ନୟାଗଡ଼ର ମାଉଣ୍ଟେନ ମ୍ୟାନ : ୩୦ ବର୍ଷ ଶ୍ରମଦାନ କରି ଗାଁକୁ ସଡ଼କ ତିଆରି କରିଛନ୍ତି ହରିହର

ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଗାଁ ହେଉଛି ତୁଲୁବି । ପାହାଡ଼ି ଇଲାକାରେ ଥିବା ତୁଲୁବି ଗାଁକୁ ବିଗତ ଦିନରେ ଗମନାଗମନ ଓ ପରିବହନ ପାଇଁ କୌଣସି ସୁବିଧା ନଥିଲା । ଗାଁ ରାସ୍ତାର ଏଭଳି ଦୂରାବସ୍ଥା ଗଭୀର ଭାବରେ ଆଘାତ ଦେଇଥିଲା ତୁଲୁବି ଗାଁର ଦୁଇ ଭାଇ କୃଷ୍ଣ ବେହେରା ଓ ହରି ବେହରାଙ୍କୁ ।

ଆଦିବାସୀ ଇଲାକାର ହୀରୋ ହରିହର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ଆଦିବାସୀ ଇଲାକାର ହୀରୋ ହରିହର । ଯୁବାବସ୍ଥାରୁ ଗାଁକୁ ରାସ୍ତା ନିର୍ମାଣ କରିବାର ନିଶାରେ ନିଜର ୩୦ ବର୍ଷର ଶ୍ରମ ଲଗାଇ ୪କିମିର ବଣ ପାହାଡ଼ ଘେରା ଦୁର୍ଗମ ପଥକୁ ସୁଗମ୍ୟ ରାସ୍ତାରେ ବଦଳାଇ ଅନ୍ୟମାନଙ୍କ ପାଇଁ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । ନିଜର ସାରା ଜୀବନର ଶ୍ରମ ଆଦିବାସୀ ଇଲାକାର ବିକାଶ ଓ ରାସ୍ତା ନିର୍ମାଣରେ ସାରିଦେଇଥିବା ଏହି ହୀରୋ କିନ୍ତୁ ଆଜି କିଡନୀ ରୋଗରେ ଆକ୍ରାନ୍ତ l ପ୍ରଶାସନ ପକ୍ଷରୁ ତାଙ୍କୁ କୌଣସି ସହଯୋଗ କରାଯାଇ ନାହିଁ ।

ବିହାରର ମାଉଣ୍ଟେନ ମ୍ୟାନ ଦଶରଥ ମାଂଝୀ ୨୨ବର୍ଷ ଲଗାତାର ପରିଶ୍ରମ କରି ୧୧୦ ମିଟର ପାହାଡ଼ର ଛାତି ଚିରି ତିଆରି କରିଦେଲେ ସଡ଼କ । ତାଙ୍କ ନାମରେ ଡାକଟିକେଟ ଜାରି ହୋଇ ଥିବାବେଳେ ଓ ନିର୍ମିତ ହୋଇଛି ଚଳଚିତ୍ର । କିନ୍ତୁ ନୟାଗଡ଼ର ଆଦିବାସୀ ଅଞ୍ଚଳର ହରିହର ବେହେରା ୩୦ ବର୍ଷ କାଳ ପାହାଡ଼କୁ ନିହଣରେ କାଟି କାଟି ୪ କିମି ସଡ଼କ ନିର୍ମାଣର ବିଶ୍ୱକର୍ମା ସାଜିଥିଲେ ହେଁ ବଣମଲ୍ଲୀ ପରି ଲୋକଲୋଚନର ଅଗୋଚରରେ ଅଛନ୍ତି ।

ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଗାଁ ହେଉଛି ତୁଲୁବି । ପାହାଡ଼ି ଇଲାକାରେ ଥିବା ତୁଲୁବି ଗାଁକୁ ବିଗତ ଦିନରେ ଗମନାଗମନ ଓ ପରିବହନ ପାଇଁ କୌଣସି ସୁବିଧା ନଥିଲା । ଗାଁ ରାସ୍ତାର ଏଭଳି ଦୂରାବସ୍ଥା ଗଭୀର ଭାବରେ ଆଘାତ ଦେଇଥିଲା ତୁଲୁବି ଗାଁର ଦୁଇ ଭାଇ କୃଷ୍ଣ ବେହେରା ଓ ହରି ବେହରାଙ୍କୁ । ଦୁହେଁ ମନସ୍ଥ କଲେ ଗାଁ ରାସ୍ତା ସୁଧାରି ସାରି ହିଁ ଶାନ୍ତିରେ ନିଶ୍ୱାସ ନେବେ। ପ୍ରଥମେ ପ୍ରଥମେ ହରି ପ୍ରଧାନ ବ୍ଲାଷ୍ଟିଂ କରି ପାହାଡର ବଡ଼ ବଡ଼ ପଥର ଫଟେଇ ରାସ୍ତାରେ ଏକ ଛୋଟ ଶଗଡ଼ ଗାଡ଼ି ସହାୟତାରେ ପଥର ବିଛାଇବା ଆରମ୍ଭ କରିଥିଲେ। ବ୍ଲାଷ୍ଟିଂ କରିବା ଦ୍ୱାରା ଅସାବଧାନତାରେ ଜୀବନ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଥିଲା । ଜଙ୍ଗଲ ଜନ୍ତୁଙ୍କ ଉପରେ ମଧ୍ୟ କୁପ୍ରଭାବ ପଡିବାର ସମ୍ଭାବନା ଥିଲା । ଫଳରେ ବ୍ଲାଷ୍ଟିଂର ଭୟାବହତାକୁ ଆଖିରେ ରଖି ରାସ୍ତା ନିର୍ମାଣ କାର୍ଯ୍ୟ କିଛି ଦିନ ପାଇଁ ବନ୍ଦ କରିଥିଲେ ହରିହର ।

ତେବେ ୧୯୭୮ ମସିହାରେ ରାସ୍ତା ନିର୍ମାଣ କରିବାର ହରିହର ଓ କୃଷ୍ଣ ଦୁଇ ଭାଇଙ୍କ ମନରେ ବସା ବାନ୍ଧି ରହିଥାଏ । ଦିନେ ଗାଁ ଛାଡି ହରିହର ବେହେରା ମୁନ କାମ ଶିଖିବା ପାଇଁ ବାହାରି ପଡିଲେ । ମୁନ କାମ, ଅର୍ଥାତ ଛୋଟ ଛୋଟ ଲୁହା ମୁନ ସାହାଯ୍ୟରେ କଳା ମୁଗୁନି ପଥର ଫଟାଇ ପଟ୍ଟ ଥିବା ପଥର ଖଣ୍ଡ ପ୍ରସ୍ତୁତ କରିବାର କଳା କୌଶଳ । ଏହି କୌଶଳ ଶିଖି ସାରି ସେ ପୁଣି ଗାଁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଦୁଇଭାଇଙ୍କ ଅବିଶ୍ରାନ୍ତ ପରିଶ୍ରମ ଦ୍ୱାରା ମାଇଲିଏ ରାସ୍ତା ପୂର୍ଣ୍ଣ ରୂପେ ପଟାଶାଳ ପଥର ବିଛେଇଲା ଭଳି ବିଛାଇ ଦିଆଗଲା । ତେବେ ସମୟ ସ୍ରୋତରେ ବଡଭାଇ କୃଷ୍ଣ ବେହେରା ଆର ପାରିକୁ ଚାଲି ଯାଇଛନ୍ତି ।

ହରିହରଙ୍କ କହିବା ଅନୁଯାୟୀ ଗୋଟିଏ ଓଳି ଚାଷ କାମ କରି ଅନ୍ୟ ଓଳିରେ ରାସ୍ତାରେ ପଥର ପକାଉଥିଲେ । ରାସ୍ତା ତିଆରି ପାଇଁ ସେ ଜୀବନର ୩୦ ବର୍ଷର ଶ୍ରମ ଲଗାଇଛନ୍ତି l ମୁନ,ହାତୁଡି, କୋଡ଼ି ଶାବଳ ଓ ଛୋଟ ଶଗଡ଼କୁ ନିଜର ସାଥି ସଜାଇ ହରି ପ୍ରଧାନ ଦୀର୍ଘ ୩୦ ବର୍ଷ ପରେ ନିଜ କାର୍ଯ୍ୟରେ ସଫଳ ହୋଇ ରାସ୍ତା କାର୍ଯ୍ୟ ଶେଷ କରି ପାରିଛନ୍ତି l ଆଉ ତାଙ୍କର ଏହି ୩୦ ବର୍ଷର ନିଷ୍ଠାପର ଉଦ୍ୟମ ଅପହଞ୍ଚ ଇଲାକାକୁ ଗମନାଗମନର ସୁବିଧା ପହଞ୍ଚାଇ ପାରିଛି l କୌତୁହଳର ବିଷୟ ହେଉଛି, ଯେଉଁ ଜାଗାରୁ ପଥର ଫଟାଇ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିଲେ । କ୍ରମେ ତାହା ଗଭୀର ହୋଇ ଗୋଟିଏ ପୋଖରୀ ଆକୃତି ଧାରଣ କଲା । ‍ଳରେ ତୁଲୁବି ଗ୍ରାମବାସୀ ବର୍ତ୍ତମାନ ତାହାକୁ ଗାଁ ପୋଖରୀ ଭାବରେ ବ୍ୟବହାର କରୁଛନ୍ତି।

ହରି ବେହେରାଙ୍କ ସଂଘର୍ଷମୟ ଜୀବନ ଏତିକିରେ ଶେଷ ହୋଇ ନଥିଲା । ତୁଲୁବି ପାଖରେ ଥିବା ଅନ୍ୟ ଏକ ଆଦିବାସୀ ଅଧ୍ୟୁଷିତ ଗାଁ ନେପାଳକୁ ବି ରାସ୍ତା ନିର୍ମାଣ କରିବା ପାଇଁ ସେ ପୁଣି ମନସ୍ଥ କଲେ । ନିଜସ୍ୱ ପ୍ରଚେଷ୍ଟାରେ ପ୍ରାୟ ତିନି ଶହ ମିଟର ରାସ୍ତାରେ ପଥର ସଜେଇ ସେ ରାସ୍ତା ତିଆରି କରିପାରିଥିଲେ । ବର୍ତ୍ତମାନ ଜିଲ୍ଲା ଗ୍ରାମଉନ୍ନୟନ ବିଭାଗ ଏବଂ ପଞ୍ଚାୟତ ପକ୍ଷରୁ ଏହି ରାସ୍ତା ପକ୍କା କରିବାକୁ ଉଦ୍ୟମ ହୋଇଛି । କିଛି ଅଂଶ ମଧ୍ୟ କଂକ୍ରିଟ ଢଳେଇ କରିଛି ପ୍ରଶାସନ ।

ବାଟୋଇ ମାନଙ୍କ ପ୍ରସଂଶା, ଗ୍ରାମବାସୀଙ୍କ କୃତଜ୍ଞତା ହରିହରଙ୍କୁ ଏସବୁ ମହନୀୟ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହନ ଯୋଗାଇଥିଲା । ତେବେ ଆଜି ବି ଆଦିବାସୀ ଇଲାକାର ଏହି ବଣମଲ୍ଲୀ ଅଖୋଜା ଅଲୋଡ଼ା ରହିଛନ୍ତି । ଅସମ୍ଭବକୁ ସମ୍ଭବ କରିଦେଖାଇବାର ନିଷ୍ଠା ଓ ଦୀର୍ଘ ବର୍ଷର ଅଦମ୍ୟ ଅଧ୍ୟବସାୟ ଆଦିବାସୀ ଇଲାକାର ହୀରା -ହରିହରଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ l ବଣରେ ଥାଇବି ବଣମଲ୍ଲୀର ବାସ୍ନା ସାରା ସାରା ବଣକୁ ମହାକାଇ ଦେବା ଭଳି ଏହା ଅନ୍ୟମାନଙ୍କ ଏକ ବିରଳ ଉଦାହରଣ ସୃଷ୍ଟି କରିଛି l ନିଜର ସାରା ଜୀବନର ରାସ୍ତା ନିର୍ମାଣରେ ସାରିଦେଇଥିବା ହରିହର ଆଜି କିଡନୀ ରୋଗରେ ଆକ୍ରାନ୍ତ l