International Mother Language Day: ଭାରତର ଏକ ପ୍ରାଚୀନ ଭାଷା ଓଡ଼ିଆ; କ’ଣ ଏହାର ମୂଳ ଆଧାର

ପ୍ରତ୍ୟେକ ଅଞ୍ଚଳର ଏକ ସ୍ୱତନ୍ତ୍ର ମାତୃଭାଷା ରହିଛି। ସେଥିମଧ୍ୟରୁ ଓଡ଼ିଆ ଗୋଟିଏ। ଏହା ହେଉଛି ଓଡ଼ିଶାର ମାତୃଭାଷା। ଏହି ଭାଷା ଅନେକ ବାଧାବିଘ୍ନ ଦେଇ ଗତିକରିଛି। ଏହି ଭାଷାର ଉନ୍ନତି ପାଇଁ ଅନେକ ମହାପୁରୁଷ ସେମାନଙ୍କ ଶ୍ରମଦାନ ଦେଇଛନ୍ତି। ଆସନ୍ତୁ ସଂକ୍ଷେପରେ ଏହା ବିଷୟରେ ଜାଣିନେବା।

ଭାରତର ଏକ ପ୍ରାଚୀନ ଭାଷା ଓଡ଼ିଆ; କ’ଣ ଏହାର ମୂଳ ଆଧାର

ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୨୧ ଫେବୃଆରୀରେ ‘ଆନ୍ତର୍ଜାତୀୟ ମାତୃଭାଷା ଦିବସ’ ପାଳନ କରାଯାଏ। ଏହି ଦିନ ସୋସିଆଲ ମିଡିଆ, କର୍ମଶାଳା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱର ଲୋକମାନେ ‘ଆନ୍ତର୍ଜାତୀୟ ମାତୃଭାଷା ଦିବସ’ ପାଳନ କରନ୍ତି, ଯାହା ଦ୍ୱାରା ମାତୃଭାଷାର ମହତ୍ତ୍ୱ ନିର୍ଣ୍ଣୟ କରାଯାଇପାରିବ, ଯାହା ଏକ ଶିଶୁ ତା’ ମା’ଠାରୁ ଶିଖିଥାଏ।

ପ୍ରତ୍ୟେକ ଅଞ୍ଚଳର ଏକ ସ୍ୱତନ୍ତ୍ର ମାତୃଭାଷା ରହିଛି। ସେଥିମଧ୍ୟରୁ ଓଡ଼ିଆ ଗୋଟିଏ। ଏହା ହେଉଛି ଓଡ଼ିଶାର ମାତୃଭାଷା। ଏହି ଭାଷା ଅନେକ ବାଧାବିଘ୍ନ ଦେଇ ଗତିକରିଛି। ଏହି ଭାଷାର ଉନ୍ନତି ପାଇଁ ଅନେକ ମହାପୁରୁଷ ସେମାନଙ୍କ ଶ୍ରମଦାନ ଦେଇଛନ୍ତି। ସେ ମଧୁସୂଦନ ଦାସ ହୁଅନ୍ତୁ କି ଗୋପବନ୍ଧୁ ଦାସ ବା ଫକିର ମୋହନ ସେନାପତି, ମଧୁସୂଦନ ରାଓ ଆଦି ସାହିତ୍ୟିକଙ୍କ ଅକ୍ଳାନ୍ତ ଉଦ୍ୟମ ରହିଛି।

ଅଧିକ ପଢ଼ନ୍ତୁ: ଭାଷା ହେଉଛି ଏକ ସାଧନ ଯାହା ଲୋକଙ୍କୁ ପରସ୍ପର ସହିତ ଯୋଡିଥାଏ

ଓଡ଼ିଆ ହେଉଛି ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା। ଓଡ଼ିଶା ସମେତ ଏହା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ ମଧ୍ୟ ଓଡ଼ିଆ ଭାଷା କୁହାଯାଇଥାଏ। ଏହା ଓଡ଼ିଶାର ସରକାରୀ ଭାଷା ହୋଇଥିବା ବେଳେ ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା।

କେଉଁଠି ପ୍ରଚଳିତ:

ପଶ୍ଚିମବଙ୍ଗର ମେଦିନୀପୁର ସମେତ ଝାଡ଼ଖଣ୍ଡର ସିଂହଭୂମି ଜିଲ୍ଲା, ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗର ଓ ବିଶାଖାପଟନମ ଜିଲ୍ଲା, ଛତିଶଗଡ଼ର ପୂର୍ବ ଜିଲ୍ଲା ଓ ନାଗପୁର ଅଞ୍ଚଳରେ ବହୁଳ ଭାବରେ କୁହାଯାଏ। ଗୁଜରାଟର ସୁରଟ ଭାରତର ଦ୍ୱିତୀୟ ଓଡ଼ିଆ ଭାଷା ବହୁଳ ଅଞ୍ଚଳ। ଏହାଛଡା ବେଙ୍ଗାଲୁରୁ, ହାଇଦ୍ରାବାଦ, ପଣ୍ଡିଚେରୀ, ଚେନ୍ନାଇ, ଗୋଆ, ମୁମ୍ବାଇ, ଜାମ୍‌ସେଦପୁର, ବରୋଦା, ରାୟପୁର, ଅହମଦାବାଦ, ଦିଲ୍ଲୀ, କଲିକତା, ଖଡ଼ଗପୁର, ଗୁଆହାଟୀ, ପୁନେ ଓ ସିଲଭାସା ଆଦି ସହରରେ ଓଡ଼ିଆ ଭାଷାଭାଷୀ ଲୋକ ଦେଖାଯାନ୍ତି ।

ମୂଳ ଆଧାର:

ଓଡ଼ିଆଭାଷାର ମୂଳ ଉତ୍ସ ହେଉଛି ଗୁମ୍ଫାଲେଖ। ୨୦ହଜାର ବର୍ଷ ତଳେ କଳାହାଣ୍ଡିର ଗୁଡହାଣ୍ଡିରୁ ମିଳିଥିବା ଚିତ୍ର, ନୂଆପଡାର ଯୋଗୀମଠରୁ ୧୦ହଜାର ବର୍ଷ ତଳର ମିଳିଥିବା ଚିତ୍ରଲିପି ଓ ଝାରସୁଗୁଡାର ବିକ୍ରମଖୋଲରୁ ମିଳିଥିବା ୩୫୦୦ବର୍ଷ ତଳ ଗୁମ୍ଫାଲିପି ହେଉଛି ଓଡ଼ିଆ ଭାଷାର ମୂଳ ଆଧାର।

ଯୋଗୀମଠର ଚିତ୍ରଲିପିରେ ନାରଙ୍ଗୀ ରଙ୍ଗରେ ଲିଖିତ “ଠ” ଲିପି ଆଜି ପର୍ଯ୍ୟନ୍ତ ଓଡ଼ିଆ ସମେତ ସମସ୍ତ ଭାରତୀୟ ଲିପିମାଳାରେ ଅବିକଳ ଭାବରେ ବ୍ୟବହୃତ।

ଇତିହାସ:

ମୂଳ ଓଡ଼ିଆ ଭାଷା ପାଲି ଓ ଔଡ୍ରୀ ପ୍ରାକୃତରୁ ସିଧା ସୃଷ୍ଟି ହୋଇଥିବା ଭାଷା ବିଜ୍ଞାନୀମାନେ ପ୍ରମାଣ ଦିଅନ୍ତି। ଏହି ଭାଷା ଭାରତରରେ ୨,୫୦୦ ବର୍ଷରୁ ଅଧିକ ବୋଲି କୁହାଯାଏ। ଏହା ମଧ୍ୟ ବୌଦ୍ଧ ଧର୍ମର ତ୍ରିପିଟକ ଓ ଜୈନ ଧର୍ମଗ୍ରନ୍ଥର ମୂଳ ଭାଷା ଥିଲା। ଭାରତୀୟ ଅନ୍ୟାନ୍ୟା ଭାଷା ତୁଳନାରେ ଓଡ଼ିଆ ଖୁବ କମ ଭାବେ ପାରସୀ ଓ ଆରବୀ ଭାଷା ଦ୍ୱାରା ପ୍ରଭାବିତ।

ଧଉଳିଠାରୁ ମିଳିଥିବା ଅଶୋକଙ୍କ ସମୟର ଶିଳାଲେଖ, ଜଉଗଡ଼ର ଶିଳାଲେଖ ଆଉ ଖାରବେଳଙ୍କ ସମୟରେ ତିଆରି ଖଣ୍ଡଗିରି ଓ ହାତୀଗୁମ୍ଫାର ଶିଳାଲେଖ ଓଡ଼ିଆ ଭାଷାର ମୂଳ ଇତିହାସର ସୂଚନା ଦିଏ। ହାତିଗୁମ୍ଫାର ଶିଳାଲେଖରୁ ଜଣାଯାଏ ଯେ ଆଧୁନିକ ଓଡ଼ିଆ ଭାଷାର ମୂଳ ହେଉଛି ପାଲି ଭାଷା। ହାତିଗୁମ୍ଫାର ଶିଳାଲେଖରେ ଲେଖା ଭାଷା ହେଉଛି ପାଲି ଆଉ ଲିପି ହେଉଛି ବ୍ରାହ୍ମୀ।

ତେବେ ଏହି ଶିଳାଲେଖ ହିଁ ପ୍ରମାଣ କରିଦିଏ ଯେ ଓଡ଼ିଆ ଭାଷା ଅନ୍ୟ ଭାଷାଠାରୁ ପୁରାତନ। ସଂସ୍କୃତ ଭାଷାର ପ୍ରଭାବରେ ପୁରୁଣା ପାଲି ଭାଷାରେ ଅନେକ ଜାଗାରେ ଶବ୍ଦ ସବୁ ବଦଳିଯାଇଛି। ତେବେ ଓଡ଼ିଆରେ ବିଦେଶୀ ଭାଷାର ପ୍ରଭାବ ଖୁବ କମ ଦେଖାଯାଏ ଯାହାକି ଅନ୍ୟ ଭାରତୀୟ ଭାଷାଠାରୁ ଖୁବ କମ।

ଓଡ଼ିଆ ଶବ୍ଦର ବ୍ୟବହାର ୭ମ ଶତାବ୍ଦୀର ତାଳପତ୍ରରେ ଦେଖିବାକୁ ମିଳେ। ବିଶେଷକରି ନେପାଳ ରାଜଦରବାରରୁ ସଂଗୃହୀତ ବୌଦ୍ଧ ଆଚାର୍ଯ୍ୟଙ୍କ ଦ୍ୱାରା ରଚିତ ଚର୍ଯ୍ୟାସାହିତ୍ୟ ହେଉଛି ପ୍ରାଚୀନ ଓଡ଼ିଆ ଶବ୍ଦାବଳୀର ଗନ୍ତାଘର। ସେହିପରି ଭଦ୍ରକରୁ ମିଳିଥିବା ୯ମ ଶତାବ୍ଦୀରେ ଲିଖିତ ଶିଳାଲେଖରେ 'ଦେବ କହି ଭକତି କରୁଣ ବୋଲନ୍ତି ଭୋ କୁମାର ଶେଣ' ହେଉଛି ଓଡ଼ିଆ ଭାଷାରେ ରଚିତ ସ୍ୱୟଂସଂପୂର୍ଣ୍ଣ ଓଡ଼ିଆ ଶବ୍ଦ।

ଶାସ୍ତ୍ରୀୟ ମାନ୍ୟତା:

୨୦ ଫେବୃଆରୀ ୨୦୧୪ ଥିଲା ଓଡ଼ିଆ ଭାଷା ପାଇଁ ଆଉ ଏକ ଐତିହାସିକ ଦିନ। ଏହି ଦିନ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେଇଥିଲେ। ଏହି ମାନ୍ୟତା ପାଇବାରେ ଓଡ଼ିଆ ହେଲା ଷଷ୍ଠ ଭାଷା। ଏହା ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ ଓ ମାଲାୟାଲମ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇ ସାରିଥିଲେ।

ତେବେ ୨୦୧୪ ମସିହା ମାର୍ଚ୍ଚ ୧୧ତାରିଖ ଦିନ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ରାଜପତ୍ର ବିଜ୍ଞପ୍ତି ଜାରି କରାଗଲା। ୨୦୧୫ ମସିହାରୁ ଏହି ଦିନଟିକୁ ‘ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ’ ରୂପେ ପାଳନ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଥିଲେ।

ଅଧିକ ପଢ଼ନ୍ତୁ: ଅନ୍ତର୍ଜାତୀୟ ମାତୃଭାଷା ଦିବସର ଗୁରୁତ୍ୱ ଓ ଇତିହାସ