ଦକ୍ଷିଣ ଭାରତରେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ପର୍ବ ଭାବେ ପାଳନ କରାଯାଏ। ଏହି ପର୍ବ ଦକ୍ଷିଣ ଭାରତରେ ଖୁବ ଧୂମଧାମରେ ପାଳନ କରାଯାଏ। ଏହି ଦିନ ସୂର୍ଯ୍ୟଙ୍କୁ ଉପାସନା କରାଯାଏ।
ଉତ୍ତର ଭାରତୀୟ ରାଜ୍ୟରେ ମକର ସଂକ୍ରାନ୍ତି ଏବଂ ଲୋହରୀ ଭାବରେ ସୂର୍ଯ୍ୟଙ୍କ ପ୍ରବେଶ ଉତ୍ସବ ପାଳନ କରାଯାଉଥିବାବେଳେ ଦକ୍ଷିଣ ଉତ୍ତରରେ ସୂର୍ଯ୍ୟ ଉତ୍ତରାୟଣରେ ପ୍ରବେଶ କଲାବେଳେ ‘ପୋଙ୍ଗଲ’ ପାଳନ କରାଯାଏ। ମକର ସଂକ୍ରାନ୍ତି ଏବଂ ଲୋହରୀ ପରି ପୋଙ୍ଗଲ ପର୍ବକୁ ମଧ୍ୟ ଅମଳ ପରେ ଭଗବାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ପାଳନ କରାଯାଏ।
Also Read
ଅଧିକ ପଢ଼ନ୍ତୁ: ମକର ସଂକ୍ରାନ୍ତିରେ କାହିଁକି ଖାଆନ୍ତି ରାଶି-ଗୁଡ଼ ଲଡୁ; କ’ଣ କହେ ବିଜ୍ଞାନ…
ପୋଙ୍ଗଲକୁ ତାଇ ପୋଙ୍ଗଲ ମଧ୍ୟ କୁହାଯାଏ। ଏହା ତାମିଲ ସମ୍ପ୍ରଦାୟର ଏକ ଫସଲ କଟା ଗଣପର୍ବ। ଲୋକମାନେ ଏହାକୁ ଖୁବ ଧୁମଧାମରେ ପାଳନ କରନ୍ତି। ସେମାନେ ଏହି ପର୍ବରେ ପିତୃ ପୁରୁଷଙ୍କୁ ସ୍ମରଣ କରି ପୂଜା କରିଥାନ୍ତି। ଚାରିଦିନ ଧରି ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ପାଳନ କରନ୍ତି। ତେବେ ଆସନ୍ତୁ ଏହି ଚାରି ଦିନର ମହତ୍ତ୍ୱ କ’ଣ ଜାଣିବା।
ପ୍ରଥମ ଦିନ:
ପୋଙ୍ଗଲ ପର୍ବର ପ୍ରଥମ ଦିନକୁ ‘ଭୋଗୀ ପୋଙ୍ଗଲ’ କୁହାଯାଏ। ଏହିଦିନ ସକାଳୁ ନିଜ ଘରର ସମସ୍ତ ଅନାବଶ୍ୟକ ଜିନିଷ ଓ ଗୋବର ଘସିକୁ ନିଆଁ ଲଗାଇ ପୋଡାଯାଏ। ଶୀତ ଦିନରେ ଧରିତ୍ରୀ ମା’ ଥଣ୍ଡା ହୋଇଯାଇଥାଏ। ଏହି ନିଆଁ ଜଳିବା ଦ୍ୱାରା ମାଟି ମା’ ଉଷୁମ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ଦ୍ୱିତୀୟ ଦିନ:
ପୋଙ୍ଗଲ ପର୍ବର ଦ୍ୱିତୀୟ ଦିବସ ହେଉଛି ମକର ସଂକ୍ରାନ୍ତି। ଏହାର ତେଲୁଗୁ ଭାବାର୍ଥ ହେଉଛି ପେଡ଼ା ପଣ୍ଡଗା। ଏହିଦିନ ଚାଷୀମାନେ ଉତ୍ପାଦିତ ଫସଲ ଓ ଗାଈ-ଗୋରୁଙ୍କୁ ପୂଜା କରନ୍ତି। ପୂଜା ପରେ ଗାଈ କ୍ଷୀରକୁ ଚୁଲିରେ ଫୁଟାଯାଏ। ସେହି କ୍ଷୀରରେ ଚାଉଳ ପକାଇ ଖିରୀ କରାଯାଏ। ଏହି ଖିରୀର ନାମ ପୋଙ୍ଗାଲୀ ବୋଲି କୁହାଯାଏ। ଏହି ଖିରୀ ନିଜ ଘର ବ୍ୟତୀତ ମନ୍ଦିରରେ ଓ ଚାଷ ଜମିରେ ମଧ୍ୟ କରାଯାଇଥାଏ। କେବଳ ଗୁଡ ପକାଇ ଖିରୀ କରାଯିବାର ପରମ୍ପରା ରହିଛି।
ଚାଷୀ କୁଳ ବ୍ୟତୀତ ଅନ୍ୟ ସାଧାରଣ ତେଲୁଗୁ ଲୋକମାନେ ଏହି ଦିନରେ ପିତୃ ପୁରୁଷଙ୍କୁ ପୂଜା କରିଥାନ୍ତି। ପୁରୁଷ ପିତୃ ପୁରୁଷଙ୍କୁ ଧୋତି-ଯୋଡ ଓ ମହିଳା ପିତୃ ପୁରୁଷଙ୍କୁ ସୂତା ଶାଢ଼ୀ ବା ପାଟ ଲାଗି କରାଯାଇଥାଏ। ଏହା ପରେ ସମସ୍ତେ ନୂଆ ଲୁଗା ପିନ୍ଧିଥାନ୍ତି। ସାଧାରଣତଃ ଏହି ଦିନରେ କେହି ଆମିଷ ଖାଇ ନଥାନ୍ତି।
ତୃତୀୟ ଦିନ:
ପୋଙ୍ଗଲ ପର୍ବର ତୃତୀୟ ଦିନକୁ କାନୁମା କୁହାଯାଏ। ଚାଷୀକୁଳ ଚାଷ କରି ଫସଲ ଅମଳ କରିବା କାର୍ଯ୍ୟରେ ବ୍ୟସ୍ତ ରହି ଥକି ଯାଇଥାନ୍ତି ଓ ସେହି ଥକାକୁ କିଛି ମାତ୍ରାରେ ହ୍ରାସ ପାଇଁ ଏହି ଦିନ ଆନନ୍ଦ ଉଲ୍ଲାସର ସହିତ କବାଡି ଓ ତାସ୍ ଖେଳନ୍ତି, ଗୁଡି ଉଡାନ୍ତି, କୁକୁଡା ଲଢେଇର ମଜା ନେଇଥାନ୍ତି। ସମସ୍ତେ ଏହି ଦିନ ଆମିଷ ସେବନ କରନ୍ତି। ଲଢେଇ ପ୍ରତିଯୋଗିତାରେ ହାରି ଯାଇଥିବା କୁକୁଡା ଓ ବୋଦାର ମାଂସକୁ ମଧ୍ୟ ଭୋଜିକରି ଖିଆଯାଇଥାଏ।
ଚତୁର୍ଥ ଦିନ:
ପୋଙ୍ଗଲ ପର୍ବର ଚତୁର୍ଥ ଦିନକୁ ମୁକାନୁମା କୁହାଯାଇଥାଏ। ଯଦି ତୃତୀୟ ଦିନ ଆମିଷ ଖାଇବା ବାର ପଡି ନଥାଏ ତେବେ ଏହି ଦିନରେ ଆମିଷ ଖିଆଯାଇଥାଏ। ଏହି ଦିନର ଅନ୍ୟ ଏକ ବିଶେଷତ୍ୱ ହେଉଛି ନବ ବିବାହିତା ଝିଅମାନେ ଶାଶୁ ଘରେ ଶାଶୁ ଘରର ପିତୃ ପୁରୁଷଙ୍କୁ ଚିହ୍ନିଥାନ୍ତି ଓ ତାଙ୍କୁ ପୂଜାକରି ଭୋଗ ଖାଇସାରିବା ପରେ ନୂଆ ଲୁଗା ପିନ୍ଧିଥାନ୍ତି। ଏହା ପରେ ସ୍ୱାମୀ ସହ ନିଜ ପିତୃ ଗୃହକୁ ଯାଇଥାନ୍ତି।
କାହିଁକି ଉଡାଯାଏ ଗୁଡି:
ମକର ସଂକ୍ରାନ୍ତିରେ ଗୁଡି ଉଡେଇବାର ପରମ୍ପରା ମଧ୍ୟ ବିଜ୍ଞାନ ସହିତ ଜଡିତ। ସୂର୍ଯ୍ୟଙ୍କ ଉତ୍ତରାୟଣ କାରଣରୁ ପୃଥିବୀପୃଷ୍ଠକୁ ଯେଉଁ କିରଣ ଆସେ ତାହା ଶରୀର ପାଇଁ ଅତ୍ୟନ୍ତ ଉପକାରୀ । ଏହା ଶରୀରକୁ ସୁସ୍ଥ ରଖିବା ସହିତ ଚର୍ମ ଏବଂ ହାଡ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
ଏହି କାରଣରୁ ଗୁଡି ଉଡେଇବା ଦ୍ୱାରା ଆମେ ସୂର୍ଯ୍ୟ କିରଣରେ କିଛି ସମୟ ବିତାଇଥାଉ, ଯାହା ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରେ। ଏହି ସମୟରେ ଆମେ ପ୍ରାୟ ମୁହଁକୁ ଉପରକୁ ରଖୁ। ଫଳରେ ସୂର୍ଯ୍ୟ କିରଣ ମୁହଁରେ ପଡିବାରୁ ମୁଖ ସମ୍ବନ୍ଧୀୟ ରୋଗ ଦୂର ହୁଏ।