ହ୍ୟୁମାନଙ୍କ ଘରେ ଧର୍ମକୁ ନେଇ ଦାମ୍ପତ୍ୟ କଳି, ନା ଦାମ୍ପତ୍ୟ କଳିରେ ପଶିଛି ଧର୍ମ ? 

ଜଗନ୍ନାଥଙ୍କୁ ଘରେ ରଖି ପୂଜା କରୁଥିବାର ଦେଖାଇଲେ ଦୃଶ୍ୟ । ଧର୍ମାନ୍ତରୀକରଣ ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନଙ୍କ ମାଆ ।

Humane sagar

ଧର୍ମୀୟ ଭାବନାର କାଠଗଡ଼ାରେ ସିଙ୍ଗର ସେଲିବ୍ରିଟି ହ୍ୟୁମାନ ସାଗର । ଛନ୍ଦି ହୋଇଯାଇଛନ୍ତି ପତ୍ନୀକୁ ଧର୍ମାନ୍ତରୀକରଣ ଅଭିଯୋଗର ଜାଲରେ । ଗତକାଲି କଟକ ମହିଳା ଥାନାରେ ପହଞ୍ଚି ନିଜର ପକ୍ଷ ରଖିଥିବା ହ୍ୟୁମାନ ଏବଂ ତାଙ୍କ ମା ଆଜି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି ନିଜ ଭାବନା ଓ ଆବେଗ । ଦେଖାଇଛନ୍ତି କଟକ ସିଡିଏ-୬ ସ୍ଥିତ ଭଡ଼ାଘରର ଦୃଶ୍ୟ । ଯେଉଁଘରେ ପୂଜା ପାଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । କହିଛନ୍ତି, ଏଇଠି ଶ୍ରୀୟା ମିଶ୍ର ବି ପୂଜାପାଠ କରନ୍ତି, ତାଙ୍କ ପରିବାର ଲୋକ ଆସିଲେ ବି ଠାକୁରଙ୍କୁ ପୂଜନ୍ତି ।

ଆମେ ସବୁ ଧର୍ମକୁ ସମ୍ମାନ କରୁ, କାହାକୁ ଆମ ଧର୍ମକୁ ଆସିବାକୁ ଚାପ ପକାଇନୁ । ଯାହାସବୁ ଅଭିଯୋଗ ଆସିଛି ସମ୍ପୂର୍ଣ୍ଣ ମିଛ । ତଥାପି ମୁଁ ଚାହୁଁଛି, ହ୍ୟୁମାନ ଏବଂ ଶ୍ରୀୟାଙ୍କ ମଧ୍ୟରେ ବିବାଦ ତୁଟିଯାଉ ବୋଲି କହିଛନ୍ତି ହ୍ୟୁମାନଙ୍କ ମା । ନିଜେ ହ୍ୟୁମାନ ମଧ୍ୟ କହିଛନ୍ତି, ଯେଉଁ ଅଭିଯୋଗ ଆସିଛି, ସେଥିପାଇଁ ମୁଁ ମାନସିକ ଆଘାତ ପାଇଛି । ବିଶ୍ୱାସ ଅଛି, ସବୁ ଠିକ୍ ହୋଇଯିବ । 

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ହ୍ୟୁମାନ ସାଗର ଏବଂ ପୁରୀ ସହରର ଶ୍ରୀୟା ମିଶ୍ର । ଉଭୟେ କଣ୍ଠଶିଳ୍ପୀ ହୋଇଥିବାରୁ ବିିଭିନ୍ନ ରିୟଲିଟି ସୋରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୁଏ ପରିଚୟ । ଆଉ ସେହି ପରିଚୟରୁ ପ୍ରେମ ଓ ପରେ ୨୦୧୫ରେ ହୁଏ ପ୍ରେମ ବିବାହ । ବିବାହକୁ ଇତିମଧ୍ୟରେ ବିତିଯାଇଛି ୭ ବର୍ଷ । ବିବାହ ପରଠୁ ଭଡ଼ା ଘରେ ହିଁ ରହିଆସୁଥିଲେ ହ୍ୟୁମାନ ଏବଂ ଶ୍ରୀୟା । ତେବେ ୭ ବର୍ଷ ପରେ ଧର୍ମାନ୍ତରୀକରଣ ଅଭିଯୋଗ ପ୍ରସଙ୍ଗ ଉଠିବା ପଛର ରହସ୍ୟ କଣ ? ଧର୍ମକୁ ନେଇ ଦାମ୍ପତ୍ୟ କଳି ନା ଦାମ୍ପତ୍ୟ କଳି ଭିତରେ ଧସେଇ ପଶିଛି ଧର୍ମ ?

ନିର୍ଯାତନାରୁ ଅତିଷ୍ଠ ହେବା ପରେ ହ୍ୟୁମାନ ଓ ଶ୍ରୀୟାଙ୍କ ମଧ୍ୟରେ ବଢିଯାଇଛି କି ଭୟଙ୍କର ତିକ୍ତତା ? ନା ଏହି ଦମ୍ପତିଙ୍କ ମଧ୍ୟରେ କୌଣସି ତୃତୀୟ ବ୍ୟକ୍ତିଙ୍କ ରହିଛି ଅବାଧ ପ୍ରବେଶ ? ଯାହାକୁ ନେଇ ବିବାଦ ଉଗ୍ର ହେବା ସହ ଶ୍ରୀୟାଙ୍କ ବାପା କାଲି ରୋକଠୋକ୍ ଶୁଣାଇ ଦେଇଥିଲେ ଝିଅ ଆଉ ହ୍ୟୁମାନ ପାଖକୁ ଯିବ ନାହିଁ । ତେବେ ଶ୍ରୀୟାଙ୍କ ଓକିଲ କହିଛନ୍ତି, ପୂର୍ବରୁ ତାଙ୍କ ଘରେ ଜଗନ୍ନାଥ ମୂର୍ତ୍ତି ଆଦୌ ନଥିଲା । ଲୁଚେଇ କି ବାକ୍ସରେ ଶ୍ରୀୟା ପୂଜା କରୁଥିଲେ । ଆଜିକାଲି ଭିତରେ ଶ୍ରୀୟାଙ୍କ ଶାଶୁ ଘର ଲୋକେ ଜଗନ୍ନାଥ ମୂର୍ତ୍ତି ଆଣି ଘରେ ରଖିଥିବେ ବୋଲି କହିଛନ୍ତି ଶ୍ରୀୟାଙ୍କ ଓକିଲ । ତଥାପି ବିବାଦର ସମାଧାନ ହୋଇଯିବା ଉଚିତ ବୋଲି କହିଛନ୍ତି ।

ଘରୋଇ ହିଂସା ସହ ନିର୍ଯାତନା ଅଭିଯୋଗ ମାମଲାରେ କଟକ ମହିଳା ଥାନାରେ ଶ୍ରୀୟା ମିଶ୍ରଙ୍କ ଅଭିଯୋଗ ପରେ ଗତକାଲି ହ୍ୟୁମାନ, ତାଙ୍କ ମା ଏବଂ ନିଜେ ଶ୍ରୀୟା ଥାନାରେ ହାଜର ହୋଇ ପକ୍ଷ ରଖିଥିଲେ । ତାସହ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦୁଇଦିନ ସମୟ ନେଇଥିଲେ । ତେବେ ଆସନ୍ତାକାଲି ପରେ ସ୍ପଷ୍ଟ ହେବ, ଉଭୟ ପକ୍ଷଙ୍କ କି ଆଭିମୁଖ୍ୟ ରହିଛି ଏବଂ ମାମଲା କେଉଁ ଦିଗକୁ ଯାଉଛି ।