ଓସ୍କାରରେ ବାଜି ମାରିନେଲା ଡ୍ୟୁନ୍ : ମିଳିଲା ସର୍ବାଧିକ ୬ଟି ପୁରସ୍କାର

ହଲିଉଡର ବିଗେଷ୍ଟ ନାଇଟ୍ । ୯୪ ତମ ଏକାଡେମୀ ଆୱାର୍ଡସ୍ ଉତ୍ସବ । ଏଥର ଓସ୍କାରରେ ବାଜି ମାରିଛି ସାଇ-ଫାଇ ଫିଲ୍ମ ଡ୍ୟୁନ୍ । ଛଅ ଛଅଟି ବିଭାଗରେ ଆଓ୍ୱାର୍ଡ ହାତେଇଛି ଏହି ଫିଲ୍ମ । ବେଷ୍ଟ୍ ସାଉଣ୍ଡ୍, ଫିଲ୍ମ ଏଡିଟିଂ, ପ୍ରଡକ୍ସନ ଡିଜାଇନ୍, ଭିଜୁଆଲ ଇଫେସ, ସିନେମାଟୋଗ୍ରାଫି ଏବଂ ବେଷ୍ଟ ମ୍ୟୁଜିକ୍ ଇନ୍ ଓରିଜିନାଲ ସ୍କୋର ବଗର୍ଗରେ ଫିଲ୍ମକୁ ସଫଳତା ମିଳିଛି

ଓସ୍କାରରେ ବାଜି ମାରିନେଲା ଡ୍ୟୁନ୍

ବିଶ୍ୱ ସିନେମା ଜଗତର ସବୁଠୁ ବଡ଼ ସମ୍ମାନ ଓସ୍କାର ପ୍ରଦାନ କରାଯାଇଛି । ଆମେରିକା ଲସ୍ଏଞ୍ଜେଲସରେ ଡଲବି ଥିଏଟରରେ ଆୟୋଜିତ ହୋଇଛି ୯୪ତମ ଏକାଡେମୀ ଆୱାର୍ଡସ୍ ଉତ୍ସବ । ସାଇ-ଫାଇ ଫିଲ୍ମ ଡ୍ୟୁନ୍ ସର୍ବାଧିକ ୬ଟି ପୁରସ୍କାର ଜିତିଛି । ୱିଲ୍ ସ୍ମିଥ୍ ଶ୍ରେଷ୍ଠ ଅଭିନେତା ଓ ଜେସିକା ଚେଷ୍ଟେନ୍ ଶ୍ରେଷ୍ଠ ଅଭିନେତ୍ରୀ ହୋଇଥିବା ବେଳେ କୋଡାକୁ ମିଳିଛି ଶ୍ରେଷ୍ଠ ଫିଲ୍ମର ପୁରସ୍କାର ।

ହଲିଉଡର ବିଗେଷ୍ଟ ନାଇଟ୍ । ୯୪ ତମ ଏକାଡେମୀ ଆୱାର୍ଡସ୍ ଉତ୍ସବ । ଏଥର ଓସ୍କାରରେ ବାଜି ମାରିଛି ସାଇ-ଫାଇ ଫିଲ୍ମ ଡ୍ୟୁନ୍ । ଛଅ ଛଅଟି ବିଭାଗରେ ଆଓ୍ୱାର୍ଡ ହାତେଇଛି ଏହି ଫିଲ୍ମ । ବେଷ୍ଟ୍ ସାଉଣ୍ଡ୍, ଫିଲ୍ମ ଏଡିଟିଂ, ପ୍ରଡକ୍ସନ ଡିଜାଇନ୍, ଭିଜୁଆଲ ଇଫେସ, ସିନେମାଟୋଗ୍ରାଫି ଏବଂ ବେଷ୍ଟ ମ୍ୟୁଜିକ୍ ଇନ୍ ଓରିଜିନାଲ ସ୍କୋର ବଗର୍ଗରେ ଫିଲ୍ମକୁ ସଫଳତା ମିଳିଛି । ଶ୍ରେଷ୍ଠ ଫିଲ୍ମର ଓସ୍କାର ଯାଇଛି ଫିଲ୍ମ କୋଡାକୁ । ବେଷ୍ଟ୍ ଫିଲ୍ମ କ୍ୟାଟେଗୋରୀରେ ଅନ୍ୟ ୯ଟି ବଡ ଫିଲ୍ମକୁ ପଛରେ ପକାଇ ବାଜି ମାରିଛି କୋଡା ।

ଆମେରିକାର ଏକ ମୁକ ପରିବାରର ସଙ୍ଗୀତ ଯାତ୍ରାକୁ ନେଇ ଗତିଳୀଳ ହୋଇଛି ଫିଲ୍ମର କାହାଣୀ । ଯାହାକୁ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ ଓ କ୍ରିଟିକ୍ସ । ଆମେରିକୀୟ ଅଭିନେତା ଓ୍ବିଲ୍ ସ୍ମିଥଙ୍କୁ ମିଳିଛି ଚଳିତ ବର୍ଷର ବେଷ୍ଟ ଆର୍ ଆୱାର୍ଡ । ଚର୍ଚ୍ଚିତ ଫିଲ୍ମ କିଙ୍ଗ ରିଚାର୍ଡରେ ଦମଦାର ଅଭିନୟ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ହଲିଉଡ୍ ଫିଲ୍ମ ଦ ଆଇଜ୍ ଅଫ୍ ଟ୍ୟାମି ଫାୟ୍ରେ ନିଖୁଣ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜେସିକା ଚେଷ୍ଟେନ୍ ପାଇଛନ୍ତି ନିଜର ପ୍ରଥମ ଓସ୍କାର ଆୱାର୍ଡ ।

ଫିଲ୍ମ ଦା ପାୱର ଅଫ୍ ଦ ଡଗ୍ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି ଜେନ୍ କାମ୍ପିୟନ୍ । ପୂର୍ବରୁ ୧୯୯୪ରେ ବେଷ୍ଟ ସ୍କ୍ରିନପ୍ଲେର ଓସ୍କାର ଜିତିଥିବା କାମ୍ପିୟନ, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପ୍ରଥମ ଓସ୍କାର ପାଇଛନ୍ତି । ସେହିପରି ଫିଲ୍ମ କୋଡା ପାଇଁ ଟ୍ରୟ କୋତସୁର ଶ୍ରେଷ୍ଠ ସହ ଅଭିନେତା, ୱେଷ୍ଟ ସାଇଡ୍ ଷ୍ଟୋରୀ ପାଇଁ ଏରିୟାନା ଡି ବୋସ୍ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି । ଜାପାନୀ ଫିଲ୍ମ ଡ୍ରାଇଭ୍ ମାଇଁ କାର୍କୁ ମିଳିଛି ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମର ପୁରସ୍କାର । ଆଉ ବେଷ୍ଟ ଆନିମେଟେଡ୍ ଫିଲ୍ମ ଭାବେ ଏନ୍କାଣ୍ଟୋ ହାତେଇଛି ଓସ୍କାର ଆୱାର୍ଡ ।.

ସେହିପରି ଏଥର ଏକାଡେମୀ ଆୱାର୍ଡସ ଉତ୍ସବରେ କିନ୍ତୁ ଏଭଳି ଏକ ଘଟଣା ଘଟିଛି, ଯାହାକୁ ସ୍ୱପ୍ନରେ ବି କେହି ଭାବିନଥିଲେ । ଓସ୍କାର ମଂଚରେ ସମସ୍ତଙ୍କ ସାମ୍ନାରେ ଫାଇଟ୍ । ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଥିବା ୱିଲ୍ ସ୍ମିଥ୍ ଷ୍ଟେଜରେ ଦେଖାଇଛନ୍ତି ସତ ସତିକା ଆକ୍ସନ ।

ଲସ୍ ଏଞ୍ଜେଲସର ଡଲବି ଥିଏଟରରେ ରଙ୍ଗାରଙ୍ଗ ସମାରୋହ, ସେଲିବ୍ରିଟିଙ୍କ ଖଚାଖଚ ଭିଡ । ଦିଆ ଚାଲିଥାଏ ଗୋଟିକ ପରେ ଗୋଟିଏ ଓସ୍କାର୍ ଆୱାର୍ଡ । ସାରା ବିଶ୍ୱର ନଜର ଥାଏ ଏହି ମେଗା ଇଭେଂଟ୍ ଉପରେ । ଓସ୍କାର ମଂଚରୁ ସୋକୁ ହୋଷ୍ଟ କରୁଥାନ୍ତି କମେଡିଆନ୍ କ୍ରିସ୍ ରକ୍ । ହସ ଓ ଥଟ୍ଟାମଜା ଭିତରେ ଚାଲିଥାଏ ଆୱାର୍ଡ ସୋ । ହେଲେ ଏହି ସମୟରେ ଏଭଳି କିଛି ଘଟିଗଲା ଯାହାକୁ କିଏ କେବେ ଆଶା କରିନଥିଲେ । ଓ୍ୱିଲ୍ ସ୍ମିଥଙ୍କୁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ଦିଆଯିବା ପୂର୍ବରୁ, ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଜାଡା ପିଙ୍କେଟଙ୍କୁ ନେଇ ପରିହାସ କରିଥିଲେ ସୋର ହୋଷ୍ଟ୍ କ୍ରିସ ରକ୍ । ଜାଡାଙ୍କ ମୁଣ୍ଡର କେଶକୁ ନେଇ ଦେଇଥିଲେ ଅରୁଚିକର ମନ୍ତବ୍ୟ । ବାସ୍, ଦେଖୁ ଦେଖୁ ଷ୍ଟେଜ୍ ଉପରକୁ ଚଢ଼ି ଆସିଥିଲେ ଉତ୍ତେଜିତ ଓ୍ୱିଲ୍ ସ୍ମିଥ୍ ଏବଂ କେହି କିଛି ଭାବିବା ପୂର୍ବରୁ କ୍ରିସଙ୍କୁ ମାରିଥିଲେ ଜୋରଦାର ଚାପୁଡ଼ା । ଅଶ୍ଳିଳ ଶବ୍ଦ ପ୍ରୟୋଗ ସହ କ୍ରିସ୍ ରକ୍ ଯେପରି ଆଉ ଥରୁଟିଏ ବି ଜାଡ଼ାଙ୍କ ନାଁ ମୁହଁରେ ନଧରନ୍ତି ସେଥିପାଇଁ ତାଗିଦ କରିଥିଲେ ।

ସବୁବେଳେ କୁଲ୍ ରହୁଥିବା ଓ୍ୱିଲ୍ ସ୍ମିଥଙ୍କ ଏଭଳି ଆଚରଣକୁ ଦେଖି ସମସ୍ତେ ହତବାକ୍ ହୋଇଯାଇଥିଲେ । ଅବଶ୍ୟ କ୍ରିସ୍ ଘଟଣାକୁ ପୂରା ହାଲକା ଢଙ୍ଗରେ ନେଇ ସୋକୁ ଆଗକୁ ବଢ଼ାଇଥିଲେ । ପରେ ପରେ ଶ୍ରେଷ୍ଠ ଅଭିନେତାର ପୁରସ୍କାର ନେବାକୁ ଘୋଷଣା ହୋଇଥିଲା ସ୍ମିଥଙ୍କ ନାଁ ।

ଏହି ଘଟଣାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଘଟଣାକୁ ଦେଖିଥିବା ଦର୍ଶକ ଓ ସୋସିଆଲ୍ ମିଡିଆ ୟୁଜର୍ । ପ୍ରକୃତରେ ଓ୍ୱିଲ୍ ସ୍ମିଥଙ୍କ ପତ୍ନୀ ଜାଡ଼ା ଏକ ବିରଳ ରୋଗ ଆଲପିସିଆରେ ପୀଡ଼ିତ । ଏଥିରେ ମୁଣ୍ଡର ଚୁଟି ଝଡ଼ିଯାଏ । ଏହି ସମସ୍ୟା ସଂପର୍କରେ ନିଜେ ଜାଡ଼ା ୨୦୧୮ରେ ଘୋଷଣା କରିଥିଲେ । ତେଣୁ ଏକ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସ୍ଥିତିକୁ ନେଇ ଓସ୍କାର ମଞ୍ଚରେ ବ୍ୟଙ୍ଗ କରିବା ଠିକ୍ ହୋଇନାହିଁ ବୋଲି ଅନେକେ କହୁଥିବା ବେଳେ, ଓ୍ୱିଲ୍ ସ୍ମିଥ୍ ମଧ୍ୟ ଏଭଳି ଢଙ୍ଗରେ ଆକ୍ରମଣ କରିବା ଅନୁଚିତ ଥିଲା ବୋଲି ମତ ପ୍ରକାଶ ପାଇଛି ।

ସେପଟେ ଘଟଣା ପାଇଁ ପରେ ଦୁଃଖ ପ୍ରକାଶ କରିଥିଲେ ସ୍ମିଥ୍ । ଏକାଡେମୀ ଏବଂ ସାଥୀ ନୋମିନୀଙ୍କୁ କ୍ଷମା ବି ମାଗିଥିଲେ । ଏପରିକି ଶ୍ରେଷ୍ଠ ଅଭିନେତା ସମ୍ମାନକୁ ଫେରାଇ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ସ୍ମିଥ୍ । ଅନ୍ୟ ପକ୍ଷରେ ଓସ୍କାର ପକ୍ଷରୁ ମଧ୍ୟ ଟୁଇଟ୍ କରାଯାଇଛି ଯେ, ଏକାଡେମି କୌଣସି ପ୍ରକାର ହିଂସାକୁ ସମର୍ଥନ କରେନାହିଁ ।

ଏଥର ଏକାଡେମୀ ଆୱାର୍ଡସ ଉତ୍ସବକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ଥିବା ବେଳେ ଓସ୍କାର ମଂଚରେ ଘଟିଯାଇଛି ଇତିହାସରେ କେବେ ଘଟିନଥିବା ଘଟଣା ।