ଓଟଭି IMPACT: ଖବର ପ୍ରସାରଣ ପରେ ହଟୁଛନ୍ତି ଗାଦିମଡ଼ା ବାବୁ

ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୪ ଜଣ ଅଫିସରଙ୍କୁ ହଟାଯାଇଥିବାବେଳେ ଆଜି ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀଙ୍କୁ ହଟାଯାଇଛି ।

OTV Impact

ଓଟଭି IMPACT । ଓଟିଭିରେ ଖବର ବାଜିବା ପରେ ଆକ୍ସନ ମୁଡ୍‌ରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ଜୁନ୍‌ ୨୭ରେ ଲୋକସେବା ଭବନରେ ଗାଦିମଡ଼ା ବାବୁଙ୍କ ସମ୍ପର୍କରେ ଏକ ଖବର ପ୍ରସାରଣ ହୋଇଥିଲା । ଆଉ ଏହି ଖବର ବାଜିବା ପରେ ପୂରା ଆକ୍ସନ ମୁଡ୍‌ରେ ନୂଆ ସରକାର । ଲୋକସେବା ଭବନରେ ଗାଦି ମାଡ଼ି ବସିଥିବା ଜଣକ ପରେ ଜଣେ ବାବୁଙ୍କୁ ହଟାଯାଉଛି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୪ ଜଣ ଅଫିସରଙ୍କୁ ହଟାଯାଇଥିବାବେଳେ ଆଜି ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀଙ୍କୁ ହଟାଯାଇଛି ।

ସରକାରୀ ଚାକିରିରୁ ଅବସରରେ ପରେ ବି ସୁଡା ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ ସାରଦା ପ୍ରସାଦ ପଣ୍ଡା । ଆଜି ତାଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ରବୀନ୍ଦ୍ର କୁମାର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଅବସର ପରେ ପୌର ନିର୍ଦ୍ଦେଶକ ଥିବା ସଂଗ୍ରାମଜିତ୍‌ ନାୟକଙ୍କୁ ମଧ୍ୟ ହଟାଯାଇଛି । ତାଙ୍କ ସ୍ଥାନରେ ଦେବାଶିଷ ସିଂଙ୍କୁ ପୌର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି ।

ସେହିପରି ଗତକାଲି CMOରୁ ୪ ଅଫିସରଙ୍କୁ ହଟାଯାଇଥିଲା । ସିଏମ୍ଓରେ କାର୍ଯ୍ୟରତ ୪ ଅଫିସରଙ୍କୁ ସାଧାରଣ ପ୍ରଶାସନ ବିଭାଗ ବା GAକୁ ଫେରାଯାଇଛି । ଲାଲା ମନୋଜ କୁମାର ରାୟ, ରବୀନ୍ଦ୍ର କୁମାର ସେଠୀ ଜିଏକୁ ଫେରିଛନ୍ତି । ସେହିପରି ଶୁଭ୍ରାଂଶୁ ମିଶ୍ର ଏବଂ ମନୋଜ କୁମାର ସ୍ବାଇଁ ମଧ୍ୟ ଜିଏ ବିଭାଗକୁ ଫେରିଛନ୍ତି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସିଏମ୍ଓରେ କାର୍ଯ୍ୟରତ ଥିଲେ ।

ସୂଚନା ଅନୁସାରେ ଗତ ଜୁନ୍‌ ୭ରେ ଲୋକସେବା ଭବନରେ କିପରି ଗଣ୍ଡା ଗଣ୍ଡା ଓଏଏସ୍‌ ବାବୁ ଗାଦି ମାଡ଼ି ବସିଛନ୍ତି ସେନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା । କିଏ ୮ ବର୍ଷ ତ କିଏ ୧୦ ବର୍ଷରୁ ଅଧିକ ସମୟ ଧରି ଲୋକସଭା ଭବନରେ ରହିଛନ୍ତି । ଅନ୍ୟ ସ୍ଥାନକୁ ବଦଳି କଥା ଛାଡନ୍ତୁ ଲୋକସେବା ଭବନରେ ସେମାନଙ୍କ ବିଭାଗ ବି ବଦଳୁନି । ବିଜେଡି ଶାସନ ସମୟରେ ଖାଲି ଅଣଓଡ଼ିଆ IAS ଅଧିକାରୀ ପାୱାରଫୁଲ୍ ନଥିଲେ କିଛି OAS ଅଫିସର ବି ଶାସକ ଦଳର ହାତବାରିସୀ ସାଜିଥିଲେ ବୋଲି ଚର୍ଚ୍ଚା ହେଉଥିବା ଖବର ଓଟିଭିରେ ବାଜିଥିଲା ।

ଲୋକସେବା ଭବନରେ ଗାଦି ମାଡ଼ି ବସିଥିବା ବାବୁଙ୍କ ମଧ୍ୟରେ ଥିଲେ ରବି ସେଠୀ। ସେ ହେଉଛନ୍ତି ଯାଜପୁର ପୂର୍ବତନ ବିଜେଡି ସାଂସଦ ଶର୍ମିଷ୍ଠା ସେଠୀଙ୍କ ସ୍ୱାମୀ । ପ୍ରଥମେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ପରେ ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଥାଇ ନଭେମ୍ବର ୨୦୨୩ରେ ତାଙ୍କର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର OSD ଭାବେ ବଦଳି ହୋଇଥିଲା । ହେଲେ ୨୦୧୬ ରୁ ରବି ସେଠୀ ଅନୌପଚାରିକ ଭାବେ ନବୀନ ନିବାସ ଆଉ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରି ଆସୁଥିଲେ। ଆଉ ଦଳୀୟ ବ୍ୟପାର କଥା ବି ବୁଝୁଥିବା ଅଭିଯୋଗ ରହିଥିଲା । ନଗର ଉନ୍ନୟନ ବିଭାଗର ଓଏଏସରୁ ପ୍ରମୋଟ୍ ହୋଇ ଆଇଏଏସ ହୋଇଥିବା ସଂଗ୍ରାମଜିତ ନାୟକ ପ୍ରାୟ ୧୪ ବର୍ଷ ହେବ ସେହି ବିଭାଗରେ ରହି ଆସୁଥିଲେ । ତେବେ ଏହି ବାବୁମାନଙ୍କୁ ନେଇ ଖବର ପ୍ରସାରଣ ପରେ ଏମାନଙ୍କୁ ଏବେ ହଟାଯାଇଛି ।

ତେବେ ଏବେ ବି ଲୋକସେବା ଭବନରେ ଆହୁରି ଅନେକ ଗାଦି ମଡ଼ା ବାବୁ ରହିଛନ୍ତି । ଏମାନଙ୍କ ମଧ୍ୟରେ ଆଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ୫ ବର୍ଷ ହେଲା କାର୍ଯ୍ୟ କରି ଆସୁଥିବା ଆଦିତ୍ୟ ମହାପାତ୍ର । ଶୁଣାଯାଉଛି ନିର୍ବାଚନ ଫଳାଫଳ ପରେ ବିନା ନୋଟିଫିକେସନରେ ଆଉ ତୃତୀୟ ମହଲାକୁ ନଯାଇ ସାଧାରଣ ପ୍ରଶାସନ ବିଭାଗରେ ବସୁଛନ୍ତି। ଲୋକସେବା ଭବନରେ ଆଉ ଜଣେ ପାୱାରଫୁଲ ଓଏଏସ ହେଉଛନ୍ତି ନିବେଦିତା ପୃଷ୍ଟି । ୬ ବର୍ଷ ହେଲା ଗୃହ ବିଭାଗ ଯୁଗ୍ମ ସଚିବ ପଦବିରେ ଅଛନ୍ତି।

ସେହିପରି ପଞ୍ଚାୟତିରାଜ ବିଭାଗରେ କାମ କରୁଥିବା ଦୁଇ ଓଏଏସ ଅଧିକାରୀ କୁଳମଣି ମିଶ୍ର ଏବଂ ସ୍ୱୟଂପ୍ରଭା ମହାନ୍ତି । କୁଳମଣି ୧୧ ବର୍ଷ ଆଉ ସ୍ୱୟଂପ୍ରଭା ୧୨ ବର୍ଷ ହେଲା ସେହି ଗୋଟିଏ ବିଭାଗରେ ଅଛନ୍ତି । ସେହିପରି ସ୍ୱାସ୍ଥ୍ୟ ବିଭାଗରେ ୧୦ ବର୍ଷ ହେଲା କାମ କରି ଆସୁଛନ୍ତି ଓଏଏସ ଶୁଭାନନ୍ଦ ମହାପାତ୍ର । ଆଉ ୭ ବର୍ଷ ହେଲା ଗୋଟିଏ ବିଭାଗରେ ଅଛନ୍ତି ଅତିରିକ୍ତ ସଚିବ ସୁମିତ୍ରା ସେନାପତି। ଆଉ ଅର୍ଥ ବିଭାଗର ଗେହ୍ଲା ପୁଅ ଭଳି ୯ ବର୍ଷ ହେଲା ଅତିରିକ୍ତ ସଚିବ ଭାବେ କାମ କରୁଛନ୍ତି ଶାନ୍ତନୁ ସାହୁ । ସେହିପରି ସଂସଦୀୟ ବ୍ୟାପାର ବିଭାଗରେ ୨୦ ବର୍ଷ ହେଲା ଅଛନ୍ତି ଅତିରିକ୍ତ ସଚିବ କୁନା ବାରିକ ।

ଗୃହ ବିଭାଗରେ ୧୨ ବର୍ଷ ହେଲା ଅଛନ୍ତି ଅତିରିକ୍ତ ସଚିବ ପ୍ରଫୁଲ୍ଲ ପ୍ରଧାନ। ଅବସର ପରେ ତାଙ୍କୁ ବର୍ଷେ ଏକ୍ସଟେନସନ କରିଛନ୍ତି ସରକାର। ତାଙ୍କ ପରି ସାଧାରଣ ପ୍ରଶାସନ ବିଭାଗରେ ୧୩ ବର୍ଷ ହେଲା କାମ କରୁଛନ୍ତି ଗଣେଶ ପାତ୍ର। ବର୍ଷେ ହେଲା ଅବସର ପରେ ବି ସେ ଅତିରିକ୍ତ ସଚିବ ଅଛନ୍ତି । ରାଜସ୍ବ ବିଭାଗରେ ୧୫ ବର୍ଷ ରହିଥିବା ଅଭୟ ନାୟକ, ଅବସର ପରେ ବି ୨ ବର୍ଷ ହେଲା ସେହି ବିଭାଗରେ ଅଛନ୍ତି। ଅନ୍ୟପକ୍ଷରେ ୧୦ ବର୍ଷ ହେଲା ରାଜସ୍ବ ବିଭାଗରେ କାମ କରୁଛନ୍ତି ଯୁଗ୍ମ ସଚିବ ଏଲୋରା ସାମଲ ଏବଂ ସାଧାରଣ ପ୍ରଶାସନ ବିଭାଗର ଲ୍ୟାଣ୍ଡ ଅଫିସର୍ ଭାବେ ୬ ବର୍ଷ ହେଲା ଗାଦି ମାଡ଼ି ବସିଛନ୍ତି ମାନସ ସାମଲ।

ସରକାରୀ ନିୟମ କହୁଛି ୩ ବର୍ଷରେ ଥରେ ବଦଳି ହେବା କଥା, ହେଲେ ଏଠି ପ୍ରଶ୍ନ, କେମିତି ଏହି ବାବୁମାନେ ଏତେ ବର୍ଷ ଧରି ଗୋଟିଏ ଗୋଟିଏ ବିଭାଗରେ ରହି ଆସୁଛନ୍ତି। ଜଣେ ଅଧିକାରୀ ଦୀର୍ଘ ବର୍ଷ ଧରି ଗୋଟିଏ ବିଭାଗରେ ରହିବାର ଆଧାର କଣ? ତେବେ ଏ ସଂପର୍କରେ ସଂପୃକ୍ତ OAS ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।