ଦିଲ୍ଲୀ ପୋଲିସ୍‌ରେ ହାଜର ହେବେ ବର୍ଷା, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

୧୫ ଦିନ ଯାଏଁ ବର୍ଷାଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଚନ୍ତି ହାଇକୋର୍ଟ ।

Varsha Priyadarshini

ଦିଲ୍ଲୀ ପୋଲିସ୍‌ରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏନେଇ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ୧୫ ଦିନ ମଧ୍ୟରେ ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ତାଙ୍କୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୧୫ ଦିନ ଯାଏଁ ବର୍ଷାଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଚନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ, ଅଭିନେତ୍ରୀ ବର୍ଷାଙ୍କ ନାଁରେ ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀରେ ମାମଲା ହୋଇଛି । ବର୍ଷା ତାଙ୍କ ସ୍ୱାମୀ ଅନୁଭବଙ୍କ ଜଣେ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ କରିଥିବା ପୋଲିସରେ ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣା ନେଇ ୨ ଥର ଦିଲ୍ଲୀ ପୋଲିସରୁ ଡକରା ଆସିଥିଲେ ବି ବର୍ଷା ହାଜର ହୋଇନାହାନ୍ତି । ବିଭିନ୍ନ ପ୍ରକାର ବାହାନା ଦେଖାଇ ସେ ଦିଲ୍ଲୀ ପୋଲିସର ନୋଟିସକୁ ଏଡ଼ାଇ ଦେଇଥିଲେ । ଏମିତିକି ଦିଲ୍ଲୀ ନଯାଇ ଏଠାରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । କିନ୍ତୁ କୋର୍ଟ ବର୍ଷାଙ୍କ ଆବେଦନକୁ ଗ୍ରହଣ କରି ୧୫ ଦିନ ଯାଏଁ ଅନ୍ତରୀଣ ସୁରକ୍ଷା ଦେଇଥିଲେ। ଏଥିସହ ୧୫ ଦିନ ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।