ସୁପ୍ରିମକୋର୍ଟଙ୍କ ରହିତାଦେଶକୁ ରାଜ୍ୟର ଫୁ: ନିଯୁକ୍ତି ପ୍ରକ୍ରିୟା ଜାରି ଥିବାରୁ OPSC ଓ ଉଚ୍ଚ ଶିକ୍ଷା ବିଭାଗକୁ UGCର ଚିଠି

ୟୁନିଭରସିଟି ଆମେଣ୍ଡମେଣ୍ଟ ଆକ୍ଟ ୨୦୨୦କୁ ପ୍ରଥମରୁ ହିଁ ବିଭିନ୍ନ ଫୋରମରୁ ବିରୋଧ କରାଯାଇଆସୁଛି

Supreme Court

ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମରେ ୩ ମାସ ପାଇଁ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ହେଲେ ଏହାସତ୍ତ୍ୱେ ବି ଓପିଏସସି ଜାରି ରଖିଛି ନିଯୁକ୍ତି ପ୍ରକ୍ରିୟା, ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି ୟୁନିଭରସିଟି । ଗ୍ରାଣ୍ଟ କମିଶନ, ୟୁଜିସି ମେ ୨୦ରୁ ସୁପ୍ରିମକୋର୍ଟ ରହିତା ଦେଶ ଲଗାଇଥିଲେ ମଧ୍ୟ ସୋସିଓଲୋଜି ଓ କମର୍ସ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ପଦ ଲାଗି ଓପିଏସପି ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି ।

ରହିତାଦେଶ ଥିବାରୁ କୌଣସି ପ୍ରକାର ନିଯୁକ୍ତି ବା ନୂଆ ଆଇନ୍ ସମ୍ପର୍କିତ ପ୍ରକ୍ରିୟା ଚାଲିପାରିବ ନାହିଁ । ତେବେ ଓପିଏସପି ଏହାର ଅବମାନନା କରିବା ନେଇ ପ୍ରଶ୍ନ ଉଠାଇଛି ୟୁଜିସି । ଏନେଇ ୟୁଜିସି ସଚିବ ରଜନୀଶ ଜୈନ ଉଚ୍ଚଶିକ୍ଷା ବିଭାଗ ଏବଂ ଓପିଏସସି ସଚିବଙ୍କୁ ଚିଠି ଲେଖିଛନ୍ତି । ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ବନ୍ଦ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ସେପଟେ କମିଶନଙ୍କ ସଚିବ କହିଛନ୍ତି ଯେ, କୋର୍ଟଙ୍କ ନିର୍ଦ୍ଦେଶ ଓ ୟୁଜିସି ଚିଠିର ତର୍ଜମା କରାଯାଇ ପଦକ୍ଷେପ ନିଆଯିବ ।

ୟୁନିଭରସିଟି ଆମେଣ୍ଡମେଣ୍ଟ ଆକ୍ଟ ୨୦୨୦କୁ ପ୍ରଥମରୁ ହିଁ ବିଭିନ୍ନ ଫୋରମରୁ ବିରୋଧ କରାଯାଇଆସୁଛି । ରାଜନୈତିକ ଦଳଙ୍କ ଠାରୁ ଆରମ୍ଭ କରି ଶିକ୍ଷାବିତଙ୍କ ମତ ହେଲା ଏହି ଆଇନ୍ ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ନଷ୍ଟ ହେବ । ସରକାରଙ୍କ ହସ୍ତକ୍ଷେପ ବଢିବ ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ରହିବ ନାହିଁ । ହାଇକୋର୍ଟ ଆଇନକୁ ଗ୍ରୀନ୍ ସିଗନାଲ୍ ଦେଇଥିଲେ ମଧ୍ୟ ଓଡିଶାର ଆଇନ୍ ଲାଗୁ ଦ୍ୱାରା ୟୁଜିସି ନିୟମର ଉଲ୍ଲଂଘନ ହେଉଥିବା ହୃଦୟଙ୍ଗମ କରି ସର୍ବୋଚ୍ଚ କୋର୍ଟ ରହିତାଦେଶ ଲଗାଇଛନ୍ତି ।

ତେଣୁ ରାଜ୍ୟ ସରକାର କୋର୍ଟଙ୍କ ନିର୍ଦ୍ଦେଶ ମାନିବା ପରିବର୍ତ୍ତେ କିଭଳି ନିଯୁକ୍ତି ପ୍ରକ୍ରିୟା ଚଳାଇଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ଶିକ୍ଷାବିତ୍ କହିଛନ୍ତି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରିବା ଉଚିତ । ରାଜ୍ୟ ସରକାର ମାମଲାରେ ପକ୍ଷଭୁକ୍ତ ହୋଇଥିବାରୁ ଏବେ କୋର୍ଟରେ କି ଯୁକ୍ତି ରଖୁଛନ୍ତି ତା ଉପରେ ନଜର ।