ଖ୍ୟାତନାମା ଗାୟକ କେକେଙ୍କର ଆଜି ଶେଷକୃତ୍ୟ : ମୁମ୍ବାଇ ସ୍ଥିତ ଘର ପାଖ ମଶାଣିରେ ହେବ ଅନ୍ତିମ ସଂସ୍କାର

ଗତକାଲି ରାତିରେ ମୁମ୍ବାଇ ଅଣାଯାଇଥିଲା କେକେଙ୍କ ମରଶରୀର

ଦିନ ୧୦ଟାରୁ ମଧ୍ୟାହ୍ନ ୧୨ ଟା ଯାଏଁ ଶେଷ ଦର୍ଶନ

ବଲିଉଡର ଖ୍ୟାତନାମା ଗାୟକ କେକେଙ୍କ ଆଜି ଅନ୍ତିମ ସଂସ୍କାର କରାଯିବ । ମୁମ୍ବାଇ ଭର୍ସୋଭାର ମୁକ୍ତିଧାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବା ନେଇ ସୂଚନା ମିଳିଛି । ଭର୍ସୋଭାର ପାର୍କ ପ୍ଲାଜା କଂମ୍ପ୍ଲେକ୍ସରେ କେକେ ରହୁଥିବାରୁ ଘର ନିକଟ ଶ୍ମଶାନରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏହାପୂର୍ବରୁ ଦିନ ୧୦ଟାରୁ ମଧ୍ୟାହ୍ନ ୧୨ ଟା ଯାଏଁ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀର ରଖାଯିବ ବୋଲି ସୂଚନା ମିଳିଛି । ଗତକାଲି ରାତିରେ କେକେଙ୍କ ମରଶରୀର କୋଲକାତାରୁ ମୁମ୍ବାଇ ଅଣାଯାଇଥିଲା ।

ବୁଧବାର କୋଲକାତାର ନଜରୁଲ ମଞ୍ଚରେ ଗୀତ ଗାଇବା ବେଳେ ସେ ଅସୁସ୍ଥ ହୋଇପଡିଥିଲେ । ପରେ ହସ୍ପିଟାଲ ପହଁଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ୫୩ ବର୍ଷ ବୟସରେ କେକେଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚାରିଆଡେ ଶୋକର ମାହୋଲ । ସେପଟେ ହୃଦଘାତ ପଛର କାରଣକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ ପୋଷ୍ଟମର୍ଟମ ବେଳେ କେକେଙ୍କ ମୁହଁ ଓ ମୁଣ୍ଡରେ କ୍ଷତଚିହ୍ନ ଠାବ ହେବା ଘଟଣାକୁ ଆହୁରି ରହସ୍ୟମୟ କରିଛି ।

ସେପଟେ କେକେଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଚର୍ଚ୍ଚା ।ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କେକେଙ୍କର ଜଟିଳ ଯକୃତ ଓ ଫୁସଫୁସ୍ ସମସ୍ୟା ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏଥିସହ ଅପମୃତ୍ୟୁ ଆଶଙ୍କାକୁ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟରେ ଖଣ୍ଡନ କରାଯାଇଥିବା କୁହାଯାଉଛି । କୋଲକାତାର SSK ହସ୍ପିଟାଲରେ ପ୍ରାୟ ଦେଢ଼ ଘଣ୍ଟା ଧରି ଶବ ବ୍ୟବଚ୍ଛେଦ ଚାଲିଥିଲା ଏବଂ ଏହାର ଭିଡିଓ ରେକର୍ଡ ମଧ୍ୟ ରଖାଯାଇଥିବା ସୂଚନା ମିଳିଛି ।

ଏଭିତରେ ସାମ୍ନାକୁ ଆସିଛି ଦିବଂଗତ କଣ୍ଠଶିଳ୍ପୀ କେକେଙ୍କ ଏକ ସିସିଟିଭି ଫୁଟେଜ୍ । ମଞ୍ଚରେ ଅସୁସ୍ଥ ଅନୁଭବ କରିବା ପରେ ସେ ହୋଟେଲ୍ ଫେରିଯାଇଥିଲେ । ଆଉ ହୋଟେଲ୍ ଲବି ଦେଇ ରୁମକୁ ଯିବା ବେଳର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି ।