Advertisment

‘କାଲି ପାଇଁ କାଲିର ସିନେମା’କୁ କାହିଁକି ଜାତୀୟ ଫିଲ୍ମ ପୁରସ୍କାର

ସୂର୍ଯ୍ୟ ଦେଓଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’କୁ ମିଳିଛି ‘ବେଷ୍ଟ୍‌ ବୁକ୍ ଅନ୍ ସିନେମା ସ୍ପେଶାଲ୍ ମେନ୍‌ସନ୍ ସମ୍ମାନ’। ଏହାକୁ ନେଇ ଲେଖକ ଖୁବ ଖୁସି ଥିବା ବେଳେ ଏହି ବହି ପଛର ଉଦ୍ଦେଶ୍ୟ କ’ଣ ତାହା କହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Why National film award to Kali Pain Kalira Cinema

Why National film award to Kali Pain Kalira Cinema

ଜାତୀୟ ସ୍ତରରେ ଚମକୁଛନ୍ତି ଓଡିଆ। ଗୋଟିଏ ପଟେ ଭାରତର ରାଷ୍ଟ୍ରପତି ପଦ ଦ୍ରୌପଦୀ ମୁର୍ମୁ ହାତେଇଥିବା ବେଳେ ଅନ୍ୟପଟେ ସିନେମା କ୍ଷେତ୍ରରେ ଚମକିଛନ୍ତି ଆଉ ଜଣେ ଓଡିଆ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୬୮ ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୦ ଘୋଷିତ ହୋଇଛି। ଏଥିରେ ‘କାଲି ପାଇଁ କାଲିର ସିନେମା’କୁ ‘ବେଷ୍ଟ୍‌ ବୁକ୍ ଅନ୍ ସିନେମା ସ୍ପେଶାଲ୍ ମେନ୍‌ସନ୍ ସମ୍ମାନ’ ମିଳିଛି। 'କାଲି ପାଇଁ କାଲି'ର ସିନେମା ହେଉଛି ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ଲିଖିତ ଓ ପକ୍ଷୀଘର ପ୍ରକାଶନର ସିନେମା ସଂପର୍କୀତ ପୁସ୍ତକ। ଏନେଇ ସୂର୍ଯ୍ୟ ଦେଓ ବହୁତ ଖୁସି ଥିବା ସେ କହିଛନ୍ତି।

Advertisment

ଏହି ଅବସରରେ ଓଟିଭି ସାମ୍ବାଦିକ ନିରଞ୍ଜନ ରେଡ୍ଡୀ ସୂର୍ଯ୍ୟ ଦେଓଙ୍କୁ ଭେଟିଛନ୍ତି। ତେବେ ଆସନ୍ତୁ ଏହି ଆଲୋଚନାରେ ସୂର୍ଯ୍ୟ ଦେଓ କ’ଣ କହିଛନ୍ତି ଜାଣିନେବା।

ପ୍ରଶ୍ନ: ଏହି ପୁସ୍ତକ ଲେଖିବା ପଛରେ କ’ଣ ଉଦ୍ଦେଶ୍ୟ ଥିଲା?

ଉତ୍ତର: ଉଦ୍ଦେଶ୍ୟ ଥିଲା ଓଡିଆ ସିନେମାର ଇତିହାସ ଉଜାଗର ହେଉ। ଓଡିଆ ସିନେମାର ଅସ୍ୱଚ୍ଛ ଇତିହାସ ସ୍ୱଚ୍ଛ ହେଉ। ତଥ୍ୟ ଓ ନଥିକରଣ ଉପରେ ଗୁରୁତ୍ୱ ଦିଆଯାଉ। ଏହି ବହି ହେଉଛି ତାହାର ପ୍ରକ୍ରିୟା। ଏ ବହିରେ ଅଛି ୨୧ ସିନେମାର ସଂପୂର୍ଣ୍ଣ ରୂପରେଖ। ଆମେ ଏପରି ଏକ ସମୟରେ ଅଛୁ ଯେ ଅନେକ ସିନେମାକୁ ହଜେଇ ଦେଇଛୁ। ସୀତା ବିବାହ, ଭାଇ ଭାଇ, ଆମରି ଗାଁ ଝିଅ, ସପ୍ତଶଯ୍ୟା ଆଜି ନାହିଁ। ଯେହେତୁ ସେ ଫିଲ୍ମ ସଂପର୍କୀତ କୌଣସି ନଥିପତ୍ର ନାହିଁ, ତେଣୁ ସେ ଫିଲ୍ମ ସହ ଜଡିତ ଅଭିନେତା ଓ କଳାକାରଙ୍କୁ ଭେଟି ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରି ଏ ବହି ଲେଖା ଯାଇଛି।

Advertisment

ପ୍ରଶ୍ନ: ଏହି ବହିରେ କେଉଁ କେଉଁ ଚଳଚ୍ଚିତ୍ର ଅଛି?

ଉତ୍ତର: ଏ ବହିରେ ଲଳିତା, ଭାଇ ଭାଇ, ଶ୍ରୀଜଗନ୍ନାଥ, କିଏ କାହାର, ଶ୍ରୀଲୋକନାଥ, ସାଧନା, ଭାଇ ଭାଉଜ, କା, ସ୍ତ୍ରୀ, ସଂସାର, ରକ୍ତ ଗୋଲାପ, ମାୟା ମିରିଗ, ଭକ୍ତ ସାଲବେଗ ଇତ୍ୟାଦି ରହିଛି।

ପ୍ରଶ୍ନ: ଏହି ଚଳଚ୍ଚିତ୍ର ସବୁ କେଉଁ ସମୟରେ ନିର୍ମାଣ ହୋଇଥିଲା?

ଉତ୍ତର: ଏହି ବହିରେ ୧୯୪୮ ମସିହାରୁ ୧୯୮୬ ମସିହା ଭିତରେ ନିର୍ମାଣ ହୋଇଥିବା ୨୧ଟି ଚଳଚ୍ଚିତ୍ରକୁ ରଖାଯାଇଛି। ସବୁଥିରେ ରହିଛି ଫିଲ୍ମ ପ୍ରଯୋଜନାର ପଛ କଥା, ସ୍ଥାନ, ସମୟ, କେତେ ଟଙ୍କା ଖର୍ଚ୍ଚ ହୋଇଥିଲା, କେଉଁ ଷ୍ଟୁଡିଓରେ ସୁଟିଂ ହୋଇଥିଲା ଇତ୍ୟାଦି ତଥ୍ୟ ରହିଛି।

ତେବେ ପିଆଇବି ତରଫରୁ କୁହାଯାଇଛି ଯେ ଏହି ପୁରସ୍କାର ଦୁଇ ଜଣଙ୍କୁ ପ୍ରଦାନ କରାଯାଇଛି। ପ୍ରଥମ ପୁରସ୍କାର ମାଲାୟାଲମ୍‌ ଲେଖକ ଅନୂପ ରାମକ୍ରିଷ୍ଣନଙ୍କ ପୁସ୍ତକ ‘ଏମ୍‌ଟି ଏ ପୁସ୍ତକମ୍‌’କୁ ମିଳିଛି। ଏହାକୁ ମାଲାୟଲମ୍‌ ପାନୋରମା ତରଫରୁ  ପ୍ରକାଶ କରାଯାଇଛି। ସେହିପରି ଦ୍ୱିତୀୟ ପୁରସ୍କାର ଭାବେ ପକ୍ଷୀଘର ପ୍ରକାଶନ ତରଫରୁ ପ୍ରକାଶିତ ସୂର୍ଯ୍ୟ ଦେଓଙ୍କ ‘କାଲି ପାଇଁ କାଲିର ସିନେମା’କୁ ଚୟନ କରାଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ ଏହି ପୁରସ୍କାର ପାଇଁ ଅନେକ ଭାରତୀୟ ପୁସ୍ତକ ଆସିଥିଲା। କିନ୍ତୁ ନିର୍ଦ୍ଦିଷ୍ଟ ଆଧାରରେ ଏହି ଦୁଇଟି ପୁସ୍ତକକୁ ଚୟନ କରାଯାଇଛି। ‘କାଲି ପାଇଁ କାଲିର ସିନେମା’ ଏପରି ଏକ ପୁସ୍ତକ ଯେଉଁଥିରେ ଓଡିଆ ସଂସ୍କୃତି ବିଷୟରେ ଲେଖାଯାଇଛି। ତେବେ ଏହି ସମ୍ମାନ ପାଇଁ କୌଣସି ଭାଷାକୁ ନୁହେଁ ବରଂ ବିଷୟବସ୍ତୁକୁ ଦେଖାଯାଏ ବୋଲି କୁହାଯାଇଛି।

National Film Award 68 National Film Awards
Advertisment
Advertisment