୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର । ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ଅଣସର ନୀତି । ପୂଜା ପାଉଛନ୍ତି ପଟି ଦିଅଁ । ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଅଣସର ଦର୍ଶନ ପାଇଁ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ଆଜିଠୁ ଅଲାରନାଥ ପୀଠରେ ଅଣସର ଦର୍ଶନ ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ ରାତି ପ୍ରାୟ ସାଢ଼େ ତିନିଟାରୁ ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି, ତଡ଼ପ ଲାଗି, ଅବକାଶ ବେଶ କରାଯାଇଛି । ସକାଳ ପ୍ରାୟ ସାଢ଼େ ପାଞ୍ଚଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଅଲାରନାଥଙ୍କ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ନୀର୍ଦ୍ଧାରିତ ସମୟରେ ଚାଲୁଛି ନୀତିକାନ୍ତି ।
Also Read
ମଧ୍ୟାହ୍ନ ଧୂପ ପରେ ଖୀରି ଭୋଗ, ସା ଆଳତି ଓ ଧୂପ, ବଡ଼ସିଂହାର ଧୂପ ଓ ପହଡ଼ ପାଇଁ ନୀତିନିର୍ଘଣ୍ଟ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ୍ କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅଣସର ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।