Astrospeak
  • Live TV
  • Read In English

Anla Navami 2023: ଅଁଳା ନବମୀରେ ଓଡ଼ିଆଣୀ ବେଶରେ ଭକ୍ତ ମନ ମୋହନ୍ତି ଶ୍ରୀରାଧା

ଓଡ଼ିଶାର ଧର୍ମ ସଂସ୍କୃତିରେ ଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି। ବିଶ୍ୱାସ କରାଯାଏ ଯେ ସରସ୍ୱତୀଙ୍କର ରଜୋଗୁଣରୁ ଅଁଳାର ସୃଷ୍ଟି ହୋଇଛି। ଏହି ଦିନଠାରୁ ସତ୍ୟ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ମଧ୍ୟ ରହିଛି।

Anla Navami 2023, Radhapada darshana 2023
ଅଁଳା ନବମୀରେ ଓଡ଼ିଆଣୀ ବେଶରେ ଭକ୍ତ ମନ ମୋହନ୍ତି ଶ୍ରୀରାଧା

କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ଦିନଟିକୁ ଅଁଳା ନବମୀ ଭାବେ ପାଳନ କରାଯାଏ। ଏହି ଦିନ ଦୀପାବଳିର ୮ ଦିନ ପରେ ପାଳନ ହୁଏ। ଏହି ଦିନ ଅଅଁଳା ଗଛକୁ ପୂଜା କରାଯାଏ। ଓଡ଼ିଶାର ଧର୍ମ ସଂସ୍କୃତିରେ ଅଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି। ବିଶ୍ୱାସ କରାଯାଏ ଯେ ସରସ୍ୱତୀଙ୍କର ରଜୋଗୁଣରୁ ଅଁଳାର ସୃଷ୍ଟି ହୋଇଛି। ଏହି ଦିନଠାରୁ ସତ୍ୟ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ମଧ୍ୟ ରହିଛି।

କ’ଣ କୁହେ କିମ୍ବଦନ୍ତୀ:

ଥରେ ଭଗବାନ ହରିଙ୍କୁ ମହାଲକ୍ଷ୍ମୀ ଓ ଭଗବତୀ କୌଣସି ଏକ ନୂଆ ଦ୍ରବ୍ୟ ଦେବାକୁ ଇଚ୍ଛାକଲେ। କ’ଣ ଦେବେ ଭାବୁଥିବା ବେଳେ ଉଭୟଙ୍କ ଆଖିରୁ ଏକସଙ୍ଗେ ଲୁହ ଝରିଲା। ସେହି ଆନନ୍ଦାଶ୍ରୁ ମାଟିରେ ପଡ଼ି ଅଅଁଳାଗଛ ସୃଷ୍ଟିହେଲା।

ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, ଦିନେ ଲକ୍ଷ୍ମୀ ଓ ପାର୍ବତୀ ଏକାଠି ବନରେ ନିଜନିଜ ସ୍ୱାମୀଙ୍କ ପାଇଁ ପୂଜାପାଠ କରିବାକୁ ମନକଲେ। କିନ୍ତୁ ଅସୁବିଧା ଏହା ଥିଲା ଯେ ସେମାନଙ୍କ ସ୍ୱାମୀଙ୍କର ପ୍ରିୟ ପୂଜା ସାମଗ୍ରୀ ସେମାନଙ୍କ ପାଖରେ ନ ଥିଲା। ଅର୍ଥାତ୍ ପାର୍ବତୀଙ୍କ ପାଖରେ ବେଲପତ୍ର ଆଉ ଲକ୍ଷ୍ମୀଙ୍କ ପାଖରେ ତୁଳସୀ ନ ଥିଲା। ଦୁହେଁ ଭାବିବାକୁ ଲାଗିଲେ କିପରି ଏ ସମସ୍ୟାର ସମାଧାନ ହେବ। ଠିକ ସେତିକିବେଳେ ଦେବଶ୍ରୀ ନାରଦ ସେଠାରେ ପହଞ୍ଚି ସମସ୍ୟାକୁ ଶୁଣିଲେ। ଏହା ପରେ ଅଅଁଳା; ବେଲ ଓ ତୁଳସୀର ସମାହାର ବୋଲି ସେମାନଙ୍କୁ କହିଲେ। ନାରଦଙ୍କ ଠାରୁ ଏହା ଶୁଣି ଦୁହେଁ ଅଅଁଳାଗଛ ନିକଟରେ ପୂଜାକାର୍ଯ୍ୟ ସମାପନ କଲେ। ସେଇଥିପାଇଁ ଅଅଁଳା ଶିବ ଓ ବିଷ୍ଣୁଙ୍କର ପ୍ରିୟବୃକ୍ଷ ବୋଲି ବିଶ୍ୱାସ କରାଯାଏ।

ଅଧିକ ପଢ଼ନ୍ତୁ: ଅଁଳା ଖାଇବାର ୪ ଲାଭ: ଜାଣନ୍ତୁ କିଏ ଖାଇବେ, କିଏ ନ ଖାଇବେ

ଓଡ଼ିଶାରେ ପୂଜାବିଧି:

ଅଁଳା ନବମୀରେ ଅଅଁଳା ଗଛ ତଳେ ବଟା ଅଅଁଳାରେ ଭଗବାନ ବିଷ୍ଣୁଙ୍କର ପ୍ରତିମାକୁ ସ୍ନାନ କରାଯାଏ। ଓଡ଼ିଆ ପରମ୍ପରାରେ ଏହି ସ୍ନାନକାର୍ଯ୍ୟ ଅଁଳା ନବମୀରୁ କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଚାଲେ। ହବିଷିଆଳୀମାନେ ଏହିଦିନ ଅଁଳାଗଛ ମୂଳରେ ହବିଷ୍ୟାନ୍ନ ରାନ୍ଧନ୍ତି ଓ ବୃକ୍ଷ ଚାରିପଟେ ପ୍ରଦକ୍ଷଣ କରିଥାନ୍ତି।

ଧାର୍ମିକ ମହତ୍ତ୍ୱ:

ଅଁଳା ନବମୀକୁ କେଉଁଠି କୁଷ୍ମାଣ୍ଡା ନବମୀ ତ ଆଉ କେଉଁଠି ଜଗଧାତ୍ରୀ ପୂଜା ମଧ୍ୟ କୁହାଯାଏ। ଶାସ୍ତ୍ରରେ କୁହାଯାଇଛି ଯେ ଏହି ଦିନ ଦାନ, ଉପାସନା, ଭକ୍ତି, ସେବା ଇତ୍ୟାଦି ଭଳି ଶୁଭ କାର୍ଯ୍ୟ କରାଯାଏ, ଏହାର ଗୁଣ ଅନେକ ଜନ୍ମ ପାଇଁ ପ୍ରାପ୍ତହୁଏ ବୋଲି ବିଶ୍ୱାସ ରହିଛି।

ବିଶ୍ୱାସ କରାଯାଏ ଯେ ଏହି ଦିନ ଦ୍ୱାପର ଯୁଗ ଆରମ୍ଭ ହୋଇଥିଲା ଏବଂ ଏହି ଦିନଠାରୁ ଭଗବାନ କୃଷ୍ଣ ତାଙ୍କର ବାଳଲୀଳା ଛାଡି ମଥୁରା ଯାଇଥିଲେ। କୁହାଯାଏ ଯେ ସମସ୍ତ ଦେବତା ଏବଂ ଦେବୀ ଅଅଁଳା ଗଛରେ ବାସ କରନ୍ତି। ତେଣୁ ଏହି ବୃକ୍ଷକୁ ପୂଜା କରାଯାଏ।

ଶ୍ରୀରାଧାଙ୍କ ପାଦ ଦର୍ଶନ:

ଅଁଳା ନବମୀରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଏକ ମହାନ ଉତ୍ସବ ଅଟେ। ପୌରାଣିକ ଆଖ୍ୟାନାନୁସାରେ ଏହିଦିନ ଶ୍ରୀହନୁମାନ ଲଙ୍କାପୁରୀରେ ଦେବୀ ସୀତାଙ୍କ ପାଦଦର୍ଶନ କରିଥିଲେ। ଏହିଦିନରେ ବୈଷ୍ଣବମାନଙ୍କର ଠାକୁରାଣୀ ରାଧାଦେବୀଙ୍କ ପାଦଦର୍ଶନ କରିବାର ପରମ୍ପରା ରହିଛି। ଏହାର ନିଦର୍ଶନ ରୂପେ ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ ମହାନ ଯାତ୍ରା ଭାବରେ ପାଳନ କରାଯାଏ।

ସାକ୍ଷୀଗୋପାଳଙ୍କ ବାମ ପାଶ୍ୱର୍ରେ ଓଡ଼ିଆଣୀ ଢଙ୍ଗରେ ଶ୍ରୀରାଧାଙ୍କ ଅଷ୍ଟଧାତୁ ନିର୍ମିତ କମନୀୟ ବିଗ୍ରହ ବିରାଜିତା। କାର୍ତ୍ତିକ ମାସ ଶୁକ୍ଳ ନବମୀ ତିଥିରେ ଶ୍ରୀରାଧା ରାଣୀ ଓଡ଼ିଆଣୀ ବେଶରେ କଣିଆ କଛାରେ ପାଟଶାଢୀ ପରିଧାନ କରନ୍ତି। ଏହାଦ୍ୱାରା ପାଦ ଉପରକୁ ଶାଢ଼ୀ ଉଠି ଯାଉଥିବାରୁ ପାଦ ଦୁଇଟି ସହ ପାଦରେ ଅଳଂକୃତ ଅଳଙ୍କାରମାନ ଭକ୍ତମାନେ ଦର୍ଶନ କରି ଧନ୍ୟ ହୁଅନ୍ତି।

ଏହିଦିନ ବ୍ୟତୀତ ବର୍ଷସାରା ମାତାଙ୍କ ପାଦ ଆବୃତ ହୋଇ ରହୁଥିବାରୁ ଅନ୍ୟ ଦିନମାନଙ୍କରେ ପାଦଦର୍ଶନ ଯୋଗ ମିଳି ନଥାଏ। ଏହିଦିନ ଶାଢ଼ୀ ପଣତକାନିରେ ଗୁଆ, ଅରୁଆ ଚାଉଳ, ଫୁଲ ଗଣ୍ଠିପଡ଼ି କାନ୍ଧର ବାମ ଭାଗରେ ପଛକୁ ଓହଳା ଯାଇଥାଏ। ଦେବୀ ରାଧାଙ୍କ ଓଡ଼ିଆ ବେଶଭୂଷା ପରିପାଟୀ ଅଳଙ୍କାର ଭୂଷଣ ସହିତ କମନୀୟ ପାଦଯୁଗଳ ଦର୍ଶନ କରି ଭକ୍ତ ଅଅଁଳାଫଳ ଓ ପତ୍ର ପ୍ରଦାନ କରି ଅନନ୍ତ ପୁଣ୍ୟ ଅର୍ଜନ କରିଥାଆନ୍ତି। ଏହିଦିନ ସାକ୍ଷୀଗୋପାଳରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ।