ପଣିକିଆ କହି ପାରିଲେନି ପିଲା : ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିଦେଲେ ଗଣ ଶିକ୍ଷାମନ୍ତ୍ରୀ

ତୃତୀୟ ଶ୍ରେଣୀ ପିଲା ତିନିକ ପଣକିଆ କହି ନ ପାରିବାକୁ କ୍ଷୁବ୍ଧ ହେଲେ ମନ୍ତ୍ରୀ। ଏହି ଘଟଣାରେ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହ ତାଙ୍କୁ ନୋଟିସ୍‌ ଜାରି କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ

ମହାବୀର ନୋଡାଲ ୟୁପି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କଲେ

ପିଲା ଥଙ୍ଗେଇଲେ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ । ତୃତୀୟ ଶ୍ରେଣୀର ପିଲା ତିନି ଖନ୍ଦା ପଣିକିଆ ନକହିବା ପାରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଜଣେ ଅଧେ ନୁହେଁ, ୪-୫ ଜଣଙ୍କୁ ସେହି ତିନି ଖନ୍ଦା ପଣିକିଆ ପଚାରିଲେ ସମୀର ଦାଶ । ହେଲେ କେହି କହିନପାରିବା ପରେ ବାଲେଶ୍ୱର ମଠ ସାହି ମହାବୀର ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ତା ସହିତ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । ଏହାଦ୍ୱାରା ସ୍କୁଲରେ କିପରି ଶିକ୍ଷାଦାନ ଚାଲିଛି ବୋଲି ମନ୍ତ୍ରୀ ପଚାରି ବୁଝିଥିଲେ। ମାତ୍ର ପ୍ରଧାନଶିକ୍ଷୟିତ୍ରୀଜଣକ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ମନ୍ତ୍ରୀ ତାଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କ ଦାୟିତ୍ୱ ଠିକରେ ତୁଳାଇ ନଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମନ୍ତ୍ରୀ କହିଛନ୍ତି । ୧୫ ଦିନ ଭିତରେ ୧୫ ଖନ୍ଦା ପଣିକିଆ ଯେପରି ପିଲା କହିପାରିବେ, ସେମିତି ପାଠ ପଢ଼ାଇବାକୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ଆଜି ବାଲେଶ୍ୱରର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ସମୀର ଦାଶ ଫାଇଭ୍ ଟି ରେ ଏବେ ନୂଆ ଟି- ଟୁର୍ ଯୋଡ଼ି ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍କୁଲ ପରିଦର୍ଶନ ଜାରି ରହିବ ବୋଲି ସେ କହିଛନ୍ତି । ବାଲେଶ୍ୱରର ବିଭିନ୍ନ ସ୍କୁଲ ପରିଦର୍ଶନ କରି ପାଠ ପଢ଼ା କେମିତି ହେଉଛି, ତାହା ବୁଝିବା ସହିତ ମଧ୍ୟାହ୍ନ ଭୋଜନର ମଧ୍ୟ ସେ ତଦାରଖ କରିଥିଲେ । ସ୍କୁଲର ସମସ୍ୟା କଥା ବୁଝିବା ସହିତ ଛାତ୍ରଛାତ୍ରୀଙ୍କୁ ଚଲୋଲେଟ ମଧ୍ୟ ବାଣ୍ଟିଥିଲେ ମନ୍ତ୍ରୀ ।