Teachers Protest: ଭୁବନେଶ୍ୱରରେ ଗର୍ଜିବେ ପ୍ରାଥମିକ ଶିକ୍ଷକ, ସରକାରଙ୍କୁ ମାଗିବେ ହକ୍‌

ଭୁବନେଶ୍ବରରେ ଶୁଭିବ ପୁଣି ଶିକ୍ଷକଙ୍କ ଗର୍ଜନ । ପୂର୍ବ ସରକାର କରିଥିବା ପ୍ରତାରଣାକୁ ଶିକ୍ଷକମାନେ ନୂଆ ସରକାରଙ୍କୁ ଗୋଟି ଗୋଟି କହିବେ ।

Teachers to stage Protest

ନବୀନ ଦେଖାଇଥିଲେ ନାଲି ଆଖି । ମୋହନ ଦେବ କି ଗୁରୁଙ୍କୁ ସମ୍ମାନ ? ରାଜରାସ୍ତାକୁ ଓହ୍ଲାଇବେ ଗୁରୁ । ଭୁବନେଶ୍ବରରେ ଶୁଭିବ ପୁଣି ଶିକ୍ଷକଙ୍କ ଗର୍ଜିନ । ପୂର୍ବ ସରକାର କରିଥିବା ପ୍ରତାରଣାକୁ ଶିକ୍ଷକମାନେ ନୂଆ ସରକାରଙ୍କୁ ଗୋଟି ଗୋଟି କହିବେ । ବିଜେଡି ସରକାର ବେଳେ ଦୀର୍ଘ ବର୍ଷର ଟାଳଟୁଳ ନୀତିକୁ ନେଇ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇବାକୁ ଯାଉଛନ୍ତି ପ୍ରାଥମିକ ଶିକ୍ଷକ । ଫେବ୍ରୁଆରୀ ୧୬ରେ ବିଧାନସଭା ଘେରିବାକୁ ପ୍ରାଥମିକ ଶିକ୍ଷକ ସଂଘ ଚେତାନୀ ଦେଇଛି । ତା’ ସହ ନୂଆ ସରକାରଙ୍କ ଠାରୁ ସେମାନଙ୍କ ହକ୍‌ ପାଇବେ ବୋଲି ଆଶା ରଖିଥିବା କହିଛି ସଂଘ ।

୨୦୦୧ରୁ ଏହି ଶିକ୍ଷକମାନଙ୍କୁ ନିଯୁକ୍ତି ମିଳିଥିଲା । ହେଲେ ଏଯାଏଁ ଏମାନେ ପାଇପାରିନାହାନ୍ତି ଉଚିତ୍‌ ପାରିଶ୍ରମିକ । ପୁରୁଣା ପେନସନ ବ୍ୟବସ୍ଥା, ସମାନ କାମକୁ ସମାନ ଦରମା, ସ୍ଥାୟୀ କରିବା, ଦରମା ବୃଦ୍ଧି ଓ ଯୋଜନା ଭିତ୍ତିକ ନିଯୁକ୍ତି ଉଚ୍ଛେଦ ଭଳି ଏକାଧିକ ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି ପ୍ରାଥମିକ ଶିକ୍ଷକ ସଂଘ । ଦାବି ପୂରଣ ନହେବା ଯାଏ ସମସ୍ତ ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମା ନନ୍ଦ ମହାରଣା ।

ନବୀନ ସରକାରଙ୍କ ଉପରେ ଭରସା ରଖି ବାରମ୍ବାର ପ୍ରତାରଣାର ଶିକାର ହୋଇଛନ୍ତି ଏମାନେ । ସରକାରଙ୍କ ନାଲି ଆଖି ଆଗରେ ବାରମ୍ବାର ମୁଣ୍ଡ ନୁଆଁଇଛନ୍ତି ଗୁରୁ । ହେଲେ ନୂଆ କରି ରାଜ୍ୟରେ ମୋହନ ସରକାର ଆସିଥିବାରୁ ପ୍ରାଥମିକ ଶିକ୍ଷକମାନେ ଉଚିତ୍‌ ନ୍ୟାୟ ପାଇବାକୁ ଆଶାବାଦୀ ରହିଛନ୍ତି ।