Sanjay Dutt wants to bring heroism back in bollywood
KGF: 2 ନେଇ ଦର୍ଶକଙ୍କ ଠାରୁ ଆସୁଥିବା ଜବରଦସ୍ତ ପ୍ରତିକ୍ରିୟା ଯୋଗୁଁ ସଞ୍ଜୟ ଦତ୍ତଙ୍କ ଖୁସି ଏବେ କହିଲେ ନ ସରେ। ସେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭିଲେନ୍ ଅଧିରା ଭୂମିକାରେ ଅଭିନୟ କରିଛନ୍ତି। ଦୀର୍ଘ ସମୟର ଅପେକ୍ଷା ପରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଏବଂ ଦେଶର କୋଣ ଅନୁକୋଣରୁ ଜବରଦସ୍ତ ପ୍ରତିକ୍ରିୟା ସାଉଁଟିବାରେ ଲାଗିଛି। ଏହି ଫିଲ୍ମ ପ୍ରଶାନ୍ତ ନୀଲଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ବେଳେ ଏବେସୁଦ୍ଧା ସାରା ବିଶ୍ୱରେ ୫୫୦ କୋଟିରୁ ଅଧିକ ରୋଜଗାର କରିସାରିଲାଣି।
ଚଳଚ୍ଚିତ୍ରର ସଫଳତାକୁ ନେଇ ସଞ୍ଜୟ ଦତ୍ତ କହିଛନ୍ତି ଯେ ଏହି ସଂଖ୍ୟା ତାଙ୍କ ପାଇଁ ଏବେ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେ କହିଛନ୍ତି ଯେ “ଗତ ଦୁଇ ବର୍ଷ ଆମ ପାଇଁ ଖରାପ ଥିଲା। ତେଣୁ ଆମେ ସମସ୍ତେ ଭଲ ରୋଜଗାରରେ ଖୁସି। କିନ୍ତୁ ମୁଁ ସଂଖ୍ୟାକୁ ନେଇ ଅଧିକ ଚିନ୍ତା କରେ ନାହିଁ। ମୁଁ ଭାବୁଛି ବକ୍ସ ଅଫିସ୍ ସଂଗ୍ରହ ପ୍ରଡ୍ୟୁସର୍ ପାଇଁ ଭଲ ହୋଇଥାଏ। ଜଣେ ଅଭିନେତା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ତାଙ୍କ କାମକୁ ପ୍ରଶଂସା କରାଯିବା। ଯେତେବେଳେ ଦର୍ଶକମାନେ ମୋ କାମକୁ ପସନ୍ଦ କରନ୍ତି ମୁଁ ସବୁଠାରୁ ବେଶି ଖୁସି ହୁଏ।”
ପ୍ରକାଶଥାଉ ଯେ କିଛି ମାସ ପୂର୍ବେ ସଞ୍ଜୟ ଦତ୍ତ ତାଙ୍କର ନୂଆ ପ୍ରଡକ୍ସନ କମ୍ପାନୀ ଥ୍ରୀ ଡାୟମେନ୍ସନ୍ ମୋଶନ୍ ପିକ୍ଚର୍ସ ଲଞ୍ଚ୍ କରିଥିଲେ। ଏହା ଦ୍ୱାରା ସେ ବଲିଉଡ୍ରେ ହୀରୋଗିରି ଫେରାଇ ଆଣିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ “ଯୋଜନା ଏହା ଯେ ମାସ୍ ଏଣ୍ଟର୍ଟେନ୍ମେଣ୍ଟ୍ ଫିଲ୍ମ ହେଉ ଓ ମାଚୋ ହୀରୋଙ୍କୁ ଫେରେଇ ଅଣାଯାଉ। ମୁଁ ଗତ ୫ ଦଶନ୍ଧି ଧରି ଏହିପରି ଆକ୍ସନ୍ ଫିଲ୍ମ ଏବଂ ସମସାମୟିକ ଚଳଚ୍ଚିତ୍ର କରିସାରିଛି। ଆମେ ହୀରୋଗିରି ଭୂମିକାରୁ ଆରମ୍ଭ କରିଥିଲୁ କିନ୍ତୁ ଏବେ ଆମେ ଏହିପରି ଚଳଚ୍ଚିତ୍ର ନିର୍ମାଣ ବନ୍ଦ କରିଦେଇଛୁ। ମୁଁ ସେସବୁକୁ ଫେରାଇ ଆଣିବାକୁ ଚାହୁଁଛି।”
ଉଦାହରଣ ଦେଇ ସଞ୍ଜୟ ଦତ୍ତ ପୁଷ୍ପା: ଦି ରାଇଜ୍, କେଜିଏଫ୍: ୨ ଓ ଆର୍ଆର୍ଆର୍ ଭଳି ଚଳଚ୍ଚିତ୍ରର ନାମକରଣ କରିଛନ୍ତି ଯାହାକି ଅତୁଳନୀୟ ସଫଳତା ପାଇଛି। ଏହି ସମସ୍ତ ଚଳଚ୍ଚିତ୍ରରେ ହୀରୋଗିରିକୁ ଜମେଇକି ପ୍ରଦର୍ଶନ କରାଯାଇଛି ଏବଂ ସାଉଥ୍ ସିନେମା କ୍ରମାଗତ ଭାବରେ ଏମିତି କରୁଛି।
ସଞ୍ଜୟ ଦତ୍ତ ଆହୁରି କହିଛନ୍ତି, ଯେ “ବର୍ତ୍ତମାନ ଆମେ ଏହାକୁ ଭୁଲିଯାଇଛୁ। ଏହି ଧାରା ହେତୁ ମୁଁ ନିଜେ ହିରୋ ହୋଇଥିଲି। ଲୋକମାନେ ଏହିପରି ଚଳଚ୍ଚିତ୍ର ପସନ୍ଦ କରନ୍ତି ଏବଂ ମୁଁ ଭାବୁଛି ଏସବୁ ଫେରିବା ଉଚିତ।” ଏମିତିରେ ବି ଦର୍ଶକମାନେ ଆଜିକାଲି ଜୀବନ୍ତ ହିରୋ ବାଲା ଚଳଚ୍ଚିତ୍ର ପସନ୍ଦ କରୁଛନ୍ତି। ଏଭଳି ପରିସ୍ଥିତିରେ ସଞ୍ଜୟ ଦତ୍ତଙ୍କ ପ୍ରଡକ୍ସନ୍ ହାଉସ୍ କେଉଁ ପ୍ରକାରର ଚଳଚ୍ଚିତ୍ର ତିଆରି କରିବ ତାହା ଦେଖିବା ବାକି ରହିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650360105.jpg)