ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡର କିଛି ପ୍ରଯୋଜକଙ୍କ ଦ୍ୱାରା ବ୍ୟାନ୍ ଘୋଷଣାକୁ ନେଇ ବିବାଦ ତେଜୁଛି । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପରେ ଏବେ ଏହି ବିରୋଧର ଧାରାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ସାମିଲ ହୋଇଛନ୍ତି ।
ବିଧାୟକ ମୁକେଶ କହିଛନ୍ତି, ପଶ୍ଚିମ ଓଡ଼ିଶାର ମନୋଜ ମିଶ୍ର ଜଣେ ବଡ଼ କଳାକାର । କଳାକାରଙ୍କର କୌଣସି ସୀମା ସରହଦ ନ ଥାଏ । ଯେଉଁମାନେ ତାଙ୍କୁ ବାସନ୍ଦ କରିଛନ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ ।
ଖବର ଲେଖାଯିବା ସୁଦ୍ଧା ଏନେଇ ସମ୍ପୃକ୍ତ ପ୍ରଯୋଜକ କିମ୍ବା ଅନୁଭବ ମହାନ୍ତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ସେପଟେ ଓଲିଉଡ୍ କଳିରେ ପଲିଟିକାଲ ଏଣ୍ଟ୍ରିକୁ ନେଇ ତେଜିଛି ବୟାନବାଜି ।
କୁହାଯାଉଛି, ଓଡ଼ିଆ ଫିଲ୍ମ ରାମ୍ର ଅଭିନେତା ଜିତୁ ମଙ୍ଗରାଜଙ୍କ ସହ ମନୋଜଙ୍କ ବିବାଦ ରହିଥିଲା । ସେହି ବିବାଦ ଭିତରେ ସମ୍ବଲପୁରରେ ରିଲିଜ୍ ହୋଇଥିବା ଫିଲ୍ମ ରାମ୍କୁ ବିରୋଧ ପଛରେ ମନୋଜଙ୍କ ହାତ ଥିବା ଅଭିଯୋଗ କରି ବ୍ୟାନ୍ ଘୋଷଣା କରିଥିଲେ କିଛି ପ୍ରଯୋଜକ । ତା’ପରଠୁ ତେଜିଛି ବିବାଦ। ଓଡ଼ିଆ ସିନେ ଶିଳ୍ପର ସଙ୍କଟ ସମୟରେ ଓଲିଉଡରେ ଉଠିଥିବା ଏହି ଝଡ଼କୁ ନେଇ ଏବେ ନାନା ଚର୍ଚ୍ଚା ।