OTV Foresight 2023: ବକ୍ସି ଜଗବନ୍ଧୁ ଓ ଖାରବେଳଙ୍କ ଉପରେ ଫିଲ୍ମ ନ ହେବା ପଛରେ ଆମେ ଦାୟୀ; ସିଦ୍ଧାନ୍ତ ମହାପାତ୍ର

କେଉଁଠି ନା କେଉଁଠି ନିର୍ମାତା ଓ ନିର୍ଦ୍ଦେଶକମାନେ ଅଣଓଡିଆ ଚଳଚ୍ଚିତ୍ରର ଭାଷା ଓ କାହାଣୀକୁ କପି କରୁଥିବା ନଜର ଆସେ। ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଯେଉଁଥିରେ ଓଡିଆର ମୌଳିକତା ନଥିବ ସେଭଳି ଫିଲ୍ମ ବା ଗୀତ କରିବେ ନାହିଁ ବୋଲି ସିଦ୍ଧାନ୍ତ କହିଛନ୍ତି।

ଓଡିଆ ସିନେମାକୁ ନେଇ ନିଜ ମତ ରଖିଲେ ସିଦ୍ଧାନ୍ତ

ଓଡିଆ ଚଳଚ୍ଚିତ୍ର ଦୁନିଆରେ ଦେଖାଦେଇଛି ପରିବର୍ତ୍ତନର ଧାରା। ଧିରେ ଧିରେ ବଢିଚାଲିଛି ମୌଳିକତାର ଛୁଙ୍କ। ଅନ୍ୟ ଚଳଚ୍ଚିତ୍ରକୁ କପି କରିବାରୁ ଦୂରେଇ କିଛି ନିର୍ମାତା ଓ ନିର୍ଦ୍ଦେଶକ ଏବେ ନିଜ ନିଜ ଆଞ୍ଚଳିକ କାହାଣୀକୁ ନେଇ ଫିଲ୍ମ ତିଆରି କରିବା ଆରମ୍ଭ କରିଛନ୍ତି। ‘ଦମନ’ ଓ ‘ପ୍ରତୀକ୍ଷା’ ଏହାର ଉଦାହରଣ।

ନିକଟରେ ଓଡିଆ ଇଣ୍ଡଷ୍ଟ୍ରୀର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଫିଲ୍ମ ‘ବାପା ସୁପର୍‌ମ୍ୟାନ୍’ ରିଲିଜ୍ ହୋଇଛି। ଏହା ମଧ୍ୟ କପି ଦୁନିଆରୁ ବାଦପଡି ସମ୍ପୂର୍ଣ୍ଣ ମୌଳିକ ଧାରାରେ ତିଆରି ହୋଇଛି। ଏଥିରେ ସିଦ୍ଧାନ୍ତଙ୍କୁ ବାପା ଭୂମିକାରେ ଦେଖିବାକୁ ମିଳିଛି। ଫିଲ୍ମରେ ସମ୍ପୂର୍ଣ୍ଣ ଓଡିଆର ମହକ ଭରି ରହିଛି।

ଅଧିକ ପଢ଼ନ୍ତୁ: ‘ଓଡ଼ିଆ ଖାଦ୍ୟ ଭାରି ସୁଆଦିଆ...ଖେଚୁଡି ଓ ଡାଲମା ମୋର ବହୁତ ପସନ୍ଦ’

ଏସବୁ ପରେ ମଧ୍ୟ ଓଡିଆ ଚଳଚ୍ଚିତ୍ର ଦୁନିଆ ସମ୍ପୂର୍ଣ୍ଣ ଅଣଓଡିଆରୁ ମୁକ୍ତି ହେଇନି। କେଉଁଠି ନା କେଉଁଠି ନିର୍ମାତା ଓ ନିର୍ଦ୍ଦେଶକମାନେ ଅଣଓଡିଆ ଚଳଚ୍ଚିତ୍ରର ଭାଷା ଓ କାହାଣୀକୁ କପି କରୁଥିବା ନଜର ଆସେ। ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଯେଉଁଥିରେ ଓଡିଆର ମୌଳିକତା ନଥିବ ସେଭଳି ଫିଲ୍ମ ବା ଗୀତ କରିବେ ନାହିଁ ବୋଲି ସିଦ୍ଧାନ୍ତ କହିଛନ୍ତି।

ଓଟିଭି ତରଫରୁ ଆୟୋଜିତ ହୋଇଥିବା ‘ଫୋର୍‌ସାଇଟ୍’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ମତ ରଖିଛନ୍ତି ସିଦ୍ଧାନ୍ତ ମହାପାତ୍ର। ‘ଫୋର୍‌ସାଇଟ୍’ର ଦ୍ୱିତୀୟ ଅଧିବେଶନକୁ ଗୀତିକାର ତଥା ସଂଳାପକାର ବିଜୟ ମଲ୍ଲ ସଂଯୋଜନା କରୁଥିବା ବେଳେ ଆମେ କାହିଁକି ବକ୍ସି ଜଗବନ୍ଧୁ ଓ ଖାରବେଳଙ୍କ ଉପରେ ଫିଲ୍ମ ତିଆରି କରିନେ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଚଳଚ୍ଚିତ୍ର ଦୁନିଆକୁ ନେଇ ନିଜ ମନ କଥା କହିଥିଲେ ସିଦ୍ଧାନ୍ତ।

ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି…

ଫୋର୍‌ସାଇଟ୍‌ର ଦ୍ୱିତୀୟ ଅଧିବେଶନ ‘ଆଜିର ଓଡିଆ, ଗତାନୁଗତିକ ଧାରା ଠାରୁ କେତେ ଅଲଗା’ ବିଷୟକୁ ନେଇ ଗତି କରିଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଥାକାର ପାରମିତା ଶତପଥି, ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଭାଷାବୀତ ଅସିତ ମହାନ୍ତି ଅତିଥିଭାବେ ଯୋଗ ଦେଇଥିଲେ।