bollywood veteran actor arun bali died at the age of 79
ବଲିଉଡର ବର୍ଷୀୟାନ ଅଭିନେତା ଅରୁଣ ବାଲି ଆଉ ନାହାନ୍ତି। ଆଜି ଅରୁଣଙ୍କ ଶେଷ ଫିଲ୍ମ ‘ଗୁଡବାଏ’ ରିଲିଜ ହେଉଛି ଆଉ ଏପଟେ ସବୁଦିନ ପାଇଁ ସମସ୍ତଙ୍କୁ ଗୁଡ୍ବାଏ କରି ସେ ଅଫେରା ଦୁନିଆକୁ ଫେରି ଯାଇଛନ୍ତି। ମୁମ୍ବାଇରେ ୭୯ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଅରୁଣ। ବୟସାଧିକ ଏବଂ ରୋଗବ୍ୟାଧି ହେତୁ ଅରୁଣ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। କିଛି ଦିନ ହେବ ସେ ନ୍ୟୁରୋ ସମ୍ବନ୍ଧିତ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ଅରୁଣ ବିରଳ ନ୍ୟୁରୋମସ୍କୁଲାର ଏବଂ ମାଇଷଥେନିଆ ଗ୍ରାଭିସ ପରି ରୋଗରେ ପୀଡିତ ଥିଲେ। ତାଙ୍କୁ ମୁମ୍ବାଇର ହିରନନ୍ଦନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଥ୍ରୀ ଇଡିଅଟ୍, ପିକେ, ରେଡି, ବର୍ଫୀ, ଓହୋ ମାଇଁ ଗଡ, କେଦାନାରନାଥ, ଜମୀନ ଔର ସୌଗନ୍ଧ, ଜେଣ୍ଟଲମ୍ୟାନ, ଫୁଲ ଔର ଅଙ୍ଗାରେ, ଖଳନାୟକ ଏବଂ ପାନିପତ ପରି ଅନେକ ଫିଲ୍ମରେ ଦମଦାର ଅଭିନୟ କରି ଦର୍ଶକଙ୍କ ମନକୁ କିଣି ନେଇଛନ୍ତି ଅରୁଣ।
ଅରୁଣଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ବଲିଉଡରେ ଶୋକର ଛାୟା ଖେଳି ଯାଇଛି। ସୋଶିଆଲ ମିଡିଆରେ ବି ତାଙ୍କ ମୃତ୍ୟୁକୁ ନେଇ ଅନେକ ପୋଷ୍ଟ ଦେଖିବାକୁ ମିଳିଛି। ୟୁଜର୍ସ ତାଙ୍କ ଆତ୍ମାର ସଦ୍ଗତି କାମନା କରି ପ୍ରାର୍ଥନା କରିଛନ୍ତି।
ଅରୁଣ ବାଲିଙ୍କ ଜନ୍ମ ଡିସେମ୍ବର ୨୩ ତାରିଖ ୧୯୪୨ ମସିହାରେ ପାକିସ୍ତାନର ଲାହୋରରେ ହୋଇଥିଲା। ଲମ୍ବା କ୍ୟାରିୟର ଭିତରେ ସେ ଅନେକ ବଲିଉଡ ଫିଲ୍ମ ଏବଂ ଟେଲି ସିରିଏଲରେ ଅଭିନୟ କରିଛନ୍ତି। ଖାଲି ହିନ୍ଦୀ ନୁହେଁ, ତେଲ୍ଗୁ ଏବଂ ପଞ୍ଜାବୀ ଫିଲ୍ମରେ ମଧ୍ୟ ସେ ଅଭିନୟ କରି ଦଶର୍କଙ୍କ ମନରେ ଛାପ ଛାଡ଼ି ଯାଇଛନ୍ତି। ସେ ବଲିଉଡର ବହୁତ ବଡ ବଡ ଅଭିନେତାଙ୍କ ସହ କାମ କରିଛନ୍ତି।
୧୯୯୧ରେ ଅରୁଣ ବଲିଉଡ୍କୁ ଏଣ୍ଟ୍ରି ମାରିଥିଲେ। ତା ପୂର୍ବରୁ ସେ ଟେଲି ସିରିଏଲରେ କାମ କରୁଥିଲେ। ୧୯୮୯ରେ ତାଙ୍କର ପ୍ରଥମ ଟେଲି ସିରଏଲ ଥିଲା ‘ଦୁସରା କେବଲ’। ଏହା ପରେ ସେ ଫିର ୱହି ତଲାଶ, ନୀମ କା ପେଡ ପରି ସିରିଏଲରେ ଅଭିନୟ କରି ଦର୍ଶକଙ୍କ ମନରେ ଛାପ ଛାଡ଼ି ଯାଇଥିଲେ। ଏହା ବ୍ୟତୀତ ସ୍ୱାଭିମାନ, କୁମ୍କୁମ୍, ଶକ୍ତିମାନ, ଦେଖ ଭାଇ ଦେଖ, ଜୟ ଗଣେଶ ଆଦି ଶୋ’ରେ ଅଭିନୟ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665121746.jpg)