ପରଦାରେ କାଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣାର କାହାଣୀ, କେଉଁଠି ହାଉସଫୁଲ୍ ତ କେଉଁଠି ହେଉନି ରିଲିଜ

ଦେଶବ୍ୟାପୀ କାଶ୍ମୀର ଫାଇଲ୍ସକୁ ପ୍ରଶଂସା ଓ ସମର୍ଥନ ମିଳୁଛି ସତ କିନ୍ତୁ ଯଥେଷ୍ଟ ସଂଖ୍ୟକ ସିନେମା ହଲ୍ ମିଳିପାରୁନାହିଁ । ଦକ୍ଷିଣ ଭାରତରେ ମଧ୍ୟ ଫିଲ୍ମକୁ ସହଯୋଗ ଓ ସମର୍ଥନ ମିଳୁନଥିବା ଚର୍ଚ୍ଚା ହେଉଛି ।

ପରଦାରେ କାଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣାର କାହାଣୀ

ଗୋଟିଏ ପଟେ ପ୍ରଶଂସା ଓ ଦର୍ଶକୀୟ ଆଦୃତି, ଅନ୍ୟପଟେ ବିରୋଧ । କେଉଁଠି ହାଉସଫୁଲ ତ ଆଉ କେଉଁଠି ଫିଲ୍ମ ରିଲିଜ ନହେବାରୁ ଉତ୍ତେଜନା । ଏଭଳି ବାଦବିବାଦ ଭିତରେ ଛନ୍ଦି ହୋଇଛି ବହୁଚର୍ଚ୍ଚିତ ଫିଲ୍ମ ଦି କାଶ୍ମୀର ଫାଇଲ୍ସ । ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରର ଏକ ସ୍ୱଳ୍ପ ଆଲୋଚିତ ଯନ୍ତ୍ରଣାର ଫର୍ଦ୍ଦକୁ ଏହି ଫିଲ୍ମ ଜରିଆରେ ରୂପେଲି ପରଦାରେ ଉତାରିବାକୁ ଚେଷ୍ଟା କରିଛନ୍ତି ନିର୍ମାତା । ତେବେ କିଛି ରାଜ୍ୟରେ ଏହାକୁ ଟିକସ ମୁକ୍ତ ଘୋଷଣା କରାଯାଇଥିବା ବେଳେ ଆଉ କିଛି ରାଜ୍ୟରେ ଏହାକୁ ରିଲିଜ ହେବାକୁ ଦିଆଯାଇନାହିଁ ।

ରୂପେଲି ପରଦାରେ ୯୦ ଦଶକର ଜନ୍ନତ ସାକ୍ଷୀ ଥିବା ଯନ୍ତ୍ରଣାର କଥା । ଭାରତର ଭୂସ୍ୱର୍ଗରେ ଯାହା ଘଟିଥିଲା ଅବକିଳ ଗୋଟିଏ ଗୋଟିଏ ଘଟଣା, ଅଘଟଣର ଦୃଶ୍ୟାୟନ ନିର୍ମାତା, କଳାକାରା ସମସ୍ତଙ୍କ ଶ୍ରମ, ଶ୍ରେୟ ଦର୍ଶକଙ୍କ ତାଳିରୁ ଅନୁମାନ କରାଯାଇଛି ।

୧୯୯୦ ମସିହାରେ ଜାମ୍ମୁ ଓ କାଶ୍ମୀରରେ ହିନ୍ଦୁଙ୍କ ଉପରେ ହୋଇଥିବା ମାନବୀୟ ଯାତନାର କଥା-ବ୍ୟଥା ଓ ଗାଥାକୁ ନେଇ ପ୍ରସ୍ତୁତ ହୋଇ ସିନେମା ଘରେ ହାଉସଫୁଲ୍ ଚାଲିଥିବା ଫିଲ୍ମ ଦି କାଶ୍ମୀର ଫାଇଲ୍ସ ସିନେମା ଏବେ ଚର୍ଚ୍ଚାରେ । ସିନେମାକୁ ମିଳିଛି ବିଶ୍ୱସ୍ତରୀୟ ସ୍ୱୀକୃତି ଓ ଦର୍ଶକୀୟ ଆଦୃତି । ସମସ୍ତଙ୍କ ମୁହଁରେ ଫିଲ୍ମକୁ ନେଇ ପ୍ରଶଂସା ଏହାକୁ ନେଇ ବିରୋଧ ଭାଷ ବି କମ୍ ନୁହେଁ ।

୩୨ ବର୍ଷ ତଳର କଳା ଅଧ୍ୟାୟକୁ ବଡ଼ ପରଦାରେ ଦେଖି ଆସିବା ପରେ ଦି କାଶ୍ମୀର ଫାଇଲ୍ସ ଫିଲ୍ମ, ନିର୍ମାତା ଓ ଅଭିନେତାଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ପୀଡ଼ିତଙ୍କ ସମର୍ଥନରେ ବାହାରିଛନ୍ତି ଶତାଧିକ ଦର୍ଶକ । ହରିୟାଣା ଫରିଦାବାଦରେ ତ ଫିଲ୍ମକୁ ଏତେ ସମର୍ଥନ ମିଳିଛି ଯେ କହିଲେ ନସରେ । ବନ୍ଦେ ମାତରମ୍ ସ୍ଲୋଗାନରେ ଫାଟି ପଡ଼ିଛି ମଲ୍ଟିପ୍ଲେକ୍ସ ପରିସର ।

ତେବେ କାଶ୍ମୀର ଫାଇଲ୍ସ କେବଳ ପ୍ରଶଂସା ସାଉଁଟିନି, ବହୁ ବିବାଦର ମଧ୍ୟ ସୂତ୍ରପାତ କରିଛି । ଜମ୍ମୁ ୱେଭ୍ ସିନେମା ହଲ୍ ପରିସରର ମାର୍ଚ୍ଚ ୧୧ ଫିଲ୍ମ ରିଲିଜ୍ ଡେଟରେ ହଲକୁ ଯାଇଥିବା ଦର୍ଶକଙ୍କୁ ଅଟକାଇଥିଲେ ସେଠାକାର କର୍ମଚାରୀ । ଶେଷ ମୁହୂର୍ତ୍ତରେ ଫିଲ୍ମ ପ୍ରଦର୍ଶନ ବନ୍ଦ କରାଯିବାରୁ ହଲ୍ ପରିସରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ମେଘାଳୟ ରାଜଧାନୀ ଶିଲଂରେ ମଧ୍ୟ କାଶ୍ମୀର ଫାଇଲ୍ସକୁ ବିବାଦୀୟ କହି ରିଲିଜ୍ କରିନାହାନ୍ତି ହଲ୍ ମାଲିକ । ସିନେମା ହଲ୍ ହାଉସ୍ଫୁଲ୍ ଥିବା ସତ୍ତ୍ୱେ ଶେଷ ମୁହୁର୍ତ୍ତରେ ସିନେମାର କପି ପହଞ୍ଚି ନଥିବା କହି ସୋ ବାତିଲ କରାଯାଇଛି ।

ଦେଶବ୍ୟାପୀ କାଶ୍ମୀର ଫାଇଲ୍ସକୁ ପ୍ରଶଂସା ଓ ସମର୍ଥନ ମିଳୁଛି ସତ କିନ୍ତୁ ଯଥେଷ୍ଟ ସଂଖ୍ୟକ ସିନେମା ହଲ୍ ମିଳିପାରୁନାହିଁ । ଦକ୍ଷିଣ ଭାରତରେ ମଧ୍ୟ ଫିଲ୍ମକୁ ସହଯୋଗ ଓ ସମର୍ଥନ ମିଳୁନଥିବା ଚର୍ଚ୍ଚା ହେଉଛି । କେରଳରେ ଅଳ୍ପ ସଂଖ୍ୟକ ହଲକୁ ବାଦ୍ ଦେଲେ ସମ୍ପୂର୍ଣ୍ଣ ଭାବେ ଫିଲ୍ମକୁ ଅନଅଫିସିଆଲ ବ୍ୟାନ କରାଯାଇଥିବା ସୋସିଆଲ ମିଡିଆ ୟୁଜର୍ସ ଅଭିଯୋଗ କରିଛନ୍ତି ।

କୋଚି, ତ୍ରିଶୁର, ଥିରୁବନ୍ତପୁରମର କେତେକ ହଲରେ ହିଁ ଫିଲ୍ମ ପ୍ରଦର୍ଶିତ ହେଉଛି । ଆଶୀର୍ବାଦ ସିନେମା ହଲରେ ଫିଲ୍ମ ପଡ଼ିନଥିବାରୁ ସାଉଥ ଷ୍ଟାର ମୋହନ ଲାଲଙ୍କୁ ଟ୍ରୋଲ୍ କରିଛନ୍ତି ୟୁଜର୍ସ । ଆର୍ଶୀବାଦ ସିନେମାରେ ମୋହନ ଲାଲଙ୍କ ଟଙ୍କା ଲାଗିଥିବା ବିଶ୍ୱାସ କରାଯାଉଥିବାରୁ ୟୁଜର୍ସମାନେ ଏହି ଅଭିଯୋଗ ଆଣିଛନ୍ତି ।

ଫିଲ୍ମ ଦି କାଶ୍ମୀର ଫାଇଲ୍ସ ପାଇଁ ବିବାଦରେ ହାସ୍ୟ କଳାକାର କପିଲ୍ ଶର୍ମା ଦି କପିଲ ଶର୍ମା । ଶୋରେ କାଶ୍ମୀର ଫାଇଲ୍ସର ଅଭିନେତାଙ୍କୁ ଜାଣିଶୁଣି ନିମନ୍ତ୍ରଣ କରାଯାଇନଥିଲା ବୋଲି ଅଭିଯୋଗ ଆସିବା ପରେ ନିଜେ କପିଲ୍ ଟ୍ରୋଲର ଶିକାର ହେବା ସହ ସୋସିଆଲ ମିଡିଆରେ ବୟକଟ୍ କପିଲ ଶର୍ମା ସୋ ଟ୍ରେଣ୍ଡ୍ କରିଥିଲା । ଏକ ବାସ୍ତବଧର୍ମୀ, ନିଚ୍ଛକ କାହାଣୀ ଉପରେ ଆଧାରିତ ଫିଲ୍ମକୁ କାହିଁକି ପ୍ରମୋଟ୍ କରାଯାଉନି ବୋଲି ୟୁଜର୍ସ ପ୍ରଶ୍ନ କରିଥିଲେ । କପିଲ୍ ଟ୍ୱିଟରେ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିଥିଲେ ବି ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି ।

ତେବେ ରିଲିଜର ମାତ୍ର ୫ ଦିନରେ ଫିଲ୍ମକୁ ମିଳିଛି ବେଶ୍ ସଫଳତା । ବକ୍ସ ଅଫିସରେ ଭଲ ବ୍ୟବସାୟ ସାଙ୍ଗକୁ ଦର୍ଶକୀୟ ଆଦୃତି ବି ମିଳିଛି । ଏହା ସହ କାଶ୍ମୀର ପଣ୍ଡିତଙ୍କୁ ନ୍ୟାୟ ଦାବି କରି ଅନେକ ସ୍ଥାନରେ ହୋଇଛି ରାଲି, କ୍ୟାଣ୍ଡେଲ ମାର୍ଚ୍ଚ ଆରମ୍ଭ ହୋଇଛି ।

ଜନ୍ମମାଟିରୁ ବିତାଡ଼ିତ ହେବାର ଯାତନା ଓ ଯନ୍ତ୍ରଣା, ହଜାର ହଜାର କାଶ୍ମୀର ପଣ୍ଡିତଙ୍କ ସମ୍ମାନ ଓ ସ୍ୱାଭିମାନ ଉପରେ ଏହି କାହାଣୀ ଆଧାରିତ । ୯୦ ଦଶକରେ କାଶ୍ମୀରର ଏଇ ମୂଳ ବାସିନ୍ଦାଙ୍କ ଉପରେ ବର୍ବରୋଚିତ ହମଲା ଭାରତ ଇତିହାସର ସ୍ୱଳ୍ପ ଆଲୋଚିତ କଳା ଅଧ୍ୟାୟକୁ ପରଦାରେ ଉତାରିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରି । ରିଲିଜର ଅଳ୍ପ ଦିନ ଭିତରେ ଖାଲି ଦେଶ କାହିଁକି ବିଶ୍ୱ ସ୍ତରରେ ଚହଳ ସୃଷ୍ଟି କରିଛି ଫିଲ୍ମ ଦି କାଶ୍ମୀର ଫାଇଲ୍ସ ।

ଏଥିରେ ନିଖୁଣ ଅଭିନୟ ପାଇଁ ବିପୁଳ ପ୍ରଶଂସା ସାଉଁଟିଛନ୍ତି ଅଭିନେତା ଅନୁପମ୍ ଖେର୍ । ଅନୁପମ୍ ଖେର ପୁଷ୍କରନାଥ ପଣ୍ଡିତଙ୍କ ଭୂମିକାରେ ନଜର ଆସିଛନ୍ତି । ତାଙ୍କ ସମ୍ମୁଖରେ ପୁଅ, ବୋହୂ, ନାତିଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ସାରା ଜୀବନ ସେ କାଶ୍ମୀର ଫେରିବାକୁ ଚେଷ୍ଟା କରି ବି ଯାଇପାରିନଥିଲେ । ଏହାରି ମଧ୍ୟରେ କିଛି ସତ ଘଟଣା ଯେପରି ଦିଲ୍ଲୀର ଏକ ବିଶ୍ୱବିଦ୍ୟାଳୟର ଆଜାଦୀ ସ୍ଲୋଗାନ୍, ଛାତ୍ର ରାଜନୀତିରେ କାଶ୍ମୀର ପ୍ରସଙ୍ଗ, ଜଷ୍ଟିସ୍ ନୀଳକଣ୍ଠ ଗଙ୍ଗୋ ହତ୍ୟା ଏବଂ କାଶ୍ମୀର ରାଜନୀତିର କିଛି ପ୍ରମୁଖ ଚେହେରାଙ୍କୁ ବି କାହାଣୀରେ ସାମିଲ କରାଯାଇଛି ।

ଅନୁପମ୍ ଖେରଙ୍କ ସହିତ ଫିଲ୍ମରେ ମିଥୁନ୍ ଚକ୍ରବର୍ତ୍ତି, ପଲ୍ଲବୀ ଯୋଶୀଙ୍କ ସମେତ ଅନେକ ନବାଗତ ଅଭିନେତାଙ୍କୁ ଦେଖିବାକୁ ମିଳୁଛି । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କିଛି ଦିନ ତଳେ ସାକ୍ଷାତ କରିଥିବା ବେଳେ, ଫିଲ୍ମକୁ ମୋଦି ମଧ୍ୟ ଭୁରି ଭୁରି ପ୍ରଂଶସା କରିଛନ୍ତି । ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ୨୦୧୯ରେ ତାସକେଣ୍ଟ ଫାଇଲସ୍ ନିର୍ମାଣ କରିଥିଲେ ଅଗ୍ନିହୋତ୍ରି ।