ଖଣ୍ଡଗିରି ମାଘ ମେଳାରେ ଡମ୍ବରୁ ବାବା-ଷ୍ଟାଣ୍ଡିଂ ବାବା-ହରି ବାବା-ଡକ୍ଟର ବାବା

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ । ତପୋଭୂମି ଖଣ୍ଡଗିରିରେ ପ୍ରସିଦ୍ଧ ମାଘ ମେଳା ଆରମ୍ଭ ।

Magha Mela

ଆସ୍ଥାର ଅଭୂତପୂର୍ବ ସମାବେଶ । ପରଂପରାର ବିରାଟ ପଟୁଆର । ମାଘ ସପ୍ତମୀ ଏକ ଆସ୍ଥାର ପର୍ବ । ପାପ କ୍ଷୟ ଓ ରୋଗ ମୁକ୍ତ ବିଶ୍ୱାସ ନେଇ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏପଟେ ତପୋଭୂମୀ ଖଣ୍ଡଗିରି ପାଦଦେଶରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମାଘ ମେଳା । ଯେଉଁଠିକୁ ଭଳିକି ଭଳି ସାଧୁ ସନ୍ଥଙ୍କ ସମାଗମ ହୋଇଛି । ହୋମଯଜ୍ଞ ଓ ନାମ କୀର୍ତ୍ତନରେ ଚଉଦିଗ କଂପୁଛି ।

ଶୁକ୍ରବାର ସଂଜରୁ ଶନିବାର ସକାଳ, ରାତି ତମାମ ଚନ୍ଦ୍ରଭାଗା ବେଳାଭୂମିରେ ମାଘ ସପ୍ତମୀ ବୁଡ଼ ଅପେକ୍ଷାରେ ଲହଡ଼ି ଭାଙ୍ଗୁଥିଲେ ଭକ୍ତ । ସମୁଦ୍ର ନିକଟରେ ଅସ୍ଥାୟୀ ଟେଣ୍ଟରେ ଥାଇ ଅପେକ୍ଷା ଥିଲା ମାହେନ୍ଦ୍ର ସ୍ନାନ ବେଳାକୁ । ହେଲେ ତା ଭିତରେ ବାଲିରେ ଚୂଲି କରି ମାଟି ହାଣ୍ଡିରେ କ୍ଷୀରି ରାନ୍ଧି ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଅର୍ପଣର ବିଧି ଥିଲା ବେଶ୍ ଅନନ୍ୟ । ଏପଟେ ବାଜା, ରୋଷଣୀରେ ବିମାନରେ ବିରାଜି ଆଗ ପଛ ହୋଇ ମହାସ୍ନାନ ପାଇଁ ରାତି ୩ଟା ୫୦ରେ ଚନ୍ଦ୍ରଭାଗା ପାପନାଶିନୀ ପୁଷ୍କରିଣୀ ମଣ୍ଡପକୁ ବିଜେ କରିଥିଲେ ପ୍ରଭୁ ତ୍ରିବେଣୀଶ୍ୱର, ଐଶାନେଶ୍ୱର ଓ ଦକ୍ଷିଣେଶ୍ୱର । ଆଉ ସେତେବେଳେ ସାଧୁସନ୍ଥଙ୍କ ଦ୍ୱାରା ତୀର୍ଥ ପୁଷ୍କରିଣୀ ଆଳତୀରେ ସୃଷ୍ଟି ହୋଇଥିଲା ଆଧ୍ୟତ୍ମିକତାର ଅସରନ୍ତି ଅନୁଭବ ।

ଠାକୁରମାନଙ୍କ ମହାସ୍ନାନ ପରେ ଭୋର୍ ଠିକ୍ ୪ଟା ୪୧ ମିନିଟ୍‌ରେ ଆରମ୍ଭ ହୋଇଥିଲା ଶ୍ରଦ୍ଧାଳୁଙ୍କ ମାଘ ବୁଡ଼ । ବ୍ୟାରିକେଡ୍ ଭିତରୁ ବାହାରି ଲକ୍ଷ ଲକ୍ଷ ଭକ୍ତ ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ଼ ପକାଇ ସୂର୍ଯ୍ୟ ଭଗବାନଙ୍କୁ ଆରାଧନା କରିଥିଲେ । ବିଶ୍ୱାସ ରହିଛି ଏହି ଦିନ ଭଗବାନ କୃଷ୍ଣଙ୍କ ପୁଅ ଶାମ୍ବ ଏହି ସ୍ଥାନରେ ତପସ୍ୟା କରି ବ୍ୟାଧି ମୁକ୍ତ ହୋଇଥିଲେ ଓ ଏହି ଦିନ କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରତିଷ୍ଠା ହୋଇଥିଲା ।

ସେପଟେ ସକାଳେ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କରି ଭକ୍ତମାନେ ସିଧା କୋଣାର୍କ ସୂର୍ଯ୍ୟ ମନ୍ଦିର ମୁହାଁ ହୋଇଥିଲେ । ସେଥିପାଇଁ ଆଜି ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥିଲା । ସେହିପରି ଶାମ୍ବ ଦଶମୀରୁ ଆରମ୍ଭ ହୋଇଥିବା ସୂର୍ଯ୍ୟ ନାରାୟଣଙ୍କ ରଥ ଯାତ୍ରା ଆଜି ଚନ୍ଦ୍ରଭାଗା ତୀର୍ଥକ୍ଷେତ୍ରରୁ ବାହୁଡିଛି । କୋଣାର୍କ ମାଘବୁଡ଼ ଯାତ୍ରା ପାଇଁ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଥିଲା ।

ଏପଟେ ଭୁବନେଶ୍ୱରର ଖଣ୍ଡଗିରି ପାହାଡ଼ ପାଦଦେଶରେ ବି ଆରମ୍ଭ ହୋଇଛି ମାଘ ମେଳା । ଅଖଣ୍ଡ ଧୂନି ପ୍ରଜ୍ୱଳନ, ଭଜନ କୀର୍ତ୍ତନ, ହୋମ ଯଜ୍ଞରେ କମ୍ପିଲାଣି ତପୋଭୂମୀର ଚଉଦିଗ । ମାଘ ପୂର୍ଣ୍ଣମୀ ଯାଏଁ ଚାଲିବ ଜପ-ତପ, ସେଥିପାଇଁ ଦେଶର କୋଣ ଅନୁକୋଣରୁ ଆସିଛନ୍ତି ଭଳିକି ଭଳି ସାଧୁ ସନ୍ଥ । ଯାହାଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଡମ୍ବରୁ ବାବା, ଷ୍ଟାଣ୍ଡିଂ ବାବା, ହରି ବାବା, ଡକ୍ଟର ବାବା ଇତ୍ୟାଦି । କିଏ ଶିବଲିଙ୍ଗ ସ୍ଥାପନା କରୁଛି ତ କିଏ ଅୟୁର୍ବେଦ ପ୍ରେସକ୍ରିପସନ୍ ଲେଖୁଛି । ପୁଣି କିଏ ଏକ ଗୋଡ଼ିଆ ଛିଡ଼ା ହୋଇ ଭକ୍ତଙ୍କୁ ଆଶିର୍ବାଦ ଦେଉଛି ।

ତେବେ ବିଦେଶୀ ଭକ୍ତ ବି ନାମ ଜପରୁ ବାଦ୍ ପଡ଼ିନାହାନ୍ତି । ବିଭୂତି ବୋଳା ନାଗା ସାଧୁ ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି । ଅନେକ ନିଜ ଭାଗ୍ୟ ଭବିଷ୍ୟତ ଜାଣିବାକୁ ବି ବାବାଙ୍କ ପାଖେ ଭିଡ଼ ଜମାଉଛନ୍ତି । ତେବେ ଧିରେ ଧିରେ ଖଣ୍ଡଗିରି ମୁଣ୍ଡିଆରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ଆସନ୍ତା ୩୦ ତାରିଖରୁ ଏଠି ଯାତ୍ରା ମହାସମର ଆରମ୍ଭ ହେବ । ବିଭିନ୍ନ ପେଣ୍ଡାଲରେ ୧୨ଟି ଯାତ୍ରା ଦଳ ସେମାନଙ୍କ ଜଲଓ୍ୱା ଦେଖାଇବେ । ୨ବର୍ଷର କଟକଣା ପରେ ଖଣ୍ଡଗିରି ମାଘ ମେଳା ଉପଭୋଗ ପାଇଁ ରାଜଧାନୀ ବାସୀ ବି ଉତ୍କଣ୍ଠାରେ ଅପେକ୍ଷା କରିଛନ୍ତି । ସେପଟେ ବିଏମ୍‌ସି ପକ୍ଷରୁ ଆଲୋକ ଓ ପରିମଳ ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ଅଭିଯୋଗ ହୋଇଛି । ସେପଟେ ବାଲେଶ୍ୱରର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠରେ ବି ମାଘ ମେଳା ଆରମ୍ଭ ହୋଇଛି, ଯେଉଁଠି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ।