'ଦ କେରଳ ଷ୍ଟୋରୀ' ପରେ ଏହି ୪ ଫିଲ୍ମରେ ଲୋକେ ଦେଖିବେ ବାସ୍ତବ କାହାଣୀ

'ଦ କେରଳ ଷ୍ଟୋରୀ' ପରେ ଆଉ ୪ଟି ସ୍ୱଳ୍ପ ବଜେଟ୍‌ର ଚଳଚ୍ଚିତ୍ର ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହା ପ୍ରକୃତ ଘଟଣା ଉପରେ ଆଧାରିତ ଏବଂ ଆଶା କରାଯାଏ ଯେ ଏହି ସବୁ ଚଳଚ୍ଚିତ୍ର ସେମାନଙ୍କର ରିଲିଜ୍‌ ସହିତ ବକ୍ସ ଅଫିସରେ ଛାଇଯିବେ।

'ଦ କେରଳ ଷ୍ଟୋରୀ' ପରେ ଏହି ୪ ଫିଲ୍ମରେ ଲୋକେ ଦେଖିବେ ବାସ୍ତବ କାହାଣୀ

ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ରିଲିଜ୍‌ ହେବାର ପ୍ରଥମ ଦିନରୁ ହିଁ ବିବାଦ ଭିତରକୁ ଆସିଥିଲା। ଏହି ଚଳଚ୍ଚିତ୍ରକୁ ନେଇ ସାରା ଦେଶରେ ଅନେକ ଅସନ୍ତୋଷ ଦେଖାଦେଇଥିଲା, ତଥାପି ଫିଲ୍ମର ବକ୍ସ ଅଫିସ ରୋଜଗାର ସମସ୍ତଙ୍କ ହୋସ୍ ଉଡାଇ ଦେଇଥିଲା।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାତ୍ର ୧୫ ରୁ ୨୦କୋଟିରେ ନିର୍ମିତ ଚଳଚ୍ଚିତ୍ର 'ଦ କେରଳ ଷ୍ଟୋରୀ' ବକ୍ସ ଅଫିସ୍‌ରେ ୩୦୦ କୋଟିର ସୀମା ଅତିକ୍ରମ କରିଥିଲା।

ତେବେ ଏହି ସିଲ୍‌ସିଲା ଏବେ ଶେଷ ହୋଇନାହିଁ, କାରଣ ଆଉ ୪ଟି ସ୍ୱଳ୍ପ ବଜେଟ୍‌ର ଚଳଚ୍ଚିତ୍ର ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି, ଯାହା ପ୍ରକୃତ ଘଟଣା ଉପରେ ଆଧାରିତ ଏବଂ ଆଶା କରାଯାଏ ଯେ ଏହି ସବୁ ଚଳଚ୍ଚିତ୍ର ସେମାନଙ୍କର ରିଲିଜ୍‌ ସହିତ ବକ୍ସ ଅଫିସରେ ଛାଇଯିବେ। ତେବେ ଆସନ୍ତୁ ସେହି ୪ଟି ଚଳଚ୍ଚିତ୍ର ବିଷୟରେ ନଜର ପକେଇ ନେବା।

ଅଧିକ ପଢ଼ନ୍ତୁ: ଓମ୍‌ ପୁରୀ ଜାଣି ନଥିଲେ ଇଂରାଜୀ, ୨୦ ହଲିଉଡ୍ ଫିଲ୍ମରେ କାମ କରି ରେକର୍ଡ କଲେ

ବସ୍ତର(Bastar):

ଫିଲ୍ମ 'ଦ କେରଳ ଷ୍ଟୋରୀ'ର ପ୍ରସିଦ୍ଧ ଯୋଡି ନିର୍ମାତା ବିପୁଲ ଅମୃତଲାଲ ଶାହା ଏବଂ ନିର୍ଦ୍ଦେଶକ ସୁଦୀନ୍ତୋ ସେନ୍ ପୁଣି ଥରେ 'ବସ୍ତର' ଟାଇଟଲ୍ ସହିତ ଏକାଠି ହେଉଛନ୍ତି। କୁହାଯାଉଛି ଯେ ବିପୁଲ ଅମୃତଲାଲ ଶାହାଙ୍କ ଆଗାମୀ ଚଳଚ୍ଚିତ୍ର ଆଉ ଏକ ଆଶ୍ଚର୍ଯ୍ୟଜନକ ତଥା ଆଖି ଖୋଲିଦେବା ଭଳି ଚଳଚ୍ଚିତ୍ର, ଯାହା ଅନ୍ୟ ଏକ ସତ୍ୟ ଘଟଣା ଉପରେ ଆଧାରିତ।

ନିକଟରେ ଫିଲ୍ମର ଟାଇଟଲ୍ ଘୋଷଣା ସହ ପୋଷ୍ଟର ରିଲିଜ୍ ହୋଇଥିଲା ଯେଉଁଥିରେ ଲେଖାଥିଲା, “ଆଉ ଏକ ସତ୍ୟ ଯାହା ଦେଶକୁ ଚକିତ କରିବ”। ଏହା ଉପରେ ମଧ୍ୟ ଲେଖାଯାଇଥିଲା, “ଲୁକ୍କାୟିତ ସତ୍ୟ ଯାହା ଦେଶରେ ଝଡ଼ ସୃଷ୍ଟି କରିବ”।

ଦ ଡାଏରୀ ଅଫ୍ ୱେଷ୍ଟ୍ ବେଙ୍ଗଲ୍(The Diary of West Bengal):

ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ଆଗାମୀ ଚଳଚ୍ଚିତ୍ର ' ଦ ଡାଏରୀ ଅଫ୍ ୱେଷ୍ଟ୍ ବେଙ୍ଗଲ୍' ରିଲିଜ୍ ପୂର୍ବରୁ ମଧ୍ୟ ବିବାଦରେ ଛନ୍ଦି ହୋଇପଡିଛି। ଏହି ଚଳଚ୍ଚିତ୍ରକୁ ନେଇ ନିର୍ଦ୍ଦେଶକ ପଶ୍ଚିମବଙ୍ଗ ପୋଲିସର ଟାର୍ଗେଟ୍‌କୁ ଆସିଛନ୍ତି। ରାଜ୍ୟକୁ ବଦନାମ କରିବା ଅଭିଯୋଗରେ ନିକଟରେ ବଙ୍ଗଳା ପୋଲିସ ନିର୍ଦ୍ଦେଶକଙ୍କ ବିରୋଧରେ ନୋଟିସ୍‌ ଜାରି କରିଥିଲା।

୭୨ ହୁରେନ୍(72 Hoorain):

ସଞ୍ଜୟ ପୁରନ ସିଂହଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର '୭୨ ହୁରେନ୍' ଜୁଲାଇ ୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଆତଙ୍କବାଦର ମାରାତ୍ମକ ରାସ୍ତାରେ ଯିବାକୁ ଯୁବକମାନେ କିପରି ମାନିପ୍ୟୁଲେଟ୍ ହେଉଛନ୍ତି ଆଉ କିପରି ସେମାନଙ୍କ ବ୍ରେନ୍ ୱାଶ୍ କରାଯାଉଛି ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।

ଏଥିରେ ପୱନ ମଲହୋତ୍ରା ଏବଂ ଆମୀର ବଶୀର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। 'ଦ କେରଳ ଷ୍ଟୋରୀ' ପରେ ବର୍ତ୍ତମାନ ଫିଲ୍ମ '୭୨ ହୁରେନ୍‌' ବିବାଦରେ ଛନ୍ଦି ହୋଇଥିବାର ଦେଖାଯାଉଛି। ଏହି ଚଳଚ୍ଚିତ୍ରର ଟିଜର ଆସିଲା ପରେ ଏହାକୁ ବିରୋଧ କରାଯିବା ଆରମ୍ଭ ହୋଇଛି।

ଅଜମେର ୯୨ (Ajmer 92):

ଚଳିତ ବର୍ଷ ପ୍ରେକ୍ଷାଳୟକୁ ଆସିବାକୁ ଥିବା ଫିଲ୍ମ 'ଅଜମେର ୯୨' ୧୯୯୨ ଆଜମେର ଦୁଷ୍କର୍ମ ମାମଲା ଉପରେ ଆଧାରିତ। ଏହାକୁ ପୁଷ୍ପେନ୍ଦ୍ର ସିଂହ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ସୁରଜ ପାଲ ରଜକ, ଜ୍ଞାନେନ୍ଦ୍ର ପ୍ରତାପ ସିଂହ ଏବଂ ପୁଷ୍ପେନ୍ଦ୍ର ସିଂହ ଲେଖିଛନ୍ତି।

ତେବେ ସମାଜରେ ଏହା ଏକ ମତଭେଦ ସୃଷ୍ଟି କରିବ ବୋଲି ଅଭିଯୋଗ କରି ଅନେକ ଇସଲାମ ସଂଗଠନ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ଏବଂ ସେମାନେ ବିଶ୍ୱାସ କରନ୍ତି ଯେ ଏହି ଚଳଚ୍ଚିତ୍ରଟି ଦର୍‌ଗାହ ଅଜମେର ସରିଫଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ନିର୍ମିତ ହୋଇଛି।