Advertisment

Raja Festival: ରଜପର୍ବ ପାଳନ ପଛର କାହାଣୀ ଓ ଢ଼ଗଢ଼ମାଳି

ରଜ ପର୍ବରେ ଦୋଳି ଉପରେ ବା ସାଙ୍ଗସାଥୀ ମେଳରେ ବୋଲା ଯାଉଥିବା ଗୀତର ମାଧୁର୍ଯ୍ୟ ଅନନ୍ୟ । ଏହି ରଜଗୀତ କାହିଁ କେଉଁ ଅନାଦି କାଳରୁ ଆମରି ଗାଆଁଗହଳିରେ ଜନ୍ମ ନେଇଥିଲା । ବିଶେଷ କରି ତରୁଣୀମାନେ ଦୋଳି ଖେଳ ସମୟରେ ନିଜର ସାଥୀ ମାନଙ୍କୁ, ପ୍ରେମିକମାନଙ୍କୁ ବା ଭାଉଜମାନଙ୍କୁ ଲକ୍ଷ୍ୟକରି ଖୁସିରେ ଗୀତଗାଇ ଚାଲନ୍ତି।

ଅଦ୍ୟତନ ହୋଇଛି
raja

raja

Advertisment

ଓଡ଼ିଶାବାସୀ ସେମାନଙ୍କର ସାମାଜିକ ଜୀବନରେ ବହୁ ପର୍ବପର୍ବାଣୀ ପାଳନ କଲେ ହେଁ ରଜପର୍ବର ବିଶେଷତ୍ୱ ଅନ୍ୟ ପର୍ବ ତୁଳନାରେ ଅଧିକ। ଆଷାଢ଼ ମାସର ଆରମ୍ଭ ଦିନକୁ ରଜ ସଂକ୍ରାନ୍ତି କହନ୍ତି। ରଜପର୍ବ ତିନିଦିନ ପାଳନ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ଅର୍ଥାତ ଜ୍ୟେଷ୍ଠ ମାସର ଶେଷଦିନକୁ ପହିଲି ରଜ ଏବଂ ସଂକ୍ରାନ୍ତିର ପରଦିନକୁ ଭୂମିଦାହ ଦିବସ କୁହାଯାଏ । ତୃତୀୟ ଦିନ ସକାଳେ ବସୁମତୀ ସ୍ନାନଦ୍ବାରା ରଜପର୍ବ ପାଳନ ଶେଷ ହୁଏ । ଧର୍ମଶାସ୍ତ୍ରରେ ଏହା ଭୂମି ରଜସ୍ବଳା ବା ପୃଥ୍ବୀରଜସ୍ଵଳା ନାମରେ ଅଭିହତ ।

Advertisment

କୃଷିଭିତ୍ତିକ ପର୍ବ ରଜ 

ରଜପର୍ବ ଓଡ଼ଶାର କୃଷି ସମ୍ବନ୍ଧୀୟ ଏକ ଲୋକ ଉତ୍ସବ । ବହୁ ପ୍ରାଚୀନ କାଳରୁ ଲୋକ ଏହି ପର୍ବ ପାଳନ କରି ଆସୁଛନ୍ତି । ଓଡ଼ିଆ ଜନଜୀବନରେ ଏହାର ପ୍ରଭାବକୁ ଅନୁଭବ କରି ଓଡ଼ଶାର ଧର୍ମଶାସ୍ତ୍ରକାରମାନେ ରଜପର୍ବକୁ ଶାସ୍ତ୍ରରେ ସ୍ଥାନ ଦେଇଛନ୍ତି । ରଜ ପୂର୍ବରୁ କୃଷକମାନେ ଜମିରୁ ହଳ କରି ଧାନ ବୁଣି ଦେଇଥାନ୍ତି । କଠୋର ପରିଶ୍ରମ ପରେ ଅବସର ନେବା ଓ ଅବସରକୁ ଆନନ୍ଦମୁଖର କରିବା ସବୁ ପର୍ବର ମୂଳ ଲକ୍ଷ୍ୟ । ରଜପର୍ବ ହେଉଛି ସେହପରି ଏକ ପର୍ବ । ଲୋକଙ୍କ ହୃଦୟରେ ନୂଆ ଉତ୍ସାହ ଆଣିବା, ଅଧିକ କାର୍ଯ୍ୟ କରିବା ପାଇଁ ଶକ୍ତି ଓ ପ୍ରେରଣା ଯୋଗାଇବା ରଜପର୍ବ ପାଳନର ପ୍ରଧାନ ଉଦ୍ଦେଶ୍ୟ ।

ଆଷାଢ଼ ମାସରେ ପୃଥିବୀ ସହିତ ମେଘର ମିଳନ ଘଟେ ବୋଲି ଲୋକେ ବିଶ୍ବାସ କରନ୍ତି। ଏହି ସମୟରେ ବର୍ଷାକାଳ ଆରମ୍ଭ ହୁଏ। ମାଟି ଭିତରେ ଲୁଚି ରହିଥିବା ବିହନ ବର୍ଷାଜଳ ପାଇ ଗଜା ହୁଏ । ଧୀରେ ଧୀରେ ଶୁଷ୍କ ଓ ଶୂନ୍ୟ ଦେଖାଯାଇଥିବା ଧାନ କିଆରୀ ଗୁଡ଼ିକ ନୂତନ ଶସ୍ୟ ଦ୍ଵାରା ସବୁଜ ରଙ୍ଗ ଧାରଣ କରେ । ଏହା ସୃଷ୍ଟିର ଏକ ବିଚିତ୍ର ଓ ସ୍ଵାଭାବିକ ଲୀଳା । ରଜ ପର୍ବ ସୃଷ୍ଟିର ସେହି କଥାକୁ ସ୍ମରଣ କରାଇଦିଏ । ବର୍ଷାଋତୁକୁ ସ୍ବାଗତ ଜଣାଇବା ରଜପର୍ବ ପାଳନର ଆଉ ଏକ ଲକ୍ଷ୍ୟ ।

Advertisment

ଅଧିକ ପଢ଼ନ୍ତୁ: ଆଜି ରଜ ସଂକ୍ରାନ୍ତି, ସବୁଠି ଉତ୍ସବର ମାହୋଲ

ନାରୀଙ୍କ ପର୍ବ ରଜ 

ରଜ ସମୟରେ ପୃଥିବୀ ରଜୋବତୀ ହୁଏ ବୋଲି ଲେକେ ବିଶ୍ବାସ କରନ୍ତି। ତେଣୁ ପୃଥିବୀକୁ ରଜସ୍ଵଳା ନାରୀ ସହ ତୁଳନା କରାଯାଇଥାଏ । ରଜ ତିନିଦିନକୁ କୁମାରୀ କନ୍ୟାମାନେ ରଜୋବତୀ ନାରୀର କର୍ତ୍ତବ୍ୟ ପାଳନ କରନ୍ତି । ତେଣୁ ସ୍ତ୍ରୀ ଲେକମାନଙ୍କର କର୍ତ୍ତବ୍ୟ ଏ ସମୟରେ ଅଧିକ । ରଜସ୍ବଳା ସ୍ତ୍ରୀର ସାଧାରଣତଃ ଉତ୍ତାପ ଅଧିକ ଥାଏ । ତେଣୁ ଭୁଇଁରେ ବସିବା ଓ ଚାଲିବା ତା ପକ୍ଷେ ଅହିତକର । ଗାଧୋଇବା ମଧ୍ୟ ଅସୁରକ୍ଷିତ । ବେଶି ଅମ୍ଳରସ ହେଲେ ତାହା ସନ୍ତାନ ହାନିକାରକ । ଭାତରୁ ଅମ୍ଳରସର ସୃଷ୍ଟି । ତେଣୁ ଭାତ ନଖାଇ ପିଠା ଏବଂ ଫଳମୂଳ ଖାଇଲେ ଅମ୍ଳରସ ସୃଷ୍ଟି ହୁଏ ନାହଁ । ଶରୀର ପାଇଁ ଯେତିକି ଅମ୍ଳ ଜାତୀୟ ଖାଦ୍ୟ ଦରକାର ତାର ଦୁଇଗୁଣ ଖାର ଜାତୀୟ ଖାଦ୍ୟ ଦରକାର । ତେଣୁ ରଜସ୍ବଳା ସ୍ତ୍ରୀ ଫଳମୂଳ ଖାଇବା ହିତକର । ସେମାନେ ଭୂଇଁରେ ଚାଲନ୍ତି ନାହିଁ କି କୌଣସି ଜିନିଷ କଟାକଟି କରନ୍ତି ନାହଁ । ଲୁଣ ଖାଆନ୍ତି ନାହିଁ । ଫଳମୂଳ, ପିଠା ଖାଆନ୍ତି ଓ ପଣା ପିଅନ୍ତି । ଏହି ସମସ୍ତ ଦୃଷ୍ଟି କୋଣରୁ ଦେଖିଲେ ଜଣାଯାଏ ଯେ, ଓଡ଼ିଶାର ଗଣପର୍ବ ରଜ କେବଳ ଏକ ସର୍ବଜନ ଆନନ୍ଦଦାୟୀ ପର୍ବ ନୁହେଁ, ଝିଅମାନଙ୍କର ଦୋଳି ଖେଳର ଅବସର ନୁହେଁ, ବରଂ ସମସ୍ତଙ୍କର ମନ, ପ୍ରାଣ, ଏବଂ ଶରୀର ଆମୋଦକର ଅବସର । ଏହା ଯେତିକ ପରିମାଣରେ ଆଚାରସିଦ୍ଧ, ତା’ଠାରୁ ଅଧିକ ପରିମାଣରେ ବିଜ୍ଞାନ ସମ୍ମତ ।

ରଜ ଓ ଦୋଳି ଖେଳ 

ରଜ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଦୋଳି ଖେଳ। ଓଡିଶାର ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ଉପକୂଳବର୍ତ୍ତୀ ପୁରୀ, କଟକ ,ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାରେ ଏହି ଦୋଳି ଖେଳ ମହାଆଡମ୍ୱରରେ ପାଳିତ ହୁଏ । ଏହିସବୁ ଅଞ୍ଚଳରେ ଦୋଳି ଖେଳ ସାଙ୍ଗକୁ ବାଗୁଡି ଖେଳର ବି ପ୍ରାଧାନ୍ୟ ରହିଛି । ରାମ ଦୋଳି, ଚକ୍ରି ଦୋଳି, ପାଟ ଦୋଳି, ଦାଣ୍ଡି ଦୋଳି ଆଦି ନାନା-ପ୍ରକାର ଦୋଳି ପ୍ରସ୍ତୁତ ହୁଏ । ଝିଅ ମାନେ ନାନା ବିଷୟରେ ଦୋଳି-ଗୀତ ଗାଇ ଦୋଳିରେ ଝୁଲନ୍ତି । ଯୁବକମାନେ ବାଗୁଡି ଖେଳନ୍ତି । ରଜ ସମୟରେ ବିଭନ୍ନ ଅଞ୍ଚଳରେ ନାନାପ୍ରକାର ପିଠା ଓ ତରକାରୀ ପ୍ରସ୍ତୁତ ହୁଏ । ଲେକେ ପିଠାପଣା ନେଇ ନିଜ ନିଜର ବନ୍ଧୁ ଘରକୁ ଯାଆନ୍ତି । ରଜ ସମୟରେ ପିନ୍ଧିବା ପାଇଁ ନୂଆ ଲୁଗା କରାଯାଇଥାଏ । ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରାଯାଏ। ନୂଆ ଲୁଗା ପିନ୍ଧି, ପିଠା ଖାଇ ବନ୍ଧୁବାନ୍ଧବଙ୍କ ସାଙ୍ଗରେ ପଶାପାଲି, ତାସ୍, ବାଗୁଡି , ଲୁଡୁ ଖେଳ ଖେଳିବାରେ ମାତି ଯାଆନ୍ତି।

Advertisment

ରଜ ଗୀତ 

ରଜ ପର୍ବରେ ଦୋଳି ଉପରେ ବା ସାଙ୍ଗସାଥୀ ମେଳରେ ବୋଲା ଯାଉଥିବା ଗୀତର ମାଧୁର୍ଯ୍ୟ ଅନନ୍ୟ । ଏହି ରଜଗୀତ କାହିଁ କେଉଁ ଅନାଦି କାଳରୁ ଆମରି ଗାଆଁଗହଳିରେ ଜନ୍ମ ନେଇଥିଲା । ବିଶେଷ କରି ତରୁଣୀମାନେ ଦୋଳି ଖେଳ ସମୟରେ ନିଜର ସାଥୀ ମାନଙ୍କୁ, ପ୍ରେମିକମାନଙ୍କୁ ବା ଭାଉଜମାନଙ୍କୁ ଲକ୍ଷ୍ୟକରି ଖୁସିରେ ଗୀତଗାଇ ଚାଲନ୍ତି।

ଦୋଳି ଖେଳିବା ସମୟରେ ଯୁବତୀମାନେ ଅନେକ ଥଟ୍ଟା ତାମସା କରନ୍ତି। ଓଡିଆ ପରମ୍ପରାରେ ନଣନ୍ଦ ଭାଉଜ ସମ୍ପର୍କର ତୁଳନା ନାହିଁ। ରଜପର୍ବ ସମୟରେ ଏମାନଙ୍କ ସମ୍ପର୍କ ଆହୁରି ଗାଢ଼ ହୁଏ। ନଣନ୍ଦମାନେ ଭାଉଜମାନଙ୍କ ସହିତ ଥଟ୍ଟା ତାମସା କରି ସେମାନଙ୍କୁ ରଗାଇବାର ଉପକ୍ରମ କରି ସେଥିରୁ ଆନନ୍ଦ ଉପଲବ୍ଧି କରନ୍ତି । ପ୍ରଥମେ ଭାଉଜମାନଙ୍କୁ ଚିଡ଼ାଇଦେବା ଦ୍ୱାରା ସେମାନେ ଅଭିମାନ କରନ୍ତି ।କିନ୍ତୁ

ଠିକ୍ ପରପଦରେ ନଣନ୍ଦ ସେହି ଭାଉଜଙ୍କୁ ପ୍ରଶଂସା କରି ଗୀତ ଗାଇଦେଲେ ସେମାନେ ପୁଣି ଖୁସି ହୋଇଯାଆନ୍ତି । ସେଥିପାଇଁ ଓଡ଼ିଆମାନଙ୍କର ପାରିବାରିକ ସମ୍ପର୍କ ଅତ୍ୟନ୍ତ ନିବିଡ଼ ଓ ମଧୁର । ପ୍ରଥମେ ନଣନ୍ଦ ଗାଏ –

“ପିତାଶାଗ ବୁଦି ବୁଦି

ଭାଇ କାହା ସଙ୍ଗେ କଲେ ପୀରତି କଲେ ଲୋ

ହାତୁ ଦେଇ ସୁନାମୁଦି ।“

ଏ ଗୀତ ଶୁଣିବାମାତ୍ରେ ଯେକୌଣସି ଭାଉଜ ଚିଡି ଉଠିବା ସ୍ଵାଭାବିକ । ମାତ୍ର ନଣନ୍ଦ ଠିକ୍ ପରପଦରେ ଏମିତି କଥା କହିଦିଏ, ମୁହୂର୍ତ୍ତକ ମଧ୍ୟରେ ଭାଉଜଙ୍କ ନଣନ୍ଦ ପ୍ରତି ଥିବା ସମସ୍ତ କ୍ରୋଧ ପାଣିଫୋଟକା ପରି ଅକ୍ଳେଶରେ ମିଳାଇଯାଏ –

“ରଥରୁ ଖୁମ୍ବ ଖସିଲା

ଭାଇନା କାନରେ ନୋଳି ବସିଲା ଲୋ

ଭାଉଜ ଦେଖି ହସିଲା ।“

ଏହାପରେ ସେହି ଅବିବାହିତା ତରୁଣୀ ତା’ ନିଜ କଥା କହିଚାଲେ । ନିଜର ଭବିଷ୍ୟତର ସ୍ଵପ୍ନ, ପ୍ରେମ, ମନର ମଣିଷ ଓ ଘର କଥା କହିଚାଲେ ଗୀତରେ –

“ବୁଣିଗଲି ମାଘୀ ରାଶି

ଭେଣ୍ଡା ଲୋଡ଼ୁଥିଲା ଷୋଳବରଷୀ

ଦେଉଳ ପଛଆଡ଼େ ଗଲି ପଶି

ବୁଣିଲି ନିର୍ଲଜ୍ଜ ରାଶି

କୋଇଲି ଡାକିଲା ମୋ’ ବୁଦ୍ଧି ହଜିଲା

ଧଇଲି ଧସେଇ ପଶି”

“ଦୋଳି ଉଞ୍ଚେ ଗଲା ଚାଲି

ଖସି ଆସୁ ଆସୁ କିବା ଦେଖିଲି

ପରାଣ ସମର୍ପି ଦେଲି

କାଟିଲି ସୁଗନ୍ଧି ବେଣା

ନାସ୍ତି କରୁ କରୁ ଧଇଲେ ଡେଣା

କରି ନ ପାରିଲି ମନା ।“

ଏହିପରି ଅସଂଖ୍ୟ ଗୀତରେ ତରୁଣୀ ତା’ ପ୍ରାଣର ଓ ହୃଦୟର ଭାବକୁ ପ୍ରକାଶ କରିଦେଇଛି । ଏହି ପ୍ରକାଶ ଭଙ୍ଗୀରେ କୌଣସି କୃତ୍ରିମତା ନାହିଁ । ବରଂ ସତେଯେମିତି ନାରୀ ମନଗହନର ଗୋପନ କଥା ଏହି ଗୀତ ମାଧ୍ଯମରେ ଧରାପଡ଼ିଯାଇଛି।

ରଜ ପାନ 

ପାନ ହେଉଛି ଓଡ଼ିଆ ଘରେ ଅତିଥି ଚର୍ଚ୍ଚାର ମୁଖ୍ୟ ଦ୍ରବ୍ୟ ସାଙ୍ଗକୁ ଆଭିଜାତ୍ୟର ସଙ୍କେତ ଭାବେ ବିଚାର କରାଯାଏ। ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା।ଓଡ଼ିଆଙ୍କ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନ ଶେଷରେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି ।କିନ୍ତୁ ରଜରେ ଏହି ପାନର ମହତ୍ତ୍ଵ କାହିଁରେ କେତେ ବଢିଯାଏ। ସେଥିପାଇଁ ପାନକୁ ନେଇ ଢ଼ଗ କୁହାଯାଇଛି-

"ପାନଖିଆ ରସିକ ପାଟି,

ଖୋଜି ବୁଲୁଥିଲା ରାଜାଙ୍କ ହାତୀ,

ଢାଳି ଦେଇଗଲା ଶିରରେ,

ରାଜା ହୋଇଗଲା ରଜରେ ।" 

ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ । ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନମହୁରି, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗୀ, ଚଉଭଙ୍ଗୀ ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର ।

ରଜରେ ସମସ୍ତେ ପ୍ରାୟତଃ ପିଠା ଖାଆନ୍ତି । ଓଡ଼ିଆ ଗୃହିଣୀମାନେ ନାନାପ୍ରକାର ପିଠା କରନ୍ତି । ରଜ ସମୟରେ ମୁଖ୍ୟତଃ ପୋଡପିଠା ହୋଇଥାଏ। ଏହା ସାଙ୍ଗକୁ ଚକୁଳିପିଠା, ସରୁ ଚକୁଳି, ଦୂବ ଚକୁଳି, ଛୁଞ୍ଚି ପତ୍ର ଚକୁଳି ଆଦି ପିଠା କରଯାଏ । ସେହିପରି ବିଭନ୍ନ ଅଞ୍ଚଳରେ ଖେଳ ପ୍ରତିଯୋଗିତା, ଯାତ୍ରା ପ୍ରତିଯୋଗିତା, ବାଦି ପାଲା ହୁଏ ।

କେତେକ ସ୍ଥାନରେ ରଜ ସମୟରେ ଗ୍ରାମଦେବୀଙ୍କ ପାଖରେ ମାଜଣା ହୁଏ । କେତେକ ଅଞ୍ଚଳରେ ଯାଗଯଜ୍ଞ, ହରିହାଟ, ଭଜନ ଆୟୋଜନ ହୁଏ । ଜାତି, ଧର୍ମ ଓ ବୟସ ନର୍ବିଶେଷରେ ପ୍ରତ୍ୟେକ ଓଡ଼ିଆ ଊଣା ଅଧିକେ ରଜପର୍ବ ପାଳନରେ ସାମିଲ ହୁଅନ୍ତି । ତେଣୁ ରଜ ପର୍ବକୁ ଓଡ଼ିଶାର ଏକ ମହାନ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହଁ ।

ଅଧିକ ପଢ଼ନ୍ତୁ: ପହିଲି ରଜରେ ସୁନା ଦରରେ ହେଲା ବଡ଼ ପରିବର୍ତ୍ତନ; ଜାଣନ୍ତୁ କେତେ ଅଛି ଦାମ୍‌..

Odisha Raja Festival Raja Parba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ