିବାବେଳେ ଦ୍ୱିତୀୟ ତଥା ମଝି ଭଣ୍ଡାରରେ କିଛି ଅବ୍ୟବହୃତ ଅଳଙ୍କାର ରହିଛି।

ତୃତୀୟ ତଥା ଭିତର ଭଣ୍ଡାରରେ ଶ୍ରୀଜିଉଙ୍କ ରଘୁନାଥ ବେଶର ଅଳଙ୍କାର ସହ ବହୁ ମୂଲ୍ୟବାନ ଗହଣାଗାଣ୍ଠି ଗଚ୍ଛିତ ଥିବା କୁହାଯାଉଛି। ୧୯୭୮ ଓ ୧୯୮୨ ମସିହାରେ ରତ୍ନଭଣ୍ଡାର ଖୋଲାଯାଇଥିବା କହିଛନ୍ତି ତତ୍କାଳୀନ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର।

ଏମିତିକି ତାଙ୍କ ସମୟରେ କଳାହାଟ ଦ୍ୱାର ମରାମତି ପାଇଁ ରତ୍ନଭଣ୍ଡାର ଖୋଲାଯାଇ ରୂପା ଆସିଥିଲା ବୋଲି ସେ କହିବା ସହ ପ୍ରାୟ ୩୯ଟି ମୁକୁଟ ଓ ଅନ୍ୟାନ୍ୟ ଅଳଙ୍କାର କାଠ ସିନ୍ଦୁକରେ ରଖାଯାଇ ଥିବା କହିଛନ୍ତି। ଦୀର୍ଘଦିନ ଧରି ଖୋଲାଯାଇ ନଥିବାରୁ ଏସବୁ ନଷ୍ଟ ହୋଇପାରେ ବୋଲି ସେ ବି ଆଶଙ୍କା କରିଛନ୍ତି।

ବହୁ ବାଦବିବାଦ ଓ ଆଲୋଚନା ପର୍ଯ୍ୟାଲୋଚନା ପରେ ମାର୍ଚ୍ଚ ୨୦୧୮ରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏକ ଟିମ୍ ଯାଇଥିଲେ। ତାହା ବହୁ ଆଡ଼ମ୍ବରେ ଲଘୁକ୍ରିୟା ସଦୃଶ ହୋଇଥିଲା। କେବଳ ବାହାରୁ ଅନୁଧ୍ୟାନ କରି ଭିତର ଭଣ୍ଡାର ସ୍ଥିତି ଦୁର୍ବଳ ଥିବା କହିଥିଲେ ଯାଞ୍ଚକାରୀ ଦଳ। ପରେ ରତ୍ନଭଣ୍ଡାର ଚାବି ହଜିଯିବା ଓ ଡୁପ୍ଲିକେଟ୍‌ ଚାବି ମିଳିବାକୁ ନେଇ ସୃଷ୍ଟି ହୋଇଥିଲା ହଇଚଇ।

(ରିପୋର୍ଟ: ପୁରୀରୁ ମଧୁସୂଦନ ମିଶ୍ରଙ୍କ ସହ ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା)

Puri Puri Jaggannth Temple Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ