Astrospeak
  • Live TV
  • Read In English

Independence Day 2023: ସ୍ୱାଧୀନତା ସଂଗ୍ରାମର ଲେଲିହାନ ଶିଖାକୁ ଡେଇଁଥିବା ୭ ଭାରତୀୟ ନାରୀ

ଦେଶ ମା’କୁ ଗୋରାମାନଙ୍କ କବଳରୁ ମୁକ୍ତ କରିବା ନେଇ ଅନେକ ସଂଗ୍ରାମୀ ହସି ହସି ଫାଶୀକୁ କୋଳେଇ ନେଇଥିଲେ। ସେହି ସମୟରେ ଦେଶରେ ଏପରି ଅନେକ ନାରୀ ମଧ୍ୟ ଥିଲେ, ଯେଉଁମାନେ ସ୍ୱାଧୀନତାର ନିଆଁରେ ଘିଅ ଢାଳିଥିଲେ। ତେବେ ଆସନ୍ତୁ ସେହି ମହିୟସୀମାନଙ୍କୁ ଜାଣିନେବା।

7 indian women freedom fighters
ସ୍ୱାଧୀନତା ସଂଗ୍ରାମର ଲେଲିହାନ ଶିଖାକୁ ଡେଇଁଥିବା ୭ ଭାରତୀୟ ନାରୀ

ସ୍ୱାଧୀନତା ଦିବସକୁ ନେଇ ପୂରା ଭାରତ ଉତ୍ସବମୁଖର। ଜାତୀୟ ସଂଗୀତ, ଜାତୀୟ ବନ୍ଦନା, ଜାତୀୟ ଭାବନା ସମସ୍ତଙ୍କ ଭିତରେ ଗୁଞ୍ଜରିତ। ସମସ୍ତେ ଏହି ସ୍ୱାଧୀନତା ଉତ୍ସବକୁ ନିଜ ନିଜ ସ୍ତରରେ ପାଳନ କରନ୍ତି। ଏହି ଅବସରରେ ଭାରତକୁ ସ୍ୱାଧୀନତା ଦେଇଥିବା ଅମର ସହିଦମାନଙ୍କୁ ସ୍ମରଣ କରାଯାଏ।

ବ୍ରିଟିଶ ଦାସତ୍ୱର ଶିକୁଳିରୁ ଦେଶକୁ ଉଦ୍ଧାର କରିବା ପାଇଁ ରାଜା ମହାରାଜାଙ୍କ ସମୟରେ ଅନେକ ସ୍ୱାଧୀନତା ସଂଗ୍ରାମୀ ସାମିଲ ଥିଲେ। କିନ୍ତୁ ୧୮୫୭ର ବିପ୍ଳବ ପରେ ସ୍ୱାଧୀନ ଭାରତର ସ୍ୱପ୍ନ ଅଧିକ ଶକ୍ତିଶାଳୀ ହୋଇଥିଲା।

ଅଧିକ ପଢ଼ନ୍ତୁ: ବିକାଶର ରାସ୍ତାରେ ଆଗେଇ ଚାଲିଛି ଭାରତ; ପାଇଲାଣି ଅନେକ ଉପଲବ୍ଧି

ବ୍ରିଟିଶ ନୀତି ବିରୋଧରେ ନରମପନ୍ଥୀ ସମେତ ଚରମପନ୍ଥୀମାନେ ମୁଣ୍ଡ ଟେକିଥିଲେ। ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କ ପରି ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ମା’ ପାଇଁ ହସି ହସି ଫାଶୀକୁ କୋଳେଇ ନେଇଥିଲେ। ଏହି ସମସ୍ତ ବୀରମାନଙ୍କ ଗାଥା ଆଜି ବି ଲୋକଙ୍କ ଶିରାରେ ରକ୍ତ ଫୁଟାଇଥାଏ।

ସେହି ସମୟରେ ଦେଶରେ ଏପରି ଅନେକ ନାରୀ ମଧ୍ୟ ଥିଲେ, ଯେଉଁମାନେ ସ୍ୱାଧୀନତାର ନିଆଁରେ ଘିଅ ଢାଳିଥିଲେ। ଏହି ବୀରାଙ୍ଗନା ବା ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ସ୍ୱାଧୀନତା ପାଇଁ ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଶତ୍ରୁ ସହ ଲଢିଥିଲେ। ତେବେ ଆସନ୍ତୁ ସେହି ମହିୟସୀମାନଙ୍କୁ ଜାଣିନେବା।

ରାଣୀ ଲକ୍ଷ୍ମୀବାଇ:

ଯଦି ଜଣେ ମହିଳା ବିପ୍ଳବୀଙ୍କ କଥା ମନକୁ ଆସେ ତେବେ ସର୍ବପ୍ରଥମେ ଆପେ ଆପେ ମନେପଡିଯିବେ ଝାନ୍‌ସୀ ରାଣୀ ଲକ୍ଷ୍ମୀ ବାଇ। ଦେଶର ପ୍ରଥମ ମହିଳା ବିପ୍ଳବୀ ରାଣୀ ଲକ୍ଷ୍ମୀ ବାଇ ନିଜ ମାଟି ଏବଂ ପୁଅର ସୁରକ୍ଷା ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢିଥିଲେ। ପିଠିରେ ପୁଅ ଏବଂ ହାତରେ ଖଣ୍ଡା ଧରି ଶହ ଶହ ବ୍ରିଟିଶ ସୈନ୍ୟକୁ ମାରି ଯୁଦ୍ଧ ଭୂମିରେ ଗଡେଇ ଦେଇଥିଲେ। ବ୍ରିଟିଶ ରାଜ୍ ବିରୋଧରେ ଲଢି ଶେଷରେ ସହିଦ ହୋଇଯାଇଥିଲେ।

ଅଧିକ ପଢ଼ନ୍ତୁ: ଦେଶ ପାଇଁ ପ୍ରାଣବଳୀ ଦେଇଥିବା ୧୦ ଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ

ଦୁର୍ଗାବତୀ ଦେବୀ:

ଦୁର୍ଗାବତୀ ଦେବୀ ଇତିହାସରେ ଦୁର୍ଗା ଭାବୀ ନାମରେ ଜଣାଶୁଣା। ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କ ପରି ଦୁର୍ଗା ଭାବୀଙ୍କୁ ଦେଶ ପାଇଁ ଫାଶୀ ଦିଆଯାଇ ନ ଥାଇପାରେ କିନ୍ତୁ ସେ ସେମାନଙ୍କ କାନ୍ଧରେ କାନ୍ଧ ମିଶେଇ ସ୍ୱାଧୀନତା ସଂଗ୍ରାମକୁ ଲଢିଥିଲେ। ସେମାନଙ୍କ ପ୍ରତ୍ୟେକ ଆକ୍ରମଣାତ୍ମକ ଯୋଜନାର ଏକ ଅଂଶ ହୋଇଥିଲେ।

ଦୁର୍ଗା ଭାବୀ ବୋମା ତିଆରି କରିବା ମଧ୍ୟ ଶିଖିଥିଲେ। ଯେତେବେଳେ ଦେଶର ବୀରପୁତ୍ରମାନେ ବ୍ରିଟିଶ ସହ ଲଢିବା ପାଇଁ ଘରୁ ବାହାରକୁ ଆସୁଥିଲେ ସେ ସେମାନଙ୍କୁ ଟୀକା ଲଗେଇ ବିଜୟ ପଥରେ ପଠାଉଥିଲେ। ତାଙ୍କୁ ଭାରତର ଆଇରନ୍ ଲେଡି ମଧ୍ୟ କୁହାଯାଇପାରେ।

ସୁଚେତା କୃପାଳିନୀ:

୧୯୦୮ ମସିହାରେ ହରିୟାଣାର ଅମ୍ବାଲାରେ ଜନ୍ମଗ୍ରହଣ କରିଥିବା ସୁଚେତା କୃପାଳିନୀ ସ୍ୱାଧୀନ ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଜଣାଶୁଣା। ସେ ଦେଶ ସ୍ୱାଧୀନତା ପାଇଁ ମଧ୍ୟ ଆନ୍ଦୋଳନରେ ଭାଗ ନେଇଥିଲେ। ଭାରତ ଛାଡ ଆନ୍ଦୋଳନ ସମୟରେ ସେ ପ୍ରଥମ ମୋର୍ଚ୍ଚାରେ ଠିଆ ହୋଇଥିଲେ। ଦେଶକୁ ବ୍ରିଟିଶରମାନଙ୍କ ଦାସତ୍ୱରୁ ମୁକ୍ତ କରିବା ପାଇଁ ସେ ସ୍ୱର ଉତ୍ତୋଳନ କରିଥିଲେ। ଭାରତ ବିଭାଜନ ସମୟରେ ଦଙ୍ଗାରେ ମହାତ୍ମା ଗାନ୍ଧୀଙ୍କ ସହ ମିଶି ସୁଚେତା ମଧ୍ୟ କାମ କରିଥିଲେ। ସେ ଜୟ ପ୍ରକାଶ ନାରାୟଣଙ୍କ ସହ ମିଶି ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇଥିଲେ।

କସ୍ତୁରବା ଗାନ୍ଧୀ:

ସ୍ୱାଧୀନତା ସଂଗ୍ରାମରେ ଅହିଂସା ପଥ ଅନୁସରଣ କରି ମହାତ୍ମା ଗାନ୍ଧୀ ଦେଶକୁ ସ୍ୱାଧୀନତା ଦେବା ପାଇଁ ଲଢୁଥିଲେ। କସ୍ତୁରବା ଗାନ୍ଧୀ ତାଙ୍କର ପ୍ରତ୍ୟେକ ପଦକ୍ଷେପରେ ବାପୁଙ୍କ ପଦାଙ୍କ ଅନୁସରଣ କରୁଥିଲେ। ସେ ସ୍ୱାଧୀନତା ପାଇଁ ଭୁଲିଗଲେ ଯେ ମହାତ୍ମା ଗାନ୍ଧୀ ତାଙ୍କ ସ୍ୱାମୀ ଥିଲେ। ସେ ବାପୁଙ୍କ ସହ ପତି ଧର୍ମ ବଦଳରେ ତାଙ୍କ ଶକ୍ତି ହୋଇ ତାଙ୍କୁ ସଂଘର୍ଷ କରିବା ନେଇ ସାହସ ଯୋଗେଇ ଚାଲିଲେ। ଏକ ଧନୀ ପରିବାରର ଝିଅ ମହାତ୍ମା ଗାନ୍ଧୀଙ୍କ ସହିତ ଆଶ୍ରମରେ ରହିବାକୁ ଲାଗିଲେ। ନିଜ କାମ ପାଇଁ ସେ ପ୍ରତ୍ୟେକ ଦେଶବାସୀଙ୍କ 'ବା' ହୋଇଗଲେ।

ବିଜୟ ଲକ୍ଷ୍ମୀ ପଣ୍ଡିତ:

ବିଜୟ ଲକ୍ଷ୍ମୀ ପଣ୍ଡିତ ଏକ ସମ୍ଭ୍ରାନ୍ତ ପରିବାରର ଥିଲେ। ସେ ଜବାହରଲାଲ ନେହରୁଙ୍କ ଭଉଣୀ ଥିଲେ ମଧ୍ୟ ଦେଶ ପାଇଁ ସ୍ୱାଧୀନତା ସଂଗ୍ରାମକୁ ଡେଇଁଥିଲେ। ଆନ୍ଦୋଳନରେ ଭାଗ ନେଇଥିବାରୁ ତାଙ୍କୁ ଜେଲ୍ ଯିବାକୁ ପଡିଥିଲା, କିନ୍ତୁ ସେ ଡରି ନଥିଲେ। ବିଜୟ ଲକ୍ଷ୍ମୀ ପଣ୍ଡିତ ଭାରତୀୟ ରାଜନୀତି ଇତିହାସରେ ପ୍ରଥମ ମହିଳା ମନ୍ତ୍ରୀ ହୋଇଥିଲେ। କେବଳ ଏତିକି ନୁହେଁ ସେ ମିଳିତ ଜାତିସଂଘର ପ୍ରଥମ ମହିଳା ମୁଖ୍ୟ ତଥା ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରଦୂତ ମଧ୍ୟ ହୋଇଥିଲେ।

କମଳା ନେହରୁ:

୧୯୧୬ ମସିହାରେ ଜବାହରଲାଲ ନେହରୁଙ୍କୁ ବିବାହ କରିଥିବା କମଳା ନେହରୁ ପତିଙ୍କ ସହ ମିଶି ବିଭିନ୍ନ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ସେ ମଧ୍ୟ ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ୟୁନାଇଟେଡ୍ ପ୍ରୋଭିନ୍ସ (ବର୍ତ୍ତମାନ ଉତ୍ତରପ୍ରଦେଶ) ରେ ନୋ ଟ୍ୟାକ୍ସ ଅଭିଯାନ ଆୟୋଜନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସରୋଜିନୀ ନାଇଡୁ:

ସରୋଜିନୀ ନାଇଡୁ ଭାରତର ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ଅନ୍ୟତମ। ସେ ଭାରତର ମହିଳାମାନଙ୍କୁ ଜାଗ୍ରତ କରିବା ପାଇଁ ବିଶେଷ ଭୂମିକା ଗ୍ରହଣ କରିଥିଲେ। ସେ ୧୯୨୫ ମସିହାରେ କାନପୁର ଅଧିବେଶନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଭାରତୀୟ ମହିଳା ସଭାପତି ଥିଲେ। ୧୯୨୮ ମସିହାରେ ସେ ଗାନ୍ଧିଜୀଙ୍କ ଠାରୁ ଅହିଂସା ଆନ୍ଦୋଳନର ବାର୍ତ୍ତା ନେଇ ଆମେରିକା ଯାଇଥିଲେ। ଯେତେବେଳେ ୧୯୩୦ରେ ଗାନ୍ଧୀଙ୍କୁ ଗିରଫ କରାଯାଇଥିଲା, ସରୋଜିନୀ ଆନ୍ଦୋଳନର ମୁଖ୍ୟ କାର୍ପଟଦାର ହୋଇଥିଲେ।