Sholay Completes 50 Years: କେଉଁଠି ଅଛନ୍ତି ଠାକୁର ସାହେବ ଆଉ ଗବ୍ବର ସିଂ ? କ’ଣ କରୁଛନ୍ତି ବୀରୁ, ଜୟ ଆଉ ବସନ୍ତୀ ?

୫୦ ବର୍ଷ ବିତିଗଲାଣି । ତଥାପି ବଲିଉଡରେ ‘ସୋଲେ’ ଫିଲ୍ମର ଚମକ କମିନି । ସମୟର ଚୋରାବାଲିରେ ହଜିଯାଇନି ଏହି ଚଳଚ୍ଚିତ୍ର ଅସ୍ତିତ୍ୱ । ପୀଢି ପରେ ପୀଢି ଯିଏ ଦେଖୁଛି ହଜି ଯାଉଛି, ମଜ୍ଜି ଯାଉଛି । ମନ କହୁଛି ପୁଣି ଥରେ ଦେଖିବାକୁ । ଫିଲ୍ମଟିକୁ ଯେତେବେଳେ ଦେଖିଲେ ଲାଗୁଛି ଯେମିତି ଏବେ ଏବେ ତିଆରି ହୋଇଛି । ୧୯୭୫ରେ ରମେଶ ସିପ୍ପିଙ୍କ ନିର୍ଦ୍ଦେଶତ ଫିଲ୍ମ ‘ସୋଲେ’ ଇତି ମଧ୍ୟରେ ୫୦ ବର୍ଷରେ ପାଦ ଦେଇଛି । ହେଲେ ଫିଲ୍ମର ଚରିତ୍ର ଜୟ, ବୀରୁ, ବସନ୍ତୀ, ଗବ୍ବରଙ୍କ ବୟସ ଦର୍ଶକଙ୍କ ମନରେ ସେମିତି ଚୀର ସବୁଜ ହୋଇ ରହି ଯାଇଛି ।

୫୦ ବର୍ଷ ପୂରଣ କଲା ‘ସୋଲେ’

୫୦ ବର୍ଷ ବିତିଗଲାଣି । ତଥାପି ବଲିଉଡରେ ‘ସୋଲେ’ ଫିଲ୍ମର ଚମକ କମିନି । ସମୟର ଚୋରାବାଲିରେ ହଜିଯାଇନି ଏହି ଚଳଚ୍ଚିତ୍ର ଅସ୍ତିତ୍ୱ । ପିଢି ପରେ ପିଢି ଯିଏ ଦେଖୁଛି ହଜି ଯାଉଛି, ମଜ୍ଜି ଯାଉଛି । ମନ କହୁଛି ପୁଣି ଥରେ ଦେଖିବାକୁ । ଫିଲ୍ମଟିକୁ ଯେତେବେଳେ ଦେଖିଲେ ଲାଗୁଛି ଯେମିତି ଏବେ ଏବେ ତିଆରି ହୋଇଛି । ୧୯୭୫ରେ ରମେଶ ସିପ୍ପିଙ୍କ ନିର୍ଦ୍ଦେଶତ ଫିଲ୍ମ ‘ସୋଲେ’ ଇତି ମଧ୍ୟରେ ୫୦ ବର୍ଷରେ ପାଦ ଦେଇଛି । ହେଲେ ଫିଲ୍ମର ଚରିତ୍ର ଜୟ, ବୀରୁ, ବସନ୍ତୀ, ଗବ୍ବରଙ୍କ ବୟସ ଦର୍ଶକଙ୍କ ମନରେ ସେମିତି ଚୀର ସବୁଜ ହୋଇ ରହି ଯାଇଛି ।

କିଏ ନେଇଥିଲେ କେତେ ଫି

୧୯୭୫ ମସିହାରେ ଏକ କୋଟି ବଜେଟରେ ଆରମ୍ଭ ହୋଇଥିଲା ‘ସୋଲେ’ । ହେଲେ ଶେଷବେଳକୁ ୩ କୋଟି ଖର୍ଚ୍ଚ ହୋଇ ସାରିଥିଲା । ହେଲେ ଫିଲ୍ମଟି ସେତେବଳେ ହଇଚଇ ସୃଷ୍ଟି କରିଥିଲା । ୨୫ କୋଟିର ଟିକେଟ ବିକ୍ରି ସହ ୩୦ କୋଟିର ବ୍ୟବସାୟ କରିଥିଲା ଫିଲ୍ମଟି ।ଷ୍ଟାରମାନଙ୍କ ଫି ଶୁଣିଲେ ଆଜିକା ପିଢିର ଦର୍ଶକ ଆଶ୍ଚର୍ଯ୍ୟ ହୋଇଯିବେ । ସେତେବେଳେ ଧର୍ମେନ୍ଦ୍ର ଏହି ଫିଲ୍ମ ପାଇଁ ସର୍ବାଧିକ ଫି ନେଇଥିଲେ । ତାଙ୍କୁ ମିଳିଥିଲା ଦେଢଲକ୍ଷ ଟଙ୍କା । ସେହିପରି ସଞ୍ଜୀବ କୁମାରଙ୍କୁ ଲକ୍ଷେ ୨୫ ହଜାର, ଅମିତାଭ ବଚ୍ଚନଙ୍କୁ ଏକ ଲକ୍ଷ ଟଙ୍କା, ହେମାମାଳିନୀଙ୍କୁ ୭୫ ହଜାର, ଜୟା ବଚ୍ଚନଙ୍କୁ ୩୫ ହଜାର ଟଙ୍କା ମିଳିଥିଲା ଅଭିନୟ ପାଇଁ ।

ଆସନ୍ତୁ ଜାଣିବା, ଦର୍ଶକଙ୍କ ହୃଦୟ ଜିତିଥିବା ସୋଲେର ଏହି ଷ୍ଟାରମାନେ ଆଜି କ‘ଣ କରୁଛନ୍ତି ? କେମିତି ଅଛନ୍ତି ?

ଅମିତାଭ ବଚ୍ଚନ: ସେଦିନ ସୋଲେର ଜୟ ଆଜି ବି ପ୍ରତିଟି ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି । ଇତି ମଧ୍ୟରେ ୫୦ ବର୍ଷ ବିତି ଯାଇଛି, ହେଲେ ଜୟ ଓରଫ ଅମିତାଭ ବଚ୍ଚନ ସେମିତି ଚୀରସବୁଜ ଅଭିନେତା ଭାବେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି । ବିଗ ବସ୍ ହୋଷ୍ଟ ସିଟରେ ବସିପଡ଼ିଲେ ତାଳିରେ ଉଛୁଳି ପଡୁଛି ହଲ । ଛୋଟ ପରଦାରୁ ବଡ ପରଦା ପୁଣି ରିଅଲିଟି କୁଇଜ ମଞ୍ଚ ସବୁଥିରୁ ପ୍ରଶଂସା ସାଉଁଟୁଛନ୍ତି ବିଗ ବି । ୭୦ ଦଶକର ଫିଲ୍ମ ସୋଲେ ଏବଂ ଦିୱାର ଅମିତାଭଙ୍କ କ୍ୟାରିଅର ଉଜ୍ଜ୍ୱଳ କରି ଦେଇଥିଲା । ସେଦିନ ଦର୍ଶକଙ୍କ ପାଇଁ ଅମିତାଭ ଯେମିତି ଥିଲେ ଆଜି ବି ସେମିତି ଅଛନ୍ତି । ୨୦୨୨ରେ ମଧ୍ୟ ତାଙ୍କର ଫିଲ୍ମ ବ୍ରହ୍ମାସ୍ତ୍ର ଏବଂ ରନୱେ-୩୫୪ରେ ଦର୍ଶକଙ୍କ ପ୍ରଶଂସା ପାଇଛନ୍ତି । ଲୋକପ୍ରିୟ କୁଇଜ ସୋ କୌନ ବନେଗା କରୋଡପତିରେ ହୋଷ୍ଟିଂ କରି ଲୋକପ୍ରିୟତା ସାଉଁଟୁଛନ୍ତି । ଏହାବ୍ୟତୀତ ସୋସିଆଲ ମିଡିଆରେ ବି ବେଶ ଆକ୍ଟିଭ ଅଛନ୍ତି ଅମିତାଭ ।

ଧର୍ମେନ୍ଦ୍ର: ସୋଲେର ବୀରୁଙ୍କୁ ଆଜିକାଲି ବଲିଉଡରେ ବେଶି ଦେଖିବାକୁ ମିଳୁନି ସତ ହେଲେ ବଲିଉଡ ପ୍ରେମୀଙ୍କ ହୃଦୟରୁ ହଜି ନାହାଁନ୍ତି । ୨୦୦୭ରେ ଦୁଇ ପୁଅ ସନି ଓ ବବିଙ୍କ ସହ ଫିଲ୍ମ ‘ଅପନେ’ରେ ଅଭିନୟ କରିଥିଲେ । ଏହାବ୍ୟତୀତ ୨୦୧୧ରୁ ୨୦୧୩ରେ ରିଲିଜ ହୋଇଥିଲା ‘ୟମଲା ପଗଲା ଦିୱାନା’ ସିରିଜ । ଏଥିରେ ମଧ୍ୟ ଧର୍ମେନ୍ଦ୍ର ତାଙ୍କର ଦୁଇ ପୁଅଙ୍କ ସହ ମିଶି ଅଭିନୟ କରିଥିଲେ । ସେହିପରି ୨୦୧୧ରେ ହେମାମାଳିନୀଙ୍କ ନିର୍ଦ୍ଦେଶିତ ‘ଟେଲ ମି ଓ ଖୁଦ୍ଦା’ ଫିଲ୍ମ ରିଲିଜ ହୋଇଥିଲା ଯେଉଁଥିରେ ଈଶାଙ୍କ ସହ ଧର୍ମେନ୍ଦ୍ର ଅଭିନୟ କରିଥିଲେ । ୨୦୧୫ରେ ଧର୍ମେନ୍ଦ୍ରଙ୍କର ଆଉ ଏକ ଫିଲ୍ମ ରିଲିଜ ହୋଇଥିଲା ‘ସେକେଣ୍ଡ ହାଣ୍ଡ ହଜବ୍ୟାଣ୍ଡ’ । ଏପରିକି ୨୦୨୪ରେ ‘ତେରି ବାତୋଁ ମେଁ ୟେଶା ଉଲ୍ଝା ଜିଆ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ତେବେ ଧର୍ମେନ୍ଦ୍ର ଆଜିକାଲି ନିଜ ପରିବାର ସହ ସମୟ ବିତାଉଥିବା ଦେଖିବାକୁ ମିଳୁଛି ।

ସଞ୍ଜୀବ କୁମାର: ସୋଲେ ଫିଲ୍ମର ଅନ୍ୟତମ ନାୟକ ତଥା ଜାତୀୟ ପୁରସ୍କାର ବିଜେତା ସଞ୍ଜୀବ କୁମାର ଆଜି ଆଉ ନାହାନ୍ତି । ମୃତ୍ୟୁ ତାଙ୍କୁ ଏ ଦୁନିଆରୁ ନେଇ ଯାଇଛି ସତ ହେଲେ ଦର୍ଶକଙ୍କ ହୃଦୟରୁ ଠାକୁର ବଲଦେବ ସିଂହଙ୍କୁ କିନ୍ତୁ ନେଇ ପାରିନି । ସୋଲେ ଫିଲ୍ମର ଠାକୁର ବଲଦେବ ସିଂହ ଭୂମିକାରେ ଅଭିନୟ କରି ସଞ୍ଜୀବ କୁମାର ଦର୍ଶକଙ୍କ ହୃଦୟରେ ଏକ ଛାପ ଛାଡି ଯାଇଛନ୍ତି । ୧୯୮୫ ନଭେମ୍ବର ୬ ତାରିଖରେ ମାତ୍ର ୪୭ ବର୍ଷ ବୟସରେ ସମୟ ସୁଅରେ ସବୁଦିନ ପାଇଁ ହଜିଯାଇଥିଲେ ଏହି ଅଭିନେତା । ସୋଲେ ଫିଲ୍ମ ଆଜି ତାର ୫୦ ବର୍ଷ ପୂର୍ତ୍ତି ପାଳୁଥିବାବେଳେ ଏହି ଖୁସିରେ ସାମିଲ ହେବାକୁ ସେ ନାହାନ୍ତି ।

ହେମାମାଳିନୀ: ସୋଲେର ବସନ୍ତୀଙ୍କୁ ଆଜି ଅନେକ ଭୂମକାରେ ଦେଖିବାକୁ ମିଳେ । ଯେମିତି ଡ୍ୟାନ୍ସର, ନିର୍ଦ୍ଦେଶିକା ଏବଂ ଶେଷରେ ରାଜନେତା । ଜଣେ ଭାରତନାଟ୍ୟମ ଡ୍ୟାନ୍ସର ଏବଂ ଅଭିନେତ୍ରୀ ଭାବେ ଅଜସ୍ର ସଫଳତା ପାଇଛନ୍ତି । ୧୯୯୧ରେ ସେ ‘ଦିଲ ଆସନା ହୈ’ ଏବଂ ୨୦୧୧ରେ ‘ଟେଲ ମି ଓ ଖୁଦ୍ଦା’ର ନିର୍ଦ୍ଦେଶନା ବି ଦେଇଛନ୍ତି । ସୋଲେ ଫିଲ୍ମରେ ବୀରୁ ଆଉ ବସନ୍ତୀଙ୍କର ସେଇ ପ୍ରେମକାହାଣୀ ରିଅଲ ଲାଇଫରେ ବାସ୍ତବ ରୂପ ନେଇଥିଲା । ପରବର୍ତ୍ତୀ ସମୟରେ ଧର୍ମେନ୍ଦ୍ର-ହେମା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ନୃତ୍ୟ, ଅଭିନୟ, ନିର୍ଦ୍ଦେଶନା ସବୁରେ ସଫଳତା ପାଇବା ପରେ ଏବେ ରାଜନୀତିରେ ପାଦ ଦେଇଛନ୍ତି ହେମାମାଳିନୀ । ରାଜ୍ୟସଭା ସଦସ୍ୟ ହେବା ପରେ ୨୦୨୪ରେ ପ୍ରଥମ ଥର ପାଇଁ ମଥୁରା ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ଏବଂ ଜିତିଥିଲେ ମଧ୍ୟ । ଏବେ ରାଜନୀତିରେ ମନୋନିବେଶ କରିବା ସହ ଅନ୍ୟ ସମୟ ନିଜ ପରିବାର ସଦସ୍ୟଙ୍କ ସହ କଟାଉଛନ୍ତି ।

ଜୟା ବଚ୍ଚନ: ସୋଲେର ନୀରବ ନାୟିକ ରାଧା ଆଉ ଜୟଙ୍କ ଅଧୁରା ପ୍ରେମ କାହାଣୀ ରିଅଲ ଲାଇଫରେ ପୂର୍ଣ୍ଣତା ପାଇଛି । ଜୟ (ଅମିତାଭ) ଓ ରାଧା(ଜୟାବଚ୍ଚନ)ଙ୍କ ଦାମ୍ପତ୍ୟ ଜୀବନ ବେଶ ହସଖୁସିରେ ଚାଲିଛି । ବଲିଉଡକୁ କୋରାକାଗଜ, ଅଭିମାନ, ଉପହାର, ସିଲସିଲା, ଗୁଡ୍ଡି, କଭି ଖୁସି କଭି ଗମ, କଲ ହୋ ନ ହୋ ପରି ଅନେକ ହିଟ ଫିଲ୍ମ ଉପହାର ଦେବା ପରେ ରାଜନୀତିକୁ ଆସିଛନ୍ତି ଜୟା । ଏବେ ସମାଜବାଦୀ ପାର୍ଟିରୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ରାଜନୀତିରେ ସେ ବେଶ ସକ୍ରିୟ ଅଛନ୍ତି ।

ଅମଜାଦ ଖାନ୍: ସୋଲେ ଫିଲ୍ମର ସବୁଠାରୁ ଆକର୍ଷଣୀୟ ଚରିତ୍ର ଥିଲା ଗବ୍ବର ସିଂହ । ଗବ୍ବର ସିଂହର ଡାଇଲଗ ‘ଅବ ତେରା କ୍ୟା ହୋଗା ରେ କାଲିଆ...’ଏବେ ବି ଲୋକଙ୍କ ମନରୁ ଲିଭିନି । ନେଗେଟିଭ ହେଲେ ବି ଫିଲ୍ମର ସବୁଠାରୁ ବଳିଷ୍ଠ ଚରିତ୍ର ଥିଲା ଗବ୍ବର ସିଂହ । କୁହାଯାଏ, କୁଆଡେ ଧର୍ମେନ୍ଦ୍ରଙ୍କୁ ଏହି ରୋଲ ପ୍ରଥମେ ମିଳିଥିଲା । ହେଲେ ହେମାମାଳିନୀଙ୍କ ସହ ଅଭିନୟ କରିବା ପାଇଁ ସେ ଗବ୍ବର ସିଂହ ରୋଲ ଛାଡି ବୀରୁ ଭୂମିକାରେ ଅଭିନୟ କରିଥିଲେ । ଯାହା ବି ହେଉ, ଏହି ରୋଲ ମିଳିଥିଲା ଅମଜାଦ ଖାନଙ୍କୁ । ଫିଲ୍ମର ୫୦ ବର୍ଷ ପୂର୍ତ୍ତ ଖୁସି ମନାଇବା ପାଇଁ ଏହି ନାୟକ ଜଣକ ମଧ୍ୟ ଆଉ ନାହାଁନ୍ତି । ୧୯୯୨ରେ ସେ ସବୁଦିନ ପାଇଁ ଦୁନିଆ ଛାଡି ଚାଲି ଯାଇଛନ୍ତି । ସୋଲେ ଫିଲ୍ମ ପରେ ୧୯୮୧ରେ ‘ନସୀବ’, ୧୯୮୨ରେ ‘ସତ୍ତେ ପେ ସତ୍ତା’ ପରି ଫିଲ୍ମରେ ଅଭିନୟ କରିଥିଲେ । ତେବେ ମୃତ୍ୟୁ ପରେ ତାଙ୍କର ଅନେକ ଫିଲ୍ମ ରିଲିଜ ହୋଇଥିଲା ।