ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଗଲା ନମୁନା ପ୍ରଶ୍ନପତ୍ର । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି । ପ୍ରଚଳିତ ପରୀକ୍ଷା ପଦ୍ଧତି ମୁତାବକ ୭ଟି ବିଷୟରେ ତିଆରି ହୋଇଛି ଗୋଟିଏ ଲେଖାଏ ସେଟ୍ ।
ଏହି ପ୍ରଶ୍ନପତ୍ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।
ଚିଠିରେ ଉଲ୍ଲେଖ ଅଛି ଯେ, ବର୍ତ୍ତମାନ ପ୍ରଚଳିତ ପରୀକ୍ଷା ପଦ୍ଧତି ମୁତାବକ ନମୁନା ପ୍ରଶ୍ନପତ୍ର ତିଆରି ହୋଇଛି । ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟର ଗୋଟିଏ ଲେଖାଏ ସେଟ୍ ନମୁନା ପ୍ରଶ୍ନପତ୍ର ପଠାଯାଇଛି ।
ବାର୍ଷିକ ପରୀକ୍ଷାରେ ସମାନ ଢଙ୍ଗର ପ୍ରଶ୍ନପତ୍ର ପଡ଼ିବ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷା ପ୍ରସ୍ତୁତିରେ ଏହି ନମୁନା ପ୍ରଶ୍ନପତ୍ର ବା ସାମ୍ପଲ ପ୍ରଶ୍ନପତ୍ର ସହାୟକ ହେବ । ସେଗୁଡ଼ିକ ବିଦ୍ୟାଳୟ ସ୍ତରରେ କିଭଳି ବିତରଣ ହେବ ସେ ଦିଗରେ ଡିଇଓମାନେ ପଦକ୍ଷେପ ନେବେ ।
Also Read
ସମସ୍ତ ସ୍କୁଲ୍ର ପ୍ରଧାନଶିକ୍ଷକଙ୍କୁ ନମୁନା ପ୍ରଶ୍ନପତ୍ର ପଠାଇବା ସହ ଏହା ଯେପରି ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବ ସେଦିଗରେ ବ୍ୟବସ୍ଥା କରାଯିବ । ଏଥିସହ ଡିଜିଟାଲ ପ୍ରଶ୍ନପତ୍ର ବ୍ୟାଙ୍କ ପାଇଁ ଜିଲ୍ଲା ସ୍ତରର ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରି ତାହାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପଠାଇବାକୁ ମଧ୍ୟ କୁହାଯାଇଛି