Rituraj Singh
ହୃଦଘାତରେ ପ୍ରାଣ ହରାଇଲେ ଟେଲିଭିଜନ୍ ଅଭିନେତା ଋତୁରାଜ ସିଂ। ଲୋକପ୍ରିୟ ଧାରାବାହିକ ଅନୁପମାରେ ଅଭିନୟ କରିଥିବା ଋତୁରାଜଙ୍କର ୫୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ନିକଟତର ବନ୍ଧୁ ଓ ଅଭିନେତା ଅମିତ୍ ଭେଲ୍ ଏନେଇ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ ସୋମବାର ସଂଧ୍ୟାରେ ଋତୁରାଜଙ୍କ ଦେହାନ୍ତ ହୋଇଛି। ନିକଟରେ ଋତୁରାଜ ଖାଦ୍ୟନଳୀରେ ସମସ୍ୟା କାରଣରୁ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ଋତୁରାଜଙ୍କ ମୃତ୍ୟୁରେ ବି ଟାଉନ୍ରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅନେକ ପ୍ରଶଂସକ ସୋସିଆଲ୍ ମିଡିଆରେ ଶୋକବ୍ୟକ୍ତ କରିଛନ୍ତି। ଅଭିନେତା ଅର୍ସଦ ୱାର୍ସି ମଧ୍ୟ ଏକ୍ସ ପେଜ୍ରେ ଲେଖିଛନ୍ତି, ‘ଋତୁରାଜଙ୍କ ଦେହାନ୍ତରେ ମୁଁ ଗଭୀର ମର୍ମାହତ। ଆମେ ଗୋଟିଏ ବିଲ୍ଡିଂରେ ରହୁଥିଲୁ। ସେ ମୋ ପ୍ରଥମ ଫିଲ୍ମର ପ୍ରଯୋଜକ ଥିଲେ। ମୁଁ ଗୋଟେ ମହାନ ଅଭିନେତା ଓ ସାଙ୍ଗକୁ ହରାଇଛି’।
ତେବେ ଲୋକପ୍ରିୟ ଟିଭି ସୋ’ ‘ଅନୁପମା’ରେ ଋତୁରାଜ ସିଂଙ୍କୁ ଦେଖିବାକୁ ମିଳିଥିଲା। ‘ଅନୁପମା’ ସହ ‘ୟେ ରିସ୍ତା କ୍ୟା କେହଲତା ହେ’ ଭଳି ଲୋକପ୍ରିୟ ଟିଭି ସୋ’ରେ ମଧ୍ୟ କାମ କରିଛନ୍ତି ଋତୁରାଜ। ଧାରାବାହିକ ବ୍ୟତୀତ ସେ ‘ରାଜନୀତି’, ‘ସତ୍ୟମେବ ଜୟତେ-୨’ ଓ ‘ବଦ୍ରି କି ଦୁଲହନିଆ’ ଭଳି ଲୋକପ୍ରିୟ ବଲିଉଡ ଫିଲ୍ମରେ ବି କାମ କରିଥିଲେ। ତାଙ୍କର ଶେଷ ଫିଲ୍ମ ହେଇଛି ‘ୟାରିୟାଁ’, ଯାହା ଗତ ବର୍ଷ ରିଲିଜ୍ ହୋଇଥିଲା। ହେଲେ ଏଭଳି ଅଭିନେତାଙ୍କର ହଠାତ୍ ଦେହାନ୍ତ ହେବାର ଖବର ଶୁଣିବା ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।
ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଋତୁରାଜ ସିଂଙ୍କ ସମ୍ପୂର୍ଣ୍ଣ ନାମ ଥିଲା ଋତୁରାଜ ସିଂ ଚନ୍ଦ୍ରାବତ ସିସୋଦିଆ। ସେ ରାଜସ୍ଥାନର କୋଟାରେ ସିସୋଦିଆ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ ଋତୁରାଜ ସିଂ ଦିଲ୍ଲୀରେ ତାଙ୍କର ପାଠପଢ଼ା ସମାପ୍ତ କରି ୧୯୯୩ରେ ମୁମ୍ବାଇ ଆସିବା ସହ ଅଭିନୟରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708413629.jpg)