Odia Jatra Controversy
ଯାତ୍ରା ଋତୁ ସରିଲା, କିନ୍ତୁ ଯାତ୍ରା ବିବାଦରେ ପଡ଼ିନି ଯବନୀକା । ଅଭିନେତା ପୀୟୂଷଙ୍କ ସହ ବିବାଦ ପାଇଁ ପୂର୍ବରୁ ହଟଚମଟ ସୃଷ୍ଟି କରିଥିବା ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀ ଏବେ ପୁଣି ମୁହଁ ଖୋଲିଛନ୍ତି ଯାତ୍ରା ମାଲିକ ସଂଘ ବିରୋଧରେ । ଚର୍ଚ୍ଚିତ କଳାକାର ଦମ୍ପତି କାହ୍ନା ଓ ଟିକିଙ୍କ ସମେତ ବହୁ ଆର୍ଟିଷ୍ଟଙ୍କୁ ତାଙ୍କ ପାର୍ଟିରୁ ଛଡ଼ାଇ ନେଇ, ସିଂହବାହିନୀକୁ ଭାଙ୍ଗିବାକୁ ଚକ୍ରାନ୍ତ ଚାଲିଥିବା ସେ ଅଭିଯୋଗ କରିଛନ୍ତି । ପରୋକ୍ଷରେ ଯାତ୍ରା ସୂର୍ଯ୍ୟମନ୍ଦିର ମାଲିକଙ୍କୁ ଟାର୍ଗେଟ କରିବା ସହ ମାଲିକ ସଂଘ ଉପରେ ବି ଖୁବ୍ ବର୍ଷିଛନ୍ତି । ଅନ୍ୟପକ୍ଷରେ ସୂର୍ଯ୍ୟମନ୍ଦିର ମୁଖ୍ୟ ପରିଚାଳକ ବି ସଞ୍ଜୀବଙ୍କ ଉପରେ ସାଧିଛନ୍ତି ପାଲଟା ନିଶାନା ।
ମାଲିକ ବନାମ ମାଲିକ
ପୁଣି ଯାତ୍ରା ବିବାଦରେ ନୂଆ ନାଟକ ! ଏଥର ମାଲିକ ବନାମ୍ ମାଲିକ କଳି ! ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କେନ୍ଦ୍ର କରି ପୂର୍ବରୁ ମୁଣ୍ଡ ଟେକିଥିବା ଯାତ୍ରା ବିବାଦ, ଏବେ କାହ୍ନା ଓ ଟିକିଙ୍କୁ ନେଇ ନୂଆ ମୋଡ଼ ନେଇଛି । ଦୁଇ ଚର୍ଚ୍ଚିତ ଯାତ୍ରା ପାର୍ଟି 'ସିଂହବାହିନୀ' ଓ 'ସୂର୍ଯ୍ୟମନ୍ଦିର' ମାଲିକ ମୁହାଁମୁହିଁ ହୋଇଥିବା ବେଳେ, ଓଡ଼ିଆ ଯାତ୍ରାପାର୍ଟି ମାଲିକ ସଂଘ ବି ଦୁଇ ଫାଳ ହୋଇଥିବା ଚର୍ଚ୍ଚା ହେଉଛି । ଯାତ୍ରା ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପାର୍ଟିକୁ ବୁଡ଼ାଇ ଦେବା ପାଇଁ କିଛି ବଡ଼ ଯାତ୍ରାପାର୍ଟି ମାଲିକ ଚକ୍ରାନ୍ତ କରୁଛନ୍ତି ।
ସୂର୍ଯ୍ୟମନ୍ଦିର-ସିଂହବାହିନୀ ମୁହାଁମୁହିଁ
ପରୋକ୍ଷରେ ସୂର୍ଯ୍ୟମନ୍ଦିର ଓ ଶ୍ରୀମନ୍ଦିର ପାର୍ଟି ମାଲିକ ପ୍ରମୋଦ ସ୍ୱାଇଁଙ୍କୁ ଟାର୍ଗେଟ କରି ଆରୋପ ଲଗାଇଛନ୍ତି ଯେ, ତାଙ୍କଠୁ ଅଗ୍ରୀମ ଟଙ୍କା ନେଇଥିବା ୭-୮ ଜଣ କଳାକାରଙ୍କୁ ଅନ୍ୟ ପାର୍ଟି ନେଇଯାଇଛନ୍ତି । ଏହି କଳାକାରଙ୍କ ମଧ୍ୟରେ ଅଛନ୍ତି ଚର୍ଚ୍ଚିତ କଳାକାର ଦମ୍ପତି କାହ୍ନା ଓ ଟିକି । ୨୦୨୪-୨୫ ଯାତ୍ରା ଋତୁରେ ସେମାନେ ସିଂହବାହିନୀରେ ୨ ବର୍ଷ ପାଇଁ ଅନୁବନ୍ଧିତ ଥିଲେ । ୨୫-୨୬ରେ ବି ସିଂହବାହିନୀରେ ରହିବେ ବୋଲି ପ୍ରତିଶ୍ରୁତି ଦେଇ, ଅଗ୍ରୀମ ୨୦ ଲକ୍ଷ ଟଙ୍କା ନେଇଥିଲେ । ଏବେ କାହ୍ନା ଓ ଟିକି ପ୍ରମୋଦ ସ୍ବାଇଁଙ୍କ ପାର୍ଟି ଶ୍ରୀମନ୍ଦିରରେ ଯୋଗ ଦେଲେ ।
ଅନେକ ଯାତ୍ରା କଳାକାର ଏକାଧିକ ପାର୍ଟି ମାଲିକଙ୍କଠୁ ଆଡଭାନ୍ସ ନେଇ ନିଜ ଇଚ୍ଛା ମୁତାବକ ଗୋଟିଏ ପାର୍ଟିରେ ରହୁଛନ୍ତି । ଯଦି ସେମାନଙ୍କ କ୍ଷେତ୍ରରେ ଗୋଟିଏ ନିଷ୍ପତ୍ତି ହେଉଛି, ପୀୟୂଷଙ୍କ ପାଇଁ ନିୟମ କାହିଁକି ଅଲଗା ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୀବ ପାଢ଼ୀ । ମାଲିକ ସଂଘକୁ ଏହା ଜଣାଇବା ପରେ ବି ସଂଘ କିଛି ନିଷ୍ପତ୍ତି ନନେଇ ନୀରବ ବସିଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।
କାହ୍ନା ଓ ଟିକିଙ୍କୁ ନେଇ ମାଲିକ କଳି
୨୦୨୪-୨୫ ଯାତ୍ରା ଋତୁରେ ପୀୟୂଷ ସୂର୍ଯ୍ୟମନ୍ଦିର ପାର୍ଟି ସହ ୨ବର୍ଷ ପାଇଁ ଅନୁବନ୍ଧିତ ଥିଲେ । କିନ୍ତୁ ୨୫-୨୬ ଋତୁରେ ସିଂହବାହିନୀ ପାର୍ଟିରେ ଯୋଗ ଦେବାର ପ୍ରତିଶ୍ରୁତି ଦେଇ ମାଲିକଙ୍କ ଠାରୁ ଅଗ୍ରୀମ ପ୍ରାୟ ୭୦ ଲକ୍ଷ ଟଙ୍କା ଓ ଗୋଟିଏ ଦାମୀ କାର ନେଇଥିଲେ । ଏହାକୁ ନେଇ ସଞ୍ଜୀବ ପାଢ଼ୀ ଓ ପୀୟୂଷଙ୍କ ମଧ୍ୟରେ ବିବାଦ, ଯାତ୍ରା ଜଗତରେ ବଡ଼ ହଲଚଲ ସୃଷ୍ଟି କରିଥିଲା । ଏହି ବିବାଦର ଅନ୍ତ ଘଟାଇବାକୁ ଯାଇ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ୧ ବର୍ଷ ଯାତ୍ରା ଜଗତରୁ ବିଶ୍ରାମ ଦେଇଥିଲା । ଏହା ପରେ ପୀୟୂଷ ଦୁଇ ମାଲିକଙ୍କ ଟଙ୍କା ଫେରାଇଥିଲେ । ତାଙ୍କୁ ଯାତ୍ରାରୁ ବିଶ୍ରାମ ଦିଆଯାଇଥିବା ବେଳେ, କାହ୍ନା ଓ ଟିକିଙ୍କ ପାଇଁ ନିୟମ କାହିଁକି ଅଲଗା ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀ ।
ଏନେଇ କାହ୍ନା ଓ ଟିକି ମୁହଁ ଖୋଲିନଥିବା ବେଳେ, ଗତ ସପ୍ତାହରେ ପୀୟୂଷ କହିଥିଲେ ଯେ, ମାଲିକମାନେ ମୋ କ୍ଷେତ୍ରରେ ଠିକ୍ ନିଷ୍ପତ୍ତି ନେଇନାହାନ୍ତି ଓ କିଛି କଥା ଅଛପା ରହିଯାଇଛି ବା ସାମ୍ନାକୁ ଆସିପାରିନାହିଁ।
ଅନ୍ୟପକ୍ଷରେ ସିଂହବାହିନୀ ମାଲିକ ସଞ୍ଜୀବଙ୍କୁ ପାଲଟା ନିଶାନା କରିଛନ୍ତି ଯାତ୍ରା ସୂର୍ଯ୍ୟମନ୍ଦିର ମୁଖ୍ୟ ପରିଚାଳକ । ସେ କହିଛନ୍ତି, ମାଲିକ ସଙ୍ଘ ସାମ୍ନାରେ ଗୋଟିଏ କଥା ଓ ପଛ ପଟେ ଆଉ ଗୋଟିଏ କଥା କରନ୍ତି ସଞ୍ଜୀବ ପାଢ଼ୀ । ମାଲିକ ସଂଘ ନିଷ୍ପତ୍ତି ନେଇଥିଲା ଯେ, ନିର୍ଦ୍ଦିଷ୍ଟ ସମୟରେ କଳାକାରଙ୍କ ବୁକିଂ କରାଯିବ । କିନ୍ତୁ ସଞ୍ଜୀବ ପାଢ଼ୀ କେମିତି ପୀୟୂଷଙ୍କୁ ୫ ବର୍ଷ ପାଇଁ ଚୁକ୍ତି କଲେ ।
ପୀୟୂଷ ସୂର୍ଯ୍ୟମନ୍ଦିରକୁ ଫେରାଇଥିବା ୬୫ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଟଙ୍କା ସଞ୍ଜୀବ ପାଢ଼ୀ ଦେଇଥିଲେ ବୋଲି ଅଭିଯୋଗ କରିବା ସହ ତାଙ୍କୁ କଳାପାହାଡ଼ କହି ଆକ୍ଷେପ କରିଛନ୍ତି । ସେପଟେ ଏହି ନିଆଁରେ ଘିଅ ଢ଼ାଳିଛନ୍ତି ଯାତ୍ରା କଳାକାରରୁ ନୂଆ ଯାତ୍ରାପାର୍ଟି ମାଲିକ ବନିଥିବା ରାଣୀ ପଣ୍ଡା । ଆଜି ନିଜର ନୂଆ ଅପେରା ପାର୍ଟି ନାଟ୍ୟ ମଣ୍ଡପ ଘୋଷଣା କରିବା ସହ କହିଛନ୍ତି, ମୋ କଳାକାରଙ୍କୁ ନେବାକୁ ଚେଷ୍ଟା କଲେ ଛାଡ଼ିବିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750258180.jpg)