ପ୍ରବଳ ଗ୍ରୀଷ୍ଣ ପ୍ରବାହ ପାଇଁ ଆଜିଠାରୁ ୧୬ ତାରିଖ ଯାଏ ରାଜ୍ୟର ସବୁ ସ୍କୁଲ୍କୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସ୍କୁଲ୍ ସମେତ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ରହିବ। ରାଜ୍ୟରେ ଜାରି ରହିଥିବା ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି।
ଗତ ୨ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଉପରମୁହାଁ ହେବାରେ ଲାଗିଛି। ତେଣୁ ଆଗକୁ ଆହୁରି ତାତି ବଢ଼ିବାର ଆଶଙ୍କାକୁ ଦେଖି ପଦକ୍ଷେପ ନିଆଯାଇଛି। ସମସ୍ତ ସ୍କୁଲ୍ର ପ୍ରଥମରୁ ଦଶମ ଏବଂ ଅଙ୍ଗନବାଡ଼ି କେନ୍ଦ୍ରର ପିଲାଙ୍କ ପାଇଁ ଛୁଟି ଘୋଷଣା ହୋଇଛି। ଏହାବ୍ୟତୀତ ନିରବିଚ୍ଛନ୍ନ ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
Also Read
ଜାପାନ ଗସ୍ତ ସାରି ଓଡ଼ିଶା ଫେରିବା ପରେ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଗ୍ରୀଷ୍ମ ପ୍ରବାହ ସ୍ଥିତି ସହ ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗରେ ସମୀକ୍ଷା କରିଥିଲେ। ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଛି। ତଥାପି ବର୍ତ୍ତମାନର ସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।