Advertisment

ପ୍ରସିଦ୍ଧ ଗାୟକ କେକେ ଦିନେ ହୋଟେଲ୍‌ରେ କାମ କରୁଥିଲେ

ହୃଦ୍‌ଘାତରେ ଜଣାଶୁଣା ଗାୟକ କେକେଙ୍କ ମୃତ୍ୟୁ ହୋଇଛି। ସେ ତାଙ୍କ ଜୀବନରେ ଅନେକ ସଫଳତା ପାଇଥିଲେ। କିନ୍ତୁ ସଂଗୀତ ଦୁନିଆର ଏହି ବାଦଶାହା କେବେ ବି ଗୀତ ଶିଖି ନଥିଲେ। ଆସନ୍ତୁ ତାଙ୍କ ବିଷୟରେ କେତେକ ଅଜଣା କଥା ଜାଣିନେବା।

ଅଦ୍ୟତନ ହୋଇଛି
KK profile, singer was inspired by kishore kumar

KK profile, singer was inspired by kishore kumar

Advertisment

ଜଣାଶୁଣା ଗାୟକ କୃଷ୍ଣକୁମାର କୁନ୍ନଥ ଓରଫ କେକେଙ୍କ ମଙ୍ଗଳବାର ରାତିରେ ମୃତ୍ୟୁ ହୋଇଛି। ହୃଦସ୍ପନ୍ଦନ ବୃଦ୍ଧି ଏହାର କାରଣ ହୋଇଛି। କେକେ କୋଲକାତାରେ ଏକ କନ୍‌ସର୍ଟ କରିବାକୁ ଯାଇଥିଲେ। ସେଠାରେ କନ୍‌ସର୍ଟ ଶେଷ କରିବା ପରେ ତାଙ୍କ ଦେହ ଖରାପ ହୋଇଯାଇଥିଲା ଏବଂ ସେ ଗଳି ପଡିଥିଲେ। ତାଙ୍କୁ ଯଥା ଶୀଘ୍ର ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଂଗୀତ ଦୁନିଆରେ ଚମକୁଥିବା ଏହି ତାରକା ୫୩ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଗଲେ।

Advertisment

ତାଙ୍କ ମୃତ୍ୟୁ ଖବର ଶୁଣି ସମଗ୍ର ଦେଶ ଗଭୀରଭାବେ ମର୍ମାହତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଆରମ୍ଭ କରି ସମସ୍ତ ବଡ ବ୍ୟକ୍ତିତ୍ୱ ଏହି ଅପୂରଣୀୟ କ୍ଷତି ପାଇଁ ଶୋକ ପ୍ରକାଶ କରୁଛନ୍ତି। କେକେଙ୍କ ଜୀବନ ଯାତ୍ରା ଖୁବ ସଫଳତା ଦେଇ ଚାଲିଥିଲା। ସେ ବଲିଉଡ୍‌କୁ ଅନେକ ହିଟ୍ ଗୀତ ଦେଇଛନ୍ତି। ତାଙ୍କ ଗୀତଗୁଡିକ ଲୋକଙ୍କ ଜିଭ ଅଗରେ ରହିଛି। ଏହା ମଧ୍ୟ ସେମିତି ରହିବ। କିନ୍ତୁ ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ସଂଗୀତ ଦୁନିଆର ଏହି ବାଦଶାହା କେବେ ଗୀତ ଶିଖି ନଥିଲେ। ତେବେ ଆସନ୍ତୁ ଏହି ପ୍ରସିଦ୍ଧ ଗାୟକଙ୍କ ବିଷୟରେ କିଛି ଅଜଣା କଥା ଜାଣିନେବା।

କେକେଙ୍କ ପ୍ରଥମ ଗୀତ:

ଅଧିକାଂଶ ଲୋକ ଜାଣନ୍ତି ଯେ କେକେ ତାଙ୍କ ସଂଗୀତ କ୍ୟାରିଅର୍ 'ତଡପ୍-ତଡପ୍ କେ ଇସ୍ ଦିଲ୍' ଗୀତରୁ ଆରମ୍ଭ କରିଥିଲେ। କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ୧୯୯୬ରେ ଆସିଥିବା ଲୋକପ୍ରିୟ ଫିଲ୍ମ 'ମାଚିସ୍'ର ‘ଛୋଡ୍ ଆଏ ହମ ଓ ଗଲିୟାଁ’ ଗୀତରେ କେକେ ଏକ ଅଂଶ ଥିଲେ। ଏହି ଗୀତରେ ତାଙ୍କର ସହ-ଗାୟକମାନେ ହେଲେ ହରିହରନ୍, ସୁରେଶ ୱାଡ୍‌କର ଏବଂ ବିନୋଦ ସେହଗଲ। ଏହି ଗୀତକୁ ବିଶାଲ ଭରଦ୍ୱାଜ ରଚନା କରିଥିଲେ। ଏହି ଗୀତଟି ଆଜିର ସମୟରେ ମଧ୍ୟ ଏକ ସୁପର ହିଟ୍।

Advertisment

ହୋଟେଲ୍‌ରେ କରିଥିଲେ ଚାକିରି:

ସଂଗୀତ ଜଗତରେ ପ୍ରବେଶ କରିବା ପାଇଁ ୧୯୯୪ରେ ମୁମ୍ବାଇ ଆସିବା ପୂର୍ବରୁ କେକେ ଏକ ହୋଟେଲରେ କାମ କରୁଥିଲେ। ଏକ ସାକ୍ଷାତକାର ସମୟରେ କେକେ ଏ କଥା କହିଥିଲେ। ଏଥିରେ ସେ ତାଙ୍କ ପତ୍ନୀ ଜ୍ୟୋତିଙ୍କୁ ତାଙ୍କ ସ୍ୱପ୍ନ ପୂରଣ କରିବାର ଯାତ୍ରାରେ ସର୍ବଦା ସାହାଯ୍ୟ କରିଥିବାରୁ ତାଙ୍କୁ ଶ୍ରେୟ ଦେଇଥିଲେ।

୩୫୦୦ରୁ ଅଧିକ ଜିଙ୍ଗଲ୍ସ ଗାଇଛନ୍ତି:

ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ କେକେ ଅନେକ ବିଜ୍ଞାପନ ପାଇଁ ଗୀତ ଗାଇଥିଲେ। ବୋଧହୁଏ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ତାଙ୍କ କ୍ୟାରିୟରରେ ୩୫୦୦ରୁ ଅଧିକ ଜିଙ୍ଗଲ୍ସ ଗାଇଛନ୍ତି।

Advertisment

ମୁମ୍ବାଇ ଆସିବାକୁ ପ୍ରେରଣା:

ଏକ ସାକ୍ଷାତକାରରେ କେକେ ପ୍ରକାଶ କରିଛନ୍ତି ଯେ ଦିଲ୍ଲୀରେ ଏକ ଗୀତ ଗାଇବାବେଳେ ଗାୟକ ହରିହରନଙ୍କ ଦୃଷ୍ଟି ତାଙ୍କ ଉପରେ ପଡିଥିଲା। ସେ ହିଁ କେକେଙ୍କୁ ମୁମ୍ବାଇ ଆସିବାକୁ ପ୍ରେରଣା ଦେଇଥିଲେ।

ଶିଖି ନଥିଲେ ଗୀତ:

କେକେ କହିଛନ୍ତି ଯେ ସେ କଦାପି ଗୀତ ଶିକ୍ଷା ଗ୍ରହଣ କରି ନଥିଲେ। ସେ ପ୍ରଥମେ ସଙ୍ଗୀତ ବିଦ୍ୟାଳୟକୁ ଯାଇଥିଲେ ସତ କିନ୍ତୁ କିଛି ଦିନ ପରେ ଏହାକୁ ଛାଡିଦେଇଥିଲେ। ସେ କହିଥିଲେ ଯେ ଆରମ୍ଭରୁ ହିଁ ଗୀତ ଶୁଣି ସେ ଗୀତ ଶିଖୁଥିଲେ। ଏହି କଳା ତାଙ୍କୁ ଜନ୍ମରୁ ହିଁ ମିଳିଥିଲା।

କିଶୋର କୁମାରଙ୍କ ଦ୍ୱାରା ଅନୁପ୍ରାଣିତ:

ପ୍ରସିଦ୍ଧ ଗାୟକ କିଶୋର କୁମାର ହିଁ କେକେଙ୍କ ପାଇଁ ପ୍ରେରଣା ଥିଲେ। କେକେ କହିଥିଲେ ସେ ଜାଣିଥିଲେ ଯେ କିଶୋର କୁମାର କେବେ ଗୀତ ଶିଖି ନଥିଲେ। ତେଣୁ କେକେଙ୍କର ସଙ୍ଗୀତ ବିଦ୍ୟାଳୟକୁ ନ ଯିବାର ଏହା ଆଉ ଏକ କାରଣ।

ଅନେକ ଭାଷାରେ ଗାଇଛନ୍ତି ଗୀତ:

କେକେ କେବଳ ବଲିଉଡ କିମ୍ବା ହିନ୍ଦୀ ଚଳଚ୍ଚିତ୍ରର ଗାୟକ ନଥିଲେ। ସେ ତାଙ୍କ ଜୀବନରେ ତାମିଲ, ତେଲୁଗୁ, ମରାଠୀ, କନ୍ନଡ, ବଙ୍ଗାଳୀ, ମାଲାୟାଲମ, ଗୁଜରାଟୀ ଏବଂ ଆସାମ ଭାଷାରେ ଅନେକ ଗୀତ ଗାଇଥିଲେ।

ଅରିଜିତ ସିଂଙ୍କ ସହ ଜଡିତ ପୁରୁଣା କାହାଣୀ:

୨୦୦୫ ମସିହାରେ, କେକେ ଏକ ସିଙ୍ଗିଙ୍ଗ୍ ଶୋ ଫେମ୍‌ ଗୁରୁକୁଲରେ ଜୁରୀ ଭୂମିକାରେ ଥିଲେ। ଏହି ବର୍ଷ ଗାୟକ ଅରିଜିତ ସିଂହ ମଧ୍ୟ ଏହି ଶୋ’ରେ ଭାଗ ନେଇଥିଲେ। ଏହି ଶୋ’ରୁ ହିଁ ଅରିଜିତ ସିଂହଙ୍କୁ ଏକ ପରିଚୟ ମିଳିଥିଲା।

ପାଠପଢା:

କେକେ ୧୯୬୮ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ସେ ଦିଲ୍ଲୀରେ ପାଠ ପଢିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋଡୀମଲ୍‌ କଲେଜରୁ ବିକମ୍ ଡିଗ୍ରୀ ହାସଲ କରିଥିଲେ।

Bollywood Singer KK
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ