ଆଜି ପବିତ୍ର ଅଁଳା ନବମୀ: କାହିଁକି ମହିଳାମାନେ ଅଁଳା ଗଛରେ ବାନ୍ଧିଥାନ୍ତି ନାଲି ସୂତା, ଜାଣନ୍ତୁ...

ଭୋର ସମୟରୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା ଆରମ୍ଭ ହେବ । ପ୍ରଥମେ ସେବାୟତ ଓ ମନ୍ଦିର କର୍ମଚାରୀ ରାଧାପାଦ ଦର୍ଶନ କରିବେ ।

Aanla Nabami

ଆଜି ପବିତ୍ର ଅଁଳା ନବମୀ । ଏହି ଅବସରରେ ଆଜି ଭକ୍ତ କରିବେ ରାଧା ପାଦ ଦର୍ଶନ । ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ମନ୍ଦିର ରଙ୍ଗ କାମ ସାଙ୍ଗକୁ ବ୍ୟାରିକେଡ ନିର୍ମାଣ, ପାନୀୟ ଜଳ, ପାର୍କିଂ ଆଦି ସବୁ ସରିଲାଣି । ଏବେ କେବଳ ମା ରାଧାରାଣୀ ଭକ୍ତଙ୍କୁ ଦର୍ଶନ ଦେବା ଅପେକ୍ଷାରେ l ଏହି ଦିନରେ ଶ୍ରୀରାଧାଙ୍କୁ ଭକ୍ତମାନେ ଓଡ଼ିଆଣୀ ବେଶରେ ଦର୍ଶନ କରିବାର ସୁଯୋଗ ପାଇବେ ।

ଶ୍ରୀରାଧାଙ୍କୁ ପାରମ୍ପରିକ ଗହଣା, ସୁବର୍ଣ୍ଣ କିରିଟୀ, ଦ୍ରାବିଡ଼ ଚନ୍ଦ୍ର, ମଥାମଣି, ମୟୂର ବସାଗୁଣା, ନୁଥ, ଚାପସରି, ଡେଉଁରିଆ, ପଣସକଣ୍ଟା, ଖଡୁ, ପାଉଁଜି, ପାଦପଦ୍ମ ଝୁଣ୍ଟିଆ ପ୍ରଭୃତି ଲାଗି କରାଯାଇଛି । ଭିତର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ମଇଲମ, ମର୍ଦ୍ଦନ, ଅବକାଶ ପରେ ସାକ୍ଷୀଗୋପାଳଙ୍କୁ ନଟବର ବେଶରେ ଏବଂ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ସଜ୍ଜିତ କରାଯିବ । ଭୋର ସମୟରୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା ଆରମ୍ଭ ହେବ । ପ୍ରଥମେ ସେବାୟତ ଓ ମନ୍ଦିର କର୍ମଚାରୀ ରାଧାପାଦ ଦର୍ଶନ କରିବେ ।

ହେଲେ ଏଥର ଅଁଳାନବମୀରେ ଭକ୍ତଙ୍କୁ ରାଧା ପାଦ ଦର୍ଶନ ସୁଯୋଗ ମିଳିଥିଲେ ବି ଛୁଇଁବା ପାଇଁ ଅନୁମତି ମିଳିନାହିଁ । ସାକ୍ଷୀଗୋପାଳରେ ରାଧା ପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ନାହିଁ ବୋଲି କହିଛନ୍ତି ପୁରୀ ଏସପି । ଶୃଙ୍ଖଳିତ ଦର୍ଶନ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ଅଫିସରଙ୍କୁ ମୁତୟନ କରାଯାଇଛି । ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

ପବିତ୍ର ଅଁଳା ନବମୀରେ ରାଧା ପାଦ ଦର୍ଶନ ପାଇଁ ପୁରୀ ସାକ୍ଷୀଗୋପାଳରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଲମ୍ବା ଧାଡ଼ିରେ ଯାଇ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରୁଛନ୍ତି। କରୋନା ପାଇଁ ୨ ବର୍ଷ ପରେ ଦର୍ଶନର ସୁଯୋଗ ମିଳିଥିବାରୁ ଏ ସୁଯୋଗକୁ ଭକ୍ତମାନେ ହାତଛଡ଼ା କରିବାକୁ ଚାହିଁ ନାହାନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ଅଫିସରଙ୍କୁ ମୁତୟନ କରାଯାଇଛି।

ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୧ଟା ସମୟରେ ଦ୍ୱାରଫିଟା ନୀତି ପାଳନ ହୋଇଥିଲା। ଏହାପରେ ସାଢେ ୧ଟାରେ ମଙ୍ଗଳ ଆଳତି, ସାଢେ ୧ଟାରୁ ୩ଟା ମଧ୍ୟରେ ବେଶ, ମଇଲମ, ମର୍ଦ୍ଦନ, ଅବକାଶ, ନଟବର ବେଶ ଅନୁଷ୍ଠିତ ହୋଇଥିଲା। ଭୋର ସାଢେ ୫ଟାରେ ମନ୍ଦିର କର୍ମଚାରୀ ଏବଂ ସେବାୟତ ଦର୍ଶନ କରିଥିଲେ। ଏହାପରେ ସକାଳ ୬ଟା ପରଠାରୁ ସାହାଣମେଲା ଦର୍ଶନ ଚାଲିଛି। ଧାଡ଼ିରେ ଆସି ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ। ଏହି ଦର୍ଶନ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ପାଳିଆ ପରିବର୍ତ୍ତନ ଲାଗି ଅପରାହ୍ନ ୫ଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ପୁଣିଥରେ ସନ୍ଧ୍ୟା ୬ଟାରୁ ରାତି ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ ସାହାଣମେଲା ଦର୍ଶନ। 

Sakhigopala
 

କାର୍ତ୍ତିକ ମାସର ଶୁକ୍ଳପକ୍ଷର ନବମୀକୁ ଅଁଳା ନବମୀ ଭାବେ ପାଳନ କରାଯାଏ । ଏହାକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ । ଚଳିତ ବର୍ଷ ଅକ୍ଷୟ ନବମୀ କିମ୍ବା ଅଁଳା ନବମୀ ନଭେମ୍ବର ୨ରେ ପାଳନ କରାଯାଉଛି । ଏହି ଦିନ ଅଁଳା ବୃକ୍ଷକୁ ପୂଜାର୍ଚ୍ଚନା କରିବାର ନିୟମ ରହିଛି । ତେଣୁ ଏହାକୁ ଅଁଳା ନବମୀ ବୋଲି କୁହାଯାଏ । ମାନ୍ୟତା ଅନୁଯାୟୀ, ଅଁଳା ବୃକ୍ଷରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି । କାର୍ତ୍ତିକ ଶୁକ୍ଳ ନବମୀରେ ଅଁଳା ବୃକ୍ଷକୁ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ । ଜୀବନରେ ଖୁସି, ସୁଖସମୃଦ୍ଧି, ଧନସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ । ଅଁଳା ନବମୀରେ ଅଁଳା ବୃକ୍ଷର ପରିକ୍ରମା କରାଯାଇଥାଏ । ଏହାସହ ସୂତା ବନ୍ଧାଯାଇଥାଏ । ମାନ୍ୟତା ଅନୁଯାୟୀ ଅଁଳା ବୃକ୍ଷର ପରିକ୍ରମା କରି ସୂତା ବାନ୍ଧିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

ଏହିଦିନ ଅଁଳା ବୃକ୍ଷ ତଳେ ସାତ୍ତ୍ୱିକ ଭୋଜନ କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ମିଳିଥାଏ । ପଦ୍ମପୁରାଣ ଅନୁଯାୟୀ, ଅଁଳା ନବମୀ ଦିନ ଏହି ବୃକ୍ଷର ପୂଜା କରିବା ଦ୍ୱାରା ପାପ ନଷ୍ଟ ହୋଇଥାଏ । ତେଣୁ ଏହାକୁ ଅକ୍ଷୟ ନବମୀ କୁହାଯାଏ । ଭଗବାନ ବିଷ୍ଣୁ ଏହି ବୃକ୍ଷରେ ବାସ କରିଥାଆନ୍ତି ବୋଲି ମାନ୍ୟତା ଥିବାରୁ ଏହି ବୃକ୍ଷର ପୂଜାର୍ଚ୍ଚନା ଦ୍ୱାରା ଧନ, ବିବାହ, ସନ୍ତାନ, ଦାମ୍ପତ୍ୟ ଜୀବନ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ଅଁଳା ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ । ଏହିଦିନ ଅଁଳା ବୃକ୍ଷ ତଳେ ବସି ଭୋଜନ କରିବା ସହ ଅସହାୟଙ୍କୁ ଭୋଜନ କରାଇବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ ।

କିମ୍ବଦନ୍ତୀ ରହିଛି, ସାକ୍ଷୀଗୋପାଳ ଠାକୁର ସାକ୍ଷୀଗୋପାଳରେ ପ୍ରତିଷ୍ଠିତ ହେବା ପରେ ଠାକୁର ଏଠାରେ ଏକୁଟିଆ ହୋଇଗଲେ। ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ବୃନ୍ଦାବନରେ ରହିଗଲେ। ଠାକୁର ଶ୍ରୀ ଶ୍ରୀ ରାଧାରାଣୀଙ୍କୁ ଝୁରି ହେଲେ। ଠାକୁରଙ୍କ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଝିଅ ଲକ୍ଷ୍ମୀ ପ୍ରତ୍ୟେକ ଦିନ ମନ୍ଦିରକୁ ଠାକୁରଙ୍କୁ ଦର୍ଶନ ନିମନ୍ତେ ଆସିଥାନ୍ତି । ସେ ଦୀର୍ଘ ସମୟ ଧରି ଠାକୁରଙ୍କୁ ଅପଲକ ନୟନରେ ଦେଖୁଥାନ୍ତି। କାଳକ୍ରମେ ଲକ୍ଷ୍ମୀ ବଡ଼ ହେଲେ। ଠାକୁର ରାତିରେ ଲକ୍ଷ୍ମୀଙ୍କ ଘରକୁ ନିୟମିତ ଯିବାଆସିବା କଲେ। ଥରେ ଠାକୁର ଲକ୍ଷ୍ମୀଙ୍କ ଘରେ ସୁବର୍ଣ୍ଣ ବଂଶୀ ଛାଡି ଆସିଥିଲେ। ବଡ଼ ପଣ୍ଡାଙ୍କ ଘରୁ ସୁବର୍ଣ୍ଣ ବଂଶୀ ମିଳିବା ଖବର ରାଜାଙ୍କ କାନକୁ ଗଲା।

ରାଜା ବଡ଼ ପଣ୍ଡାଙ୍କୁ ଦଣ୍ଡ ଦେବା ନିମନ୍ତେ ସ୍ଥିର କଲେ। ରାତିରେ ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଲକ୍ଷ୍ମୀ ରୂପରେ ଜନ୍ମ ଗ୍ରହଣ କରିଛନ୍ତି। ଲକ୍ଷ୍ମୀଙ୍କ ଅବିକଳ ସୁବର୍ଣ୍ଣ ପ୍ରତିମା ନିର୍ମାଣ କରି ବାମ ପାର୍ଶ୍ୱରେ ସ୍ଥାପନ କରିବା ନିମନ୍ତେ ଠାକୁର ସ୍ୱପ୍ନାଦେଶ କଲେ। ରାଜା ଦଶ ସହସ୍ର ସୁବର୍ଣ୍ଣ ମହୁଡ଼ରେ ଲକ୍ଷ୍ମୀଙ୍କ ଅବିକଳ ପ୍ରତିମୂର୍ତ୍ତି ନିର୍ମାଣ ଆରମ୍ଭ କଲେ। ପ୍ରତିମୂର୍ତ୍ତି ନିର୍ମାଣ ଦିନଠାରୁ ଲକ୍ଷ୍ମୀ ଅସୁସ୍ଥ ହୋଇପଡିଲେ। ପ୍ରତିମୂର୍ତ୍ତିରେ ଜୀବନ୍ୟାସ ଦେବା ଦିନ ଲକ୍ଷ୍ମୀ ପ୍ରାଣତ୍ୟାଗ କଲେ। ପ୍ରାଣତ୍ୟାଗ ପରେ ଠାକୁରଙ୍କ ସିଂହଦ୍ୱାର ସମ୍ମୁଖରେ ଲକ୍ଷ୍ମୀଙ୍କର ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଥିଲା।

ଏହି ସ୍ଥାନ ମଶାଣିଆ ମହାବୀର ନାମରେ ପରିଚିତ। ଲକ୍ଷ୍ମୀଙ୍କ ଅନ୍ତିମ ସଂସ୍କାର ସ୍ଥଳ ଓ ଠାକୁର ଏକ ସରଳ ରେଖାରେ ରହିଛନ୍ତି। ଏହି ଉପାସନା ଠାକୁର ଓ ମାନବୀ ପ୍ରେମର ସ୍ମୃତି ମନେ ପକାଉଛି। ଏ ସମ୍ପର୍କରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ, ପୂଜା ପଣ୍ଡା ତଥା ଗବେଷକ ସତ୍ୟ ନାରାୟଣ ମହାପାତ୍ରଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସେ କହିଲେ, କିମ୍ବଦନ୍ତୀରୁ ସତ୍ୟ ବାହାର କରିବା ଯେପରି କଷ୍ଟ ସେହିପରି କିମ୍ବଦନ୍ତୀକୁ ଅବିଶ୍ୱାସ କରିବା ମଧ୍ୟ କଷ୍ଟ।