ଶିକ୍ଷକ ନାହାନ୍ତି, ପିଲାଙ୍କୁ ଗଣିତ ପଢ଼ାଉଛନ୍ତି ସରପଞ୍ଚ ବାବୁ : ଦିନରେ ନେଉଛନ୍ତି ୨ଟି କ୍ଲାସ୍

ଗଣିତ ଶିକ୍ଷକ ନିଯୁକ୍ତି ଲାଗି ଶିକ୍ଷା ବିଭାଗକୁ ଲେଖିଲେ ଚିଠି

ସରପଞ୍ଚ ସାଜିଲେ ଗଣିତ ସାର

ସ୍କୁଲରେ ନାହିଁନ୍ତି ଗଣିତ ଶିକ୍ଷକ, ପିଲାଙ୍କୁ ଗଣିତ ପଢାଉଛନ୍ତି ଖୋଦ ସରପଞ୍ଚ । ବିଦ୍ୟାଳୟ ପରିଦର୍ଶନରେ ଆସି ସରପଞ୍ଚ ପଢ଼ାଉଛନ୍ତି ପାଠ l ନିଜେ ଚକ ଧରି ଶ୍ରେଣୀ କକ୍ଷ କଳାପଟାରେ ଗଣିତ କସି ପିଲାଙ୍କୁ ପାଠ ବୁଝାଉଛନ୍ତି l ଆଉ ପିଲାମାନେ କିପରି ସହଜରେ ବୁଝି ପାରିବେ, ସେଥିପାଇଁ ଅତି ସରଳ ଭାବେ ବୁଝାଉଛନ୍ତି ସରପଞ୍ଚ l ପିଲାମାନେ ମଧ୍ୟ ସରପଞ୍ଚଙ୍କ ଠାରୁ ଗଣିତ ପଢି ବେଶ୍‌ ଖୁସ l ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତ ଜଗବନ୍ଧୁ ସରକାରୀ ବିଦ୍ୟାପୀଠରେ l

ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତ ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ମଲିକ ବିଦ୍ୟାଳୟରେ ପାଠ ପଢ଼ାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି l ପଞ୍ଚାୟତର ଜଗବନ୍ଧୁ ସରକାରୀ ବିଦ୍ୟାପୀଠକୁ ପରିଦର୍ଶନରେ ଆସି ସରପଞ୍ଚ ଗଣିତ ପାଠ ପଢ଼ାଇଛନ୍ତି l ପିଲାଙ୍କୁ ପାଠ ପଢାଇବାସହ ବିଦ୍ୟାଳୟର ସୁବିଧା ଅସୁବିଧା ଶିକ୍ଷକଙ୍କ ଠାରୁ ପଚାରି ବୁଝିଛନ୍ତି ସରପଞ୍ଚ l ସରପଞ୍ଚ ଗୋବିନ୍ଦ ନିଜ ପଞ୍ଚାୟତର ବିଭିନ୍ନ ସ୍ଥାନ ବୁଲି ପରିଦର୍ଶନ କରିବା ସହ ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିବା ପାଇଁ ବାହାରିଥିଲେ l ପଞ୍ଚାୟତରେ ବୁଲୁଥିବା ବେଳେ ବିଦ୍ୟାଳୟକୁ ପରିଦର୍ଶନରେ ଆସିଥିଲେ l ବିଦ୍ୟାଳୟରେ ପିଲାଙ୍କ ସହ କଥା ହେବା ସହ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l ହେଲେ ବିଦ୍ୟାଳୟରେ ଗଣିତ ଶିକ୍ଷକଙ୍କ ଅଭାବ ରହିଛି ବୋଲି ଜାଣିବାକୁ ପାଇଥିଲେ l ତେଣୁ ସେହି ଦିନ ନିଜେ ପିଲାଙ୍କୁ ଜ୍ୟାମିତି ପଢ଼ାଇଥିଲେ l

ଏବେ ସରପଞ୍ଚ ମଝିରେ ମଝିରେ ବିଦ୍ୟାଳୟ ପରିଦର୍ଶନରେ ଆସି ପିଲା ମାନଙ୍କୁ ଏପରି ପାଠ ପଢ଼ାଉଛନ୍ତି ।  ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି l ବିଦ୍ୟାଳୟକୁ ଯାଇ ପିଲା ମାନଙ୍କ ଅସୁବିଧା ବୁଝିବା ସହ କିପରି ବିଦ୍ୟାଳୟରେ ଅଭାବ ଥିବା ଶିକ୍ଷକ ପଦବୀ ପୂରଣ ହେବ ସେ ସମ୍ପର୍କରେ ଶିକ୍ଷକଙ୍କ ସହ ଆଲୋଚନା କରନ୍ତି ସରପଞ୍ଚ l କେବଳ ଏହି ବିଦ୍ୟାଳୟ ନୁହଁ, ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟକୁ ନିୟମିତ ଯାଆନ୍ତି ସରପଞ୍ଚ ଗୋବିନ୍ଦ l ପିଲାଙ୍କ ସହ ମିଶିବା ଆଉ ପାଠ ପଢାଇବା ତାଙ୍କୁ ବେସ ଭଲ ଲାଗେ ବୋଲି କହନ୍ତି l ବିଜ୍ଞାନରେ ସ୍ନାତକ କରିଥିବା ଗୋବିନ୍ଦ, ଏହି ବରଣ୍ଡୁଆ ପଞ୍ଚାୟତରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି l ଜଣେ ସରପଞ୍ଚ ବିଦ୍ୟାଳୟକୁ ଯାଇ ପିଲା ମାନଙ୍କୁ ପାଠ ପଢାଇ ନିଶ୍ଚିତ ଭାବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତ l

ବାସୁଦେବପୁରରୁ କିରୀଟି ଦାସ