ଏମିତି ଚାଲିଛି ଅଙ୍ଗନୱାଡ଼ି ପାଠପଢ଼ା, ବର୍ଷେ ହେଲା ଭୁଶୁଡି ପଡ଼ିଛି ଘର

ବର୍ଷେ ହେଲା ଭୁଶୁଡି ପଡ଼ିଛି ଅଙ୍ଗନବାଡ଼ି କେନ୍ଦ୍ର । ବିପଦ ମୁଣ୍ଡାଇ ପାଠ ପଢ଼ୁଛନ୍ତି କୁନି କୁନି ପିଲା ।

Anganwadi centre

ଶିକ୍ଷା କ୍ଷେତ୍ରରେ କାଳେ ସ୍ୱତନ୍ତ୍ରତା ହାସଲ କରିଛି ଢେଙ୍କାନାଳ ଜିଲ୍ଲା । ପୂରା ଜିଲ୍ଲାରେ ରହିଛି ମୋଟ ୨ହଜାର ୨ଶହ ୨୦ଟି ଅଙ୍ଗନବାଡ଼ି କେନ୍ଦ୍ର । ହେଲେ ବାସ୍ତବରେ ଚିତ୍ର ଭିନ୍ନ । ବର୍ଷେ ହେଲା ଭୁଶୁଡି ପଡ଼ିଛି ଅଙ୍ଗନବାଡ଼ି କେନ୍ଦ୍ର । ଫଳରେ ପିଲାମାନଙ୍କ ଶିକ୍ଷା କେମିତି ଚାଲୁଥିବ ଅନୁମାନ କରିପାରୁଥିବେ । ଢେଙ୍କାନାଳ ଜିଲ୍ଲାର କୁସୁମଯୋଡି ଅଙ୍ଗନବାଡ଼ି କେନ୍ଦ୍ରରେ ବର୍ଷେ ହେଲା ଅଙ୍ଗବନାଡ଼ି ଗୃହ ଭୁଶୁଡ଼ି ପଡ଼ିଥିବାରୁ କୁନିକୁନି ପିଲାମାନେ ଏଣେତେଣେ ବସି ପାଠ ପଢ଼ୁଛନ୍ତି ।

ଘରଟି ଭାଙ୍ଗିଯିବା ପରେ ପିଲାଙ୍କ ପାଠପଢ଼ାରେ ଅସୁବିଧା ହେଉଛି । ଏନେଇ ଅଙ୍ଗନବାଡ଼ି କର୍ମୀ ଲକ୍ଷ୍ମୀପ୍ରିୟା ସାହୁ ସ୍ଥାନୀୟ ସିଡିପିଓ ଏବଂ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାକୁ ନେଇ ଅଭିଭାବକ ଓ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଖୁବ୍‌ ଶୀଘ୍ର ନୂତନ ଗୃହଟିଏ ନିର୍ମାଣ କରିବାକୁ ଦାବି କରିଛନ୍ତି ।

ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ଏଠି ଅଙ୍ଗନବାଡ଼ି ଘର ଖଣ୍ଡିଏ ପାଇଁ ମାସ ପରେ ମାସ ବିତି ବିତିଗଲାଣି । ସେପଟେ ଏହି ଘଟଣାଟିକୁ ଗୁରୁତ୍ୱର ସହିତ ନେଇଛନ୍ତି ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ । ସରକାରୀ ଫଣ୍ଡ ଆସିଲେ ନିଶ୍ଚିତ ଭାବେ ଏହାକୁ ତିଆରି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଶିଶୁଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ପାଇଁ ଅନ୍ଧାରରେ ଥିବା ଏହି ମଣିଷ ଗଢା କାରଖାନା ପ୍ରତି ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଅଭିଭାବକ ।