ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କୁ ଅଶ୍ରୁଳ ବିଦାୟ

ପରିବାର, ପ୍ରୀୟଜନ, ବନ୍ଧୁ ତାଙ୍କ ଅନ୍ତିମ ସତ୍କାରରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ପଟିଆ ସ୍ଥିତ ବାସଭବନରେ ପିଣ୍ଟୁଙ୍କୁ ଆଜି ଶହ ଶହ ଫ୍ୟାନ୍ସ ଓ ସମର୍ଥକ ଶେଷ ଦର୍ଶନ କରିଥିଲେ ।

ଅନ୍ତିମ ଯାତ୍ରାରେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ

ଅନ୍ତିମ ଯାତ୍ରାରେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ପୁରୀ ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି । ପରିବାର, ପ୍ରୀୟଜନ, ବନ୍ଧୁ ତାଙ୍କ ଅନ୍ତିମ ସତ୍କାରରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ପଟିଆ ସ୍ଥିତ ବାସଭବନରେ ପିଣ୍ଟୁଙ୍କୁ ଆଜି ଶହ ଶହ ଫ୍ୟାନ୍ସ ଓ ସମର୍ଥକ ଶେଷ ଦର୍ଶନ କରିଥିଲେ । ପିଣ୍ଟୁଙ୍କୁ ହରାଇ ଯେପରି ସମସ୍ତେ ଭାଙ୍ଗି ପଡ଼ିଛନ୍ତି ।

ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ ଅଭିନେତା ପିଣ୍ଟୁ ନନ୍ଦ । ପ୍ରଥମେ ଭୁବନେଶ୍ୱର ପରେ ଦିଲ୍ଲୀ ଏବଂ ହାଇଦ୍ରାବାଦରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ହେଲେ ଶେଷରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଥିଲେ ।

ଏପରି ସମୟରେ ପିଣ୍ଟୁଙ୍କ ଭାଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଜଣେ କଳାକାରକୁ ରାଜ୍ୟ ସରକାର ବଞ୍ଚାଇପାରିଲେନି । ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଦିଅନ୍ତୁ । ଆଜି କିଛି ଏଭଳି ଭାବେ ନିଜ ରୋଷ ରାଜ୍ୟ ସରକାରଙ୍କ ଉପରେ ପ୍ରକାଶ କରିଛନ୍ତି ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ଭାଇ ।

ସେ ଦୁଃଖ ଓ କୋହଭରା କଣ୍ଠରେ ମୁଖ୍ୟମନ୍ତ୍ରୀ, 5T ବ୍ୟବସ୍ଥା ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅସୁସ୍ଥ ଥିବା ବେଳେ ପିଣ୍ଟୁ ନନ୍ଦଙ୍କୁ ଅଣଦେଖା କରାଯାଇଛି । ଏବେ ରାଜ୍ୟ ସରକାର ଶୋକ ପ୍ରକାଶ କରୁଛନ୍ତି । ମାସେ ଧରି ଚିକିତ୍ସା ହେଉଥିଲା ବେଳେ କିଛି କଲେନି । ହକି ପାଇଁ ଟଙ୍କା ଖର୍ଚ୍ଚ କଲେ ସରକାର ।

ବାହାରୁ କଳାକାର ଆଣି ଅନେକ ଟଙ୍କା ଦେଲେ । ହେଲେ ରାଜ୍ୟର ଜଣେ କଳାକାରକୁ ବଞ୍ଚାଇ ପାରିଲେନି । 5T ନାଁରେ ଅନେକ ଡିଣ୍ଡିମ ପିଟୁଛନ୍ତି । ମାସେ ଧରି ପିଣ୍ଟୁ ଚିକିତ୍ସିତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏ ଖବର ପହଞ୍ଚିଥିବ । ଯଦି, ଖବର ନେଇନଥିବେ ତାହେଲେ ପଦ ଛାଡ଼ି ଦିଅନ୍ତୁ ବୋଲି ସିଧାସିଧା କହିଛନ୍ତି ପିଣ୍ଟୁଙ୍କ ଭାଇ ଅଭିରାମ ନନ୍ଦ ।