How Are the Gajapati Maharaja’s Sacred Numbers Calculated?
ଓଡିଶାରେ ଓଡିଆ ପାଞ୍ଜିର ଆରମ୍ଭ ହୁଏ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିଠାରୁ। ଏହି ଦିନଟିକୁ ହିଁ ଓଡ଼ିଆମାନେ ନବବର୍ଷ ଭାବରେ ପାଳନ କରିଥାନ୍ତି। କିନ୍ତୁ ଓଡିଶାରେ ଓଡିଆଙ୍କର ରାଜକୀୟ ନବବର୍ଷ ପାଳନ ହୁଏ ସୁନିଆଁଠାରୁ। ଏହି ସୁନିଆଁ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ଦ୍ଵାଦଶୀ ଦିନ ପଡିଥାଏ। ସୁନିଆଁ ହେଉଛି ଓଡ଼ିଆ ରାଜାଙ୍କ ରାଜତ୍ଵ ଅଙ୍କ ଗଣନା ବର୍ଷର ପ୍ରଥମ ଦିନ। ଓଡିଶାର ରାଜା ହେଉଛନ୍ତି ଉତ୍କଳୀୟ ଜନଜୀବନ, ସଂସ୍କୃତି, ଭକ୍ତି ତଥା ଧର୍ମୀୟ ଚେତନାର ଅଖଣ୍ଡ ଅଧୀଶ୍ଵର ପ୍ରଭୁ ଶ୍ରୀ ଜଗନ୍ନାଥ। ମାଦଳା ପାଞ୍ଜିରେ ମଧ୍ୟ ଜଗନ୍ନାଥଙ୍କୁ ଓଡିଶାର ରାଜା ବୋଲି କୁହାଯାଇଛି। ଜଗନ୍ନାଥଙ୍କ ଆଦ୍ୟ ସେବକ ପୁରୀ ଗଜପତି ରାଜା, ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥଙ୍କ ତତ୍ତ୍ୱାବଧାରକ ଭାବେ ଓଡ଼ିଶାରେ ଜଗନ୍ନାଥଙ୍କ ପ୍ରତିନିଧି ବା ଚଳନ୍ତି ବିଷ୍ଣୁ ଭାବରେ ସମ୍ମାନ ପାଆନ୍ତି। ତେଣୁ ତାଙ୍କ ଶାସନର ଆରମ୍ଭ ଦିନ ସୁନିଆଁକୁ ଏକ ସମ୍ମାନସ୍ପଦ ପବିତ୍ର ଦିବସ ଭାବେ ଗ୍ରହଣ କରାଯାଏ।
ସୁନିଆଁ ପର୍ବର ମହତ୍ତ୍ୱ
ସୁନିଆଁ ହେଉଛି ଓଡିଶାର ଶାସକୀୟ ବର୍ଷ ଆରମ୍ଭର ପ୍ରଥମ ଦିନ। ରାଜାମାନେ ପ୍ରଜାମାନଙ୍କଠାରୁ ରାଜସ୍ୱ ଆଦାୟ ଏହି ଦିନରୁ ଆରମ୍ଭ କରନ୍ତି। ତେଣୁ ସୁନିଆଁ ଉଭୟ ରାଜା ଓ ପ୍ରଜାଙ୍କ ପାଇଁ ବର୍ଷ ଆରମ୍ଭର ପ୍ରଥମ ଦିନ। ଏହି ଦିନ ପ୍ରଜାମାନେ ରାଜଭକ୍ତିର ନିଦର୍ଶନ ରୂପେ ରାଜାଙ୍କୁ ‘ସୁନିଆ ଭେଟି’ ବା ଉପହାର ପ୍ରଦାନ କରୁଥିଲେ। ସେହିପରି ରାଜା ମଧ୍ୟ ପ୍ରଜାଙ୍କ ମଙ୍ଗଳ ପାଇଁ ଦେବ ଆରାଧନା ଓ ଯାଗଯଜ୍ଞ ଆଦି କରୁଥିଲେ। ରାଜାମାନେ ଫସଲ ଅମଳ ପରେ ପ୍ରଜାଙ୍କଠାରୁ ରାଜସ୍ୱ ଗ୍ରହଣ କରି ରାଜକୋଷକୁ ସମୃଦ୍ଧ କରି ଦିଗବିଜୟରେ ବାହାରୁଥିଲେ।
ବର୍ଷାଋତୁ ପରେ ଶରତ ଋତୁରେ ସୈନ୍ୟମାନଙ୍କର ପରିବାର ପାଇଁ ଖାଦ୍ୟପେୟର ଉତ୍ତମ ବ୍ୟବସ୍ଥା କରି ରାଜା ସେମାନଙ୍କୁ ଯୁଦ୍ଧ କାମରେ ନିଯୁକ୍ତ କରୁଥିଲେ। ନୂତନ ବର୍ଷର ଶୁଭ ସଙ୍କେତକୁ ଆଖିରେ ରଖି ଓ ଭଗବାନ୍ ବାମନଙ୍କ ପରାକ୍ରମକୁ ଅନୁସରଣ କରି, ରାଜାମାନେ ଦେଶ ଜୟ କରିବାର ଇଛା ପ୍ରକାଶ କରୁଥିଲେ। କାରଣ ବାମନ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଦଶ ଅବତାର ମଧ୍ୟରୁ ଗୋଟିଏ। ବାମନ ନିଜର କୁଶଳୀ ରାଜନୀତିକ ବୁଦ୍ଧି ଯୋଗୁଁ ପ୍ରବଳ ପ୍ରତାପୀ ଦାନବ ରାଜା ବଳୀକୁ ପାତାଳକୁ ଚାପି ଦେଇ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳକୁ ନିଜ ପାଦ ତଳେ ରଖିଥିଲେ। ଭାଦ୍ରବ ମାସ ଶୁକ୍ଳ ଦ୍ଵାଦଶୀ ଦିନ ସୁନିଆଁ ପର୍ବ ସହିତ ଓଡ଼ିଶାରେ ବାମନ ଜନ୍ମ ମଧ୍ୟ ପାଳିତ ହୁଏ।
ସୁନିଆ ନାମର ତାତ୍ପର୍ଯ୍ୟ
ସୁନା ଶବ୍ଦ ସହିତ ଏ ସୁନିଆ ଶବ୍ଦ ସମ୍ପର୍କିତ ବୋଲି ଅନୁମାନ କରାଯାଇପାରେ। କିମ୍ବା ଏହି ଦିନଟି ବର୍ଷ ଆରମ୍ଭର ପ୍ରଥମ ଦିନ ହୋଇଥିବାରୁ ରାଜା ରାଜସ୍ୱ ଗ୍ରହଣ କରି ଓ ପ୍ରଜା ଋଣ ପରିଶୋଧ କରି ଖୁସି ହେଉଥିବାରୁ, ‘ସୁ’ ବା ‘ଭଲ’ ଅର୍ଥରେ ଏଇ ଦିନଟିକୁ ସୁନିଆ କୁହାଯାଇପାରେ। କେତେକଙ୍କ ମତରେ ସୁନିଆଁ ହେଉଛି ପୁରାଣର ଇନ୍ଦ୍ରଦ୍ୟୁମ୍ନଙ୍କ ଜନ୍ମତିଥି। ପରମ୍ପରା କ୍ରମେ ସେହି ତିଥିକୁ ସୁ ବା ଶୁଭ ଭାବରେ ବିଚାର କରି ସୁନିଆ ବା ସୁନିଆଁ ପାଳିତ ହେଉଛି।
ଅଙ୍କକଟା
ପାରମ୍ପରିକ ପ୍ରଥା ଅନୁସାରେ, ଭାଦ୍ରବ ଶୁକ୍ଳ ଦ୍ଵାଦଶୀରେ ‘ସୁନିଆ’ ପର୍ବ ପାଳିତ ହୋଇଥାଏ। ଏହିଦିନ ଗୋଟିଏ ସୁନା ମୋହରରେ ଗଜପତି ମହାରାଜାଙ୍କ ରାଜତ୍ବର ପୂର୍ବବର୍ଷର ଅଙ୍କ କାଟି, ନୂତନ ବର୍ଷର ଅଙ୍କ ଖୋଦିତ ହୁଏ। ଏହାକୁ ‘ଅଙ୍କକଟା’ କୁହାଯାଏ। ଏହି ‘ସୁନା’ମୋହରରୁ ‘ସୁନିଆ’ ହୋଇଛି ବୋଲି ଅନେକଙ୍କର ମତ। ଏହି ଅଙ୍କ କଟାଇବା ବେଳେ ସୁନା ମୋହରର ଆକୃତିରୁ ଆଗାମୀ ବର୍ଷର ଶୁଭାଶୁଭ ଶକୁନ ବିଚାର କରାଯାଏ। ସେଥିପାଇଁ ‘ସୁନା’ ଶବ୍ଦ ସହିତ ଏହି ସୁନିଆଁ ଶବ୍ଦର ସମ୍ପର୍କ ଥିବା ଅନୁମାନ କରାଯାଏ।
ସୁନିଆଁ ଦିନରୁ ଅଙ୍କ ଗଣନା ଆରମ୍ଭ କାହିଁକି
ପୌରାଣିକ ମତରେ, ଆଷାଢ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ, ଚତୁର୍ମାସ୍ୟା ନାମରେ ନାମିତ। ଶ୍ରୀହରି ଆଷାଢ ଶୁକ୍ଳ ଏକାଦଶୀ ଦିନ ଶୟନ କରନ୍ତି ଏବଂ କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ସେ ନିଦରୁ ଉଠନ୍ତି। କାରଣ ମଣିଷ ମାନଙ୍କର ଏକବର୍ଷ ହେଉଛି ଦେବତାମାନଙ୍କର ଏକଦିନ। ତେଣୁ ଦେବତାମାନେ ଆଠଘଣ୍ଟା ଶୋଇବା, ମଣିଷ ମାନଙ୍କର ଚାରିମାସ ସହିତ ସମାନ। ହରି ୪ ଘଣ୍ଟା ଶୋଇବା ପରେ ଅର୍ଥାତ ପୃଥିବୀପୃଷ୍ଠରେ ଦୁଇମାସ ପରେ, ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ, କଡ଼ ଲେଉଟାନ୍ତି ଏବଂ ଉଠିବା ପାଇଁ ପ୍ରସ୍ତୁତ ହୁଅନ୍ତି। ତେଣୁ ଭାଦ୍ରବ ଶୁକ୍ଳ ଏକାଦଶୀ ଦିନଟି ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନାମରେ ମଧ୍ୟ କଥିତ ହୋଇଥାଏ। ଏହି ପାର୍ଶ୍ୱ ପରିବର୍ତ୍ତନ ପରେ ଦେବ ଉତ୍ଥାନର ବ୍ରାହ୍ମ ମୁହୂର୍ତ୍ତକୁ କଳ୍ପନା କରି ଭାଦ୍ରବ ଶୁକ୍ଳ ଦ୍ଵାଦଶୀଠାରୁ ସୁନିଆ ବର୍ଷ ଆରମ୍ଭ ହୋଇଥାଏ। ବାମନ, ଭାଦ୍ର ବା ଭାଦ୍ରବ ଏବଂ ଶୁକ୍ଳ ଏସବୁ ମଙ୍ଗଳବାଚକ ଶବ୍ଦ ତେଣୁ ଏଦିନଟି ଶୁଭ। ସେଥିପାଇଁ ଭାଦ୍ରବ ଶୁକ୍ଳ ଦ୍ଵାଦଶୀଠାରୁ ଅଙ୍କ ଗଣନାର ଆରମ୍ଭ ହୋଇଥିବା ଅନୁମାନ କରାଯାଏ।
ଅଙ୍କ ଗଣନାର ନିୟମ
ଓଡ଼ିଶା ରଜାମାନଙ୍କର ଅଙ୍କ ଗଣନା ବେଳେ ପ୍ରଥମରୁ ୦ ଓ ୧ ବ୍ୟତୀତ ଏବଂ ଏକକ ସ୍ଥାନରେ ଛଅ ଥିବା ସମସ୍ତ ଅଙ୍କ ବାଦ୍ ଦେଇ ପ୍ରଥମ ବର୍ଷଟିକୁ ଦୁଇ ଅଙ୍କରୁ ଆରମ୍ଭ କରାଯାଇଥାଏ। ଫଳରେ ରାଜତ୍ୱର ପ୍ରଥମ ବର୍ଷଟି ରାଜାଙ୍କ ଦ୍ୱିତୀୟ ଅଙ୍କ ଭାବରେ ଗଣନା କରାଯାଏ ଏବଂ ତା ପରେ କ୍ରମଶଃ ୨, ୩, ୪, ୫, ୭, ୮, ୯, ୧୦, ୧୧, ୧୨, ୧୩, ୧୪, ୧୫, ୧୭, ୧୮, ୧୯, ୨୦, ୨୧, ୨୨ ଇତ୍ୟାଦି ରାଜତ୍ଵ ଅଙ୍କ ଭାବରେ ପରିଗଣିତ ହୁଅନ୍ତି। ଏହା ଫଳରେ ରାଜତ୍ଵ କରିଥିବା ପ୍ରକୃତ ବର୍ଷଠାରୁ ଅଙ୍କ ଗଣନାର ବର୍ଷ କିଛିଟା ଅଧିକ ହୋଇଥାଏ।
ଜମିଦାରୀ ପ୍ରଥା ଉଚ୍ଛେଦ ହେବା ପରେ ବର୍ତ୍ତମାନ ସୁନିଆଁ ପର୍ବ ଅନ୍ୟ ପର୍ବ ପରି ଉତ୍ସାହର ସହ ପାଳିତ ହେଉନାହିଁ। କିନ୍ତୁ ଏବେବି ସ୍ମୃତି ସ୍ୱରୂପ ଜମିଦାରମାନେ ଏହି ଦିନଟି ପାଳନ କରି ସୁନା ମୋହରରେ ଅଙ୍କ କାଟନ୍ତି କିମ୍ୱା ପରମ୍ପରା କ୍ରମେ ସାଇତି ରଖିଥିବା ସୁନା ମୋହରକୁ ପୂଜା କରନ୍ତି। ଏହି ଦିନଠାରୁ ଉତ୍କଳରେ ଜନ୍ମ ହେଉଥିବା ଶିଶୁମାନଙ୍କର ଜାତକରେ ଗଜପତି ମହାରାଜାଙ୍କ ନାଁ ସହ ତାଙ୍କ ଶାସନ ବର୍ଷର ନୂଆଅଙ୍କ ଲେଖାହୋଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756901399.jpg)