Advertisment

ସରିଲା ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡିଲେ ମହାବାହୁ

ଶ୍ରୀଗୁଣ୍ଡିଚାରୁ ବାହୁଡି ଆସିଲେ ମହାବାହୁ। ଶ୍ରୀନଅର ସମ୍ମୁଖରେ ସଂପନ୍ନ ହେଲା ଲକ୍ଷ୍ମୀ ନାରାୟଣ ଭେଟ। କାଲି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର।

End the Bahuda yatra of Lord Jagannath

End the Bahuda yatra of Lord Jagannath

Advertisment

ଶରଧାବାଲିରୁ ସିଂହଦ୍ୱାର... ରାତି ପାହୁ ପାହୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼... ଘଣ୍ଟଘଣ୍ଟା, ଶଙ୍ଖ ଧ୍ୱନୀରେ ଫାଟିପଡୁଥିଲା ବଡଦାଣ୍ଡ ଆଉ ତାରି ଭିତରେ ନାକଚଣା ଦ୍ୱାରରେ ତିନିଠାକୁରଙ୍କ ଅପେକ୍ଷାରେ ଥିଲା ତିନି ରଥ ତ ଆଡ଼ପମଣ୍ଡପରୁ ସଅଳ ନୀତିକାନ୍ତି ବଢ଼ାଇ ବାହୁଡ଼ିବାକୁ ପ୍ରସ୍ତୁତ ହେଉଥିଲେ କଳା ମୁକୁନ୍ଦ।

Advertisment

ଅନ୍ୟପକ୍ଷରେ ଶରଧାବାଲିକୁ ବର୍ଷା ଛୁଇଁଯିବା ପରେ ନିର୍ଧାରିତ ସମୟର ଢେର ଆଗରୁ ଆରମ୍ଭ ହୋଇଥିଲା ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଟାହିଆ ହଲାଇ, ହଲି ଝୁଲି ନନ୍ଦିଘୋଷ ରଥକୁ ଆସିଥିଲେ ଜଗତ ଠାକୁର ଜଗନ୍ନାଥ।

ଅନ୍ୟ ରିତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଁଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଆରମ୍ଭ ହୋଇଥିଲା ଛେରାପହଁରା। ଏହାପରେ ପହଞ୍ଚିଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ। ଦିନ ପ୍ରାୟ ସାଢ଼େ ଗୋଟାଏରେ ପ୍ରଥମେ ଘର୍ଘର ନାଦରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିବା କ୍ଷଣି ଭକ୍ତିରେ ଉଛୁଳି ଉଠିଥିଲା ପରିବେଶ।

Advertisment

ତାଳଧ୍ୱଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆ ଠାକୁରଙ୍କର ରଥକୁ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷ ଲକ୍ଷ ଭକ୍ତ। କିଛି ସମୟ ପାଇଁ ରଥ ଅଟକିଥିଲା ମାଉସୀ ମାଆଙ୍କ ମନ୍ଦିର ଆଗରେ। ପୋଡ଼ପିଠା ଖାଇ ପୁଣି ସିଂହଦ୍ୱାର ଅଭିମୁଖେ ବାହାରିଥିଲେ ତିନିଠାକୁର। ଏହାପରେ ଶ୍ରୀନଅର ସମ୍ମୁଖରେ ସଂପନ୍ନ ହୋଇଥିଲା ଲକ୍ଷ୍ମୀ ନାରାୟଣ ଭେଟ।

ରଥଯାତ୍ରା ଭଳି ବାହୁଡ଼ାରେ ବି ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ସଅଳ ସଅଳ ସରି ଯାଇଥିଲା ଶ୍ରୀଜିଉଙ୍କ ଗୋଟିକ ପରେ ଗୋଟିଏ ନୀତି। ସଞ୍ଜ ଗଡ଼ିବା ପୂର୍ବରୁ ସିଂହଦ୍ୱାରକୁ ବାହୁଡ଼ି ଆସିଥିଲେ ତିନି ରଥ। କାଲି ଏଇ ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର। ତା’ ପର ଦିନ ଅଧରପଣା ଆଉ ମଙ୍ଗଳବାର ହେବ ନୀଳାଦ୍ରିବିଜେ।

Advertisment
Ratha Jatra Bahuda Yatra Ratha Yatra Bahuda Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ