Rekha celebrating her 68th birthday know unknown facts about her
ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖା ଆଜି ତାଙ୍କର ୬୮ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୦ ଅକ୍ଟୋବର ୧୯୫୪ ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି। ୬୮ ବର୍ଷ ବୟସ ପରେ ମଧ୍ୟ ରେଖାଙ୍କ ସୌନ୍ଦର୍ଯ୍ୟରେ କୌଣସି ପ୍ରଭାବ ପଡିଥିବା ଭଳି ଲାଗେ ନାହିଁ। ତାଙ୍କ ସୌନ୍ଦର୍ଯ୍ୟ ଆଗରେ ଅନ୍ୟ ଅଭିନେତ୍ରୀଙ୍କ ଚେହେରା ମଳିନ ପଡିଯାଏ।
ରେଖାଙ୍କ ଚଳଚ୍ଚିତ୍ର ଜୀବନ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଅନେକ ମୋଡ ଆସିଛି, ସେ କିନ୍ତୁ କୌଣସି ପରିସ୍ଥିତିରେ ବି ଭାଙ୍ଗି ଯାଇ ନାହାନ୍ତି କି ହାର ମାନି ନାହାନ୍ତି। ଏହା ପରେ ବି ସଫଳତାର ପାହାଚ ଚଢିଛନ୍ତି। ତେବେ ଆସନ୍ତୁ ରେଖାଙ୍କ ଜୀବନ ସହିତ ଜଡିତ କିଛି ରୋଚକ କଥା ବିଷୟରେ ଜାଣିନେବା।
ରେଖା ୧୯୬୬ ମସିହାରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର 'ରଙ୍ଗୁଲା ରତ୍ନମ' ସହିତ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ସେହି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ରେଖା ତାଙ୍କ କ୍ୟାରିୟରରେ ପ୍ରାୟ ୧୭୫ ଟି ହିନ୍ଦୀ ଏବଂ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମ କରିଛନ୍ତି ଯେଉଁଥିରେ 'ଖୁବସୁରତ୍', 'ଖୁନ୍ ଭରୀ ମାଙ୍ଗ', 'ଖୁନ୍ ଔର୍ ପସିନା', 'ମୁକଦ୍ଦର କା ସିକନ୍ଦର' ଏବଂ 'ଉମ୍ରାଓ ଜାନ' ତାଙ୍କର ସଫଳ ଚଳଚ୍ଚିତ୍ରରେ ରହିଛି। ସେ ତିନୋଟି ଫିଲ୍ମଫେୟାର ଏବଂ ଗୋଟିଏ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି। ରେଖାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନ ମଧ୍ୟ ପ୍ରଦାନ କରିଛନ୍ତି।
ରେଖାଙ୍କ ବାପା ମିଥୁନ ଗଣେଶ ଜଣେ ଦକ୍ଷିଣ ଭାରତୀୟ ଅଭିନେତା ଥିଲେ। ସେ ୪ ଥର ବିବାହ କରିଥିଲେ। କିନ୍ତୁ ସେହି ସମୟରେ ତେଲୁଗୁ ଅଭିନେତ୍ରୀ ଥିବା ରେଖାଙ୍କ ମା’ ପୁଷ୍ପାଭଲୀଙ୍କୁ ପତ୍ନୀ ଭାବେ ମାନ୍ୟତା ଦେଇ ନଥିଲେ। ଏହି କାରଣରୁ, ସେ କେବେବି ରେଖାଙ୍କୁ ଗ୍ରହଣ କରି ନଥିଲେ। ତେବେ ୧୯୯୦ ରେ, ଯେତେବେଳେ ରେଖା ତିରୁପତି ମନ୍ଦିରରେ ଦ୍ୱିତୀୟ ଥର ପାଇଁ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ, ସେତେବେଳେ ଗଣେଶ ତାଙ୍କୁ ଆଶୀର୍ବାଦ କରିବାକୁ ଆସିଥିଲେ।
୧୯୯୦ ମସିହାରେ, ରେଖା ଦିଲ୍ଲୀର ଶିଳ୍ପପତି ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ, ଯଦିଓ ଏହି ବିବାହ ବେଶୀ ଦିନ ତିଷ୍ଠି ନଥିଲା ଏବଂ ଦୁହେଁ ଛାଡପତ୍ର ଦେଇଥିଲେ। ପରେ ମୁକେଶ ଅଗ୍ରୱାଲ ଆତ୍ମହତ୍ୟା କରିଥିଲେ। କିନ୍ତୁ ଆଜି ମଧ୍ୟ ରେଖା ସିନ୍ଦୁର ଲଗଉଛନ୍ତି। ତାଙ୍କ ବିବାହ ପୂର୍ବରୁ ସେ ଋଷି କପୁର ଏବଂ ନୀତୁ ସିଂଙ୍କ ବିବାହରେ ସିନ୍ଦୁର ପିନ୍ଧି ପହଞ୍ଚିଥିଲେ। ପରେ ୨୦୦୮ ମସିହାରେ, ସେ ସିନ୍ଦୁର ପିନ୍ଧି ଏକ ପୁରସ୍କାର ବିତରଣ ଉତ୍ସବରେ ମଧ୍ୟ ପହଞ୍ଚିଥିଲେ। ତେବେ ସେ ଆଜି ପର୍ଯ୍ୟନ୍ତ କାହିଁକି ସିନ୍ଦୁର ଲଗାନ୍ତି ତାହାର ରହସ୍ୟ କେହି ଜାଣିପାରି ନାହାଁନ୍ତି।
ରେଖାଙ୍କ ଜୀବନରେ ନବୀନ ନିଶ୍ଚଲ, ଜିତେନ୍ଦ୍ର, ବିନୋଦ ମେହେରା, ବିଶ୍ୱଜିତ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ଭଳି ଅଭିନେତା ଆସିଥିଲେ, ଯାହାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ସୁପର୍ଷ୍ଟାର୍ ଅମିତାଭ ବଚ୍ଚନଙ୍କ ସହ ତାଙ୍କର ସମ୍ପର୍କ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା। ଦୁହେଁ ଏ ବିଷୟରେ କେବେ ବି ଖୋଲାଖୋଲି କହି ନାହାଁନ୍ତି। ଉଭୟଙ୍କ ମଧ୍ୟରେ କ’ଣ ଥିଲା ସଂପର୍କ ତାହା ଏବେ ବି ରହସ୍ୟ ହୋଇ ରହିଛି।
ଆଜି ବି ଯେତେବେଳେ ରେଖା ଏବଂ ଅମିତାଭ ବଚ୍ଚନ କୌଣସି ସମାରୋହରେ ଏକାଠି ଥାଆନ୍ତି, ସେତେବେଳେ ଲୋକଙ୍କ ଆଖି ସେମାନଙ୍କ ଉପରେ ଥାଏ। ଦୁହେଁ ଶେଷ ଥର ପାଇଁ ଫିଲ୍ମ 'ସିଲ୍ସିଲା'ରେ ଏକାଠି କାମ କରିଥିଲେ। ଏହି ଚଳଚ୍ଚିତ୍ରରେ ଜୟା ବଚ୍ଚନ ମଧ୍ୟ ଅଛନ୍ତି। କୁହାଯାଏ ଯେ ଏହି ଚଳଚ୍ଚିତ୍ର ରେଖାଙ୍କ ବାସ୍ତବ ଜୀବନର ଅତି ନିକଟତର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665326022.jpg)