ପାସ୍‌ ହାର ସିନା ବଢ଼ିଲା, ହେଲେ ଏବେ ମେଧାବୀଙ୍କୁ ମନପସନ୍ଦର କଲେଜରେ ମିଳିବ ତ ସିଟ୍ ?

ବିଜେବି, ରମାଦେବୀ, ରେଭେନ୍‌ସା ଭଳି ଅଗ୍ରଣୀ ସରକାରୀ କଲେଜ୍‌ରେ ଆଡମିଶନକୁ ନେଇ ଅଧିକ ପ୍ରତିଯୋଗିତା ଦେଖାଦେବାର ସମ୍ଭାବନା ରହିଛି ।

Admission

ମାଟ୍ରିକ ପାସ୍ ହାର ବଢିଲା, ତା’ସହ ବଢିଲା ମେଧାବୀ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ଟେନ୍‌ସନ । ଭଲ କଲେଜରେ ସିଟ୍ ମିଳିବ ନା ନାହିଁ ଏମିତି ଆଶଙ୍କା ଏବେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବିନ୍ଧା ବଢାଇଦେଲାଣି । କାରଣ କଟ୍ ଅଫ୍ ଏଥର ଅଧିକ ଯାଇପାରେ । ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୯୦.୫୫ ପ୍ରତିଶତ । ଆଉ A1 ଗ୍ରେଡ୍ ଅର୍ଥାତ ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ରାଜ୍ୟର ୮ହଜାର ୧୧୯ ଜଣ ଛାତ୍ରଛାତ୍ରୀ ।

ଯାହାକି ବିଗତ ବର୍ଷଗୁଡିକ ଠାରୁ ଯଥେଷ୍ଟ ଅଧିକ । ଏହାବାଦ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ରାଜ୍ୟ ବୋର୍ଡ ଅଧିନରେ ଥିବା କଲେଜରେ ଆଡମିଶନ କରିବେ । ଏଥିଲାଗି ବିଜେବି, ରମାଦେବୀ, ରେଭେନ୍‌ସା ଭଳି ଅଗ୍ରଣୀ ସରକାରୀ କଲେଜ୍‌ରେ ଆଡମିଶନକୁ ନେଇ ଅଧିକ ପ୍ରତିଯୋଗିତା ଦେଖାଦେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ଥିବା କଲେଜ୍ ଗୁଡିକରେ ବି ଆଡମିଶନ୍ ନେଇ ସମସ୍ୟା ଦେଖାଦେଇପାରେ । ପାଖରେ ଥିବା କଲେଜ୍‌ରେ ପଢିବା ଲାଗି ପିଲାଏ ଇଚ୍ଛୁକ ଥାନ୍ତି । କମ୍ ସଂଖ୍ୟକ ସିଟ୍ ଓ ପାସ୍ ହାର ବଢିଥିବାରୁ ପାଖ କଲେଜରେ ସ୍ଥାନୀୟ ପିଲାଙ୍କୁ ଆଡମିଶନ୍ ନମିଳିପାରେ । ବିଶେଷକରି ଛାତ୍ରୀମାନଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇପାରେ । ତେଣୁ କଲେଜ୍ ଗୁଡିକରେ ସିଟ୍ ବଢାଇବା ଲାଗି ଦାବି ଉଠିଲାଣି । ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସିଟ୍ ନେଇ କୌଣସି ସମସ୍ୟା ହେବନି ।

ଅନ୍ୟପଟେ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ୪୫ ହଜାର ୯୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି । ଏତେ ସଂଖ୍ୟକ ପରୀକ୍ଷାର୍ଥୀ କାହିଁକି ଅନୁପସ୍ଥିତ ରହିଲେ ସେନେଇ ବିଭାଗ ଅନୁଧ୍ୟାନ କରୁଛି । କିନ୍ତୁ ଅନୁପସ୍ଥିତିର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନି । ସେପଟେ ଅଧାରୁ ପଢା ଛାଡିଥିବା ଏହି ୪୫ ହଜାର ମାଟ୍ରିକ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ମୁଖ୍ୟ ସ୍ରୋତକୁ ଆଣିବାକୁ ଗଣଶିକ୍ଷା ବିଭାଗ ପ୍ରୟାସ କରୁ ବୋଲି ଦାବି କରିଛି ଅଭିଭାବକ ସଂଘ ।

ରାଜ୍ୟରେ ବର୍ତ୍ତମାନ ଦୁଇ ହଜାରରୁ ଅଧିକ ଜୁନିୟର କଲେଜ ରହିଥିବା ବେଳେ ଏଠାରେ ମୋଟ୍ ସିଟ୍ ସଂଖ୍ୟା ହେଉଛି ପ୍ରାୟ ୪ ଲକ୍ଷ ୪୩ ହଜାର । ଏବର୍ଷ କିନ୍ତୁ ପାସ୍ କରିଛନ୍ତି ୫ ଲକ୍ଷ ୧୭ ହଜାର ୮୪୭ । ଏହାରି ଭିତରୁ ଅନେକ ବୈଷୟିକ ଶିକ୍ଷାକୁ ମଧ୍ୟ ଯିବେ । ତେବେ ବିଭାଗ ଏନେଇ କି ପଦକ୍ଷେପ ନେଉଛି ତାଉପରେ ନଜର ।

ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସୂଚନା ଅନୁଯାୟୀ ଏଯାଏଁ ୩୨ ହଜାର ଅନୁପସ୍ଥିତ ଥିବା ପରୀକ୍ଷାର୍ଥୀଙ୍କ ତଥ୍ୟ ହାସଲ ହୋଇଛି । ସମୂର୍ଣ୍ଣ ତଥ୍ୟ ମିଳିବା ପରେ ଅନୁଧ୍ୟାନ କରି ବିଭାଗ ପଦକ୍ଷେପ ନେବ । ଏଠି ପ୍ରଶ୍ନ ଉଠୁଛି ଏସବୁ ପିଲାଙ୍କ ଭାଗ୍ୟ ଏବେ କଣ ହେବ ? ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ପୁଣି କିପରି ଫେରାଇଆଣିବ ? ସେନେଇ କିନ୍ତୁ ବିଭାଗ ଚୁପ୍ ।