ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ଦାବିରେ ତେଜୁଛି ଛାତ୍ର ଅଶାନ୍ତି

ରାଜ୍ୟର କୋଭିଡ୍ ସ୍ଥିତି ସୁଧୁରିବା ପରେ କଲେଜ ଖୋଲି ପାଢପଢା ଆରମ୍ଭ ହୋଇଥିଲା । ମାତ୍ର ଓମିକ୍ରନ ଭୟ ବଢିବା ପରେ ଗତ ୧୦ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଥିଲା । ଫଳରେ ସିଲାବସ୍‌ର ୭୦ ପ୍ରତିଶତ ଏଯାଏଁ ଶେଷ ହୋଇନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ସରକାର କି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ରହିଛି ।

+2 Exam

ଜୋର ଧରିଲା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ଦାବି । ଅଫଲାଇନ୍‌ରେ ଦ୍ୱାଦଶ ଫାଇନାଲ ପରୀକ୍ଷା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ପରେ ଆରମ୍ଭ ହୋଇଛି ବିରୋଧ । ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । କୋଭିଡ୍ କାରଣରୁ କୋର୍ସ ସରିନଥିବାରୁ ଫାଇନାଲ ପରୀକ୍ଷା ନକରି କ୍ୱାଟର୍ ଏଣ୍ଡ ପରୀକ୍ଷା ଆଧାରରେ ମାର୍କ ଦେବାକୁ ସେମାନେ ଦାବି କରୁଥିବାର ଦେଖିବାକୁ ମିଳିଛି ।

ଅଫଲାଇନ୍‌ରେ ହେବ ଦ୍ୱାଦଶ ଫାଇନାଲ ପରୀକ୍ଷା, ଏଥିପାଇଁ ପ୍ରସ୍ତୁତ ହେବାକୁ ଛାତ୍ରଛାତ୍ରୀଙ୍କୁ ଗତ ୨୪ ତାରିଖରେ ଆହ୍ୱାନ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଆଉ ଏହା ପରେ ଆରମ୍ଭ ହୋଇଯାଇଛି ପ୍ରତିବାଦ । ପରୀକ୍ଷା ପ୍ରସ୍ତାବକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଦ୍ୱାଦଶ ଛାତ୍ରଛାତ୍ରୀ । ବିକ୍ଷୋଭ ପ୍ରଦର୍ଶନ ବେଳେ ଭୁବନେଶ୍ୱରେ ମାଷ୍ଟର କ୍ୟାଣ୍ଟିନରେ ପିଲା ଓ ପୋଲିସ ମଧ୍ୟରେ ଠେଲାପେଲା ହୋଇଥିବାର ଦେଖିବାକୁ ମିଳିଛି । ବୋର୍ଡ ପରୀକ୍ଷା ବାତିଲ ନେଇ ଦାବିପତ୍ର ଦେବାକୁ ଛାତ୍ରଛାତ୍ରୀ ନିବାସ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ, ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

 

କେବଳ ରାଜଧାନୀ ଭୁବନେଶ୍ୱରେ ନୁହେଁ, ରାଜ୍ୟର ବିଭିନ୍ନ କଲେଜରେ ଦେଖିବାକୁ ମିଳିଛି ଛାତ୍ର ପ୍ରତିବାଦ । ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ କରିବା ସହ ନିମାପଡା- ପିପିଲି ଜୟଶ୍ରୀ ଛକରେ ରାସ୍ତାରୋକ ମଧ୍ୟ କରିଥିବାର ଦେଖିବାକୁ ମିଳିଛି । ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ବୋର୍ଡ ପରୀକ୍ଷାକୁ ବିରୋଧ କରି କଲେଜ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।

ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର କଟକ-ଚାନ୍ଦବାଲି ମୁଖ୍ୟରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିବା ସହ ପରୀକ୍ଷା ବାତିଲ ପାଇଁ ଦାବି କରିଛନ୍ତି । ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦୁଝରରେ ବି ଦ୍ୱାଦଶ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଅଫିସର ଆଗରେ ବିକ୍ଷୋଭ କରିଛନ୍ତି । କ୍ୱାର୍ଟର ଏଣ୍ଡ୍ ପରୀକ୍ଷାର ପ୍ରଦର୍ଶନ ଭିତ୍ତିରେ ରେଜଲ୍ଟ ପ୍ରକାଶ କରିବା ଲାଗି ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ରାଜ୍ୟର କୋଭିଡ୍ ସ୍ଥିତି ସୁଧୁରିବା ପରେ କଲେଜ ଖୋଲି ପାଢପଢା ଆରମ୍ଭ ହୋଇଥିଲା । ମାତ୍ର ଓମିକ୍ରନ ଭୟ ବଢିବା ପରେ ଗତ ୧୦ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଥିଲା । ଫଳରେ ସିଲାବସ୍‌ର ୭୦ ପ୍ରତିଶତ ଏଯାଏଁ ଶେଷ ହୋଇନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ସରକାର କି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ରହିଛି ।