ତୁର୍କୀ ଅଭିଯାନର ଅଭୁଲା ଅନୁଭୂତି ବଖାଣିଲେ ଓଡ଼ିଆ ଯବାନ

ଅସଂଖ୍ୟ ଧରାଶାୟୀ କୋଠା ତଳୁ ଅସହାୟତାର ଚିତ୍କାର ଶୁଭୁଥିଲା । ଠିକ୍ ସେତିକି ବେଳେ, ବିପଦ ବେଳର ବନ୍ଧୁ ସାଜି ସେଠି ପହଞ୍ଚିଥିଲେ ଅପରେସନ ଦୋସ୍ତର ଦେବଦୂତ । ଏନଡିଆରଏଫ୍ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ମାତ୍ର ୬ ଘଣ୍ଟା ଭିତରେ ଭାରତୀୟ ସେନା ତିଆରି କରିଦେଇଥିଲା ୩୦ ବେଡ୍ ବିଶିଷ୍ଟ ସିକ୍ସଟି ପାରା ଫିଲ୍ଡ ହସ୍ପିଟାଲ ।

ବିପଦ ବେଳର ବନ୍ଧୁ ଅପରେସନ ଦୋସ୍ତର ଦେବଦୂତ

ଭୂମିକଂପ କ୍ଷତିଗ୍ରସ୍ତ ତୁର୍କୀରେ ସଫଳତାର ସହ ସମାପ୍ତ ହୋଇଥିବା ଅପରେସନ୍ ଦୋସ୍ତ୍ କଥା କିଏ ବା ନଜାଣେ । ହେଲେ ଜାଣିଛନ୍ତି କି, ଏହି ଅପରେସନ ଦୋସ୍ତରେ ସାମିଲଥିଲେ ଜଣେ ଓଡ଼ିଆ ଯବାନ ।

ତୁର୍କୀ ହାତାୟର ସ୍କାନ୍ଦେରୁନରେ ଭାରତୀୟ ସେନା ପକ୍ଷରୁ ସ୍ଥାପିତ ସିକ୍ସଟି ପାରା ଫିଲ୍ଡ ହସ୍ପିଟାଲରେ ନିୟୋଜିତ ଥିଲେ ପାରାଟ୍ରୁପର୍ ନାଏକ୍ ବିବେକାନନ୍ଦ ଦେହୁରୀ । ଭାରତ ଫେରିବା ପରେ, ଓଟିଭିକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ ସେ ବଖାଣିଛନ୍ତି ତାଙ୍କର ତୁର୍କୀ ଅନୁଭୂତି ।

ଯେତେବେଳେ ଭୂକଂପ ପୀଡ଼ିତ ତୁର୍କୀରେ ହାହାକାର ପଡ଼ିଥିଲା । ଅସଂଖ୍ୟ ଧରାଶାୟୀ କୋଠା ତଳୁ ଅସହାୟତାର ଚିତ୍କାର ଶୁଭୁଥିଲା । ଠିକ୍ ସେତିକି ବେଳେ, ବିପଦ ବେଳର ବନ୍ଧୁ ସାଜି ସେଠି ପହଞ୍ଚିଥିଲେ ଅପରେସନ ଦୋସ୍ତର ଦେବଦୂତ । ଏନଡିଆରଏଫ୍ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ମାତ୍ର ୬ ଘଣ୍ଟା ଭିତରେ ଭାରତୀୟ ସେନା ତିଆରି କରିଦେଇଥିଲା ୩୦ ବେଡ୍ ବିଶିଷ୍ଟ ସିକ୍ସଟି ପାରା ଫିଲ୍ଡ ହସ୍ପିଟାଲ ।

ଅଧିକ ପଢ଼ନ୍ତୁ: ତୁର୍କୀରେ ପୁଣି ଭୂକମ୍ପ ! ଦୁଇ ଦୁଇ ଥର ଥରିଲା...

ଆମ ଓଡ଼ିଶା ପାଇଁ ଗର୍ବର କଥା, ଏହି ହସ୍ପିଟାଲରେ କାର୍ଯ୍ୟରତ ଯବାନଙ୍କ ମଧ୍ୟରେ ଥିଲେ ଜଣେ ନିର୍ଭୀକ ଓଡ଼ିଆ ପୁଅ । ଅନୁଗୁଳର ପାରାଟ୍ରୁପର୍ ନାଏକ୍ ବିବେକାନନ୍ଦ ଦେହୁରୀ । ଦୀର୍ଘ ୧୦ ଦିନର ଅଭିଯାନ ସାରି ଭାରତ ଫେରିବା ପରେ, ଓଟିଭିକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ ବଖାଣିଛନ୍ତି ନିଜ ତୁର୍କୀ ଅଭିଯାନର ଅଭୁଲା ଅନୁଭୂତିକୁ ।

ବିବେକାନନ୍ଦଙ୍କ କହିବା ଅନୁସାରେ, ତୁର୍କୀର ହାତାୟ ରେ ଏକ ଅପେକ୍ଷାକୃତ ସ୍ୱଳ୍ପ କ୍ଷତିଗ୍ରସ୍ତ ସ୍କୁଲ କୋଠାରେ ଖୋଲାଯାଇଥିଲା ସିକ୍ସ୍ଟି ପାରାଫିଲ୍ଡ ହସ୍ପିଟାଲ । ପ୍ରଥମ ଦିନ ଅଳ୍ପ ଲୋକ ଆସିଥିଲେ ସେଠାକୁ ଚିକିତ୍ସାର ଆଶା ନେଇ । ହେଲେ ତା ପରଦିନ ଯେତେବେଳେ ସମସ୍ତେ ଜାଣିଲେ ଯେ, ସ୍କୁଲ କୋଠାରେ ଭାରତର ଏକ ହସ୍ପିଟାଲ ଖୋଲିଛି, ପ୍ରତିଦିନ ଶହ ଶହ ବିପନ୍ନଙ୍କ ସୁଅ ଛୁଟିଥିଲା ସେଠାକୁ ।

୧୦ ଦିନର ରହଣି ଭିତରେ ସେଠି ପ୍ରାୟ ୪ହଜାର ଆହତଙ୍କ ଚିକିତ୍ସା କରାଯାଇଥିବା ସରକାରୀ ସୂଚନା ରହିଛି । ତୁର୍କୀବାସୀଙ୍କ ଭାଷା ବୁଝିବା ପାଇଁ ସେଠାରେ ଇଣ୍ଟରପ୍ରିଟର ନିଯୁକ୍ତ ଥିଲେ ବୋଲି କହିଛନ୍ତି ବିବେକାନନ୍ଦ । ଆଉ ତା ସହ ଖୁସିରେ ଗଦ୍-ଗଦ ହୋଇ କହିଛନ୍ତି, ଲୋକମାନେ କାନ୍ଦି କାନ୍ଦି ଆସୁଥିଲେ, ଆଉ ହସି ହସି ଫେରୁଥିଲେ ।

କୃତଜ୍ଞତାର କରତାଳିରେ ଫାଟିପଡ଼ୁଥିଲା ସେହି ହସ୍ପିଟାଲ ପରିସର । ଭାରତୀୟ ସେନା ଡାକ୍ତର ଓ ଯବାନଙ୍କୁ ଆଲିଙ୍ଗନ କରି ବିଦାୟ ଜଣାଇଥିଲେ ତୁର୍କୀବାସୀ । ଭାରତ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ ମଧ୍ୟ ସାବାସୀ ଦେଇଛନ୍ତି ଏହି ଦେବଦୂତ ମାନଙ୍କର ସାହସ, ସାମର୍ଥ୍ୟ ଓ ସେବା ମନୋବୃତ୍ତି ପାଇଁ ।