ସରିଲା ପ୍ରତୀକ୍ଷା ! ନୂଆ ବର୍ଷରୁ ଖୋଲିବ ପ୍ରାଥମିକ ସ୍କୁଲ୍

ଜାନୁଆରୀ ୩ରୁ ଖୋଲିବ ପ୍ରାଇମେରୀ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କର ଆରମ୍ଭ ହେବ ଶ୍ରେଣୀଗୃହ ଶିକ୍ଷାଦାନ । କରୋନାର ତୃତୀୟ ଲହର ଆଶଙ୍କା ଭିତରେ ପ୍ରାଇମେରୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Primary School Reopen

ସରିଲା ପ୍ରତୀକ୍ଷା ପୁଣି ସ୍କୁଲ୍ ଯିବେ ପ୍ରାଥମିକ ପିଲା । ନୂଆ ବର୍ଷରୁ ଖୋଲିବ ପ୍ରାଥମିକ ସ୍କୁଲ୍ । ଆସନ୍ତା ସୋମବାରଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ କ୍ଳାସ୍‌ରୁମ୍ ପାଠପଢ଼ା ଆରମ୍ଭ ହେବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଫଳରେ ପାଖାପାଖି ୨ ବର୍ଷ ପରେ ସ୍କୁଲ ଦେଖିବେ ଛୋଟ ଛୋଟ ପିଲା । ସେଥିପାଇଁ ସେମାନଙ୍କ ମନରେ ଉତ୍ସାହ ରହିଛି । ତେବେ ଏଯାଏଁ ପିଲାଙ୍କ ଟିକାକରଣ ଆରମ୍ଭ ହୋଇ ନାହିଁ ଏବଂ ତୃତୀୟ ଲହର ଆଶଙ୍କା ଘନଉଥିବାରୁ ଚିନ୍ତାରେ ଅଛନ୍ତି ଅଭିଭାବକ ।

ଜାନୁଆରୀ ୩ରୁ ଖୋଲିବ ପ୍ରାଇମେରୀ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କର ଆରମ୍ଭ ହେବ ଶ୍ରେଣୀଗୃହ ଶିକ୍ଷାଦାନ । କରୋନାର ତୃତୀୟ ଲହର ଆଶଙ୍କା ଭିତରେ ପ୍ରାଇମେରୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଯେଉଁ ସ୍କୁଲଗୁଡ଼ିକରେ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ହେବ, ସେଠି ଜାନୁଆରୀ ୧୦ ତାରିଖରୁ କ୍ଳାସ୍ ଆରମ୍ଭ ହେବ । ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପାଠ ପଢ଼ାଯିବ । କୋଭିଡ୍ ଗାଇଡଲାଇନ୍‌ ଭିତରେ ରାଜ୍ୟର ପ୍ରାୟ ୨୭ ହଜାର ସ୍କୁଲରେ ଆରମ୍ଭ ହେବ ପାଠପଢା । ମଧ୍ୟାହ୍ନ ଭୋଜନ ସ୍ଥାନରେ ପିଲାଙ୍କ ଘରକୁ ରାସନ୍ ପଠାଯିବ । ସରକାରୀ ସ୍କୁଲଗୁଡ଼ିକ ସହ ଘରୋଇ ସ୍କୁଲରେ ବି ପ୍ରଥମରୁ ପଞ୍ଚମ ଯାଏଁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ ।

 

ଦୁଇ ବର୍ଷ ହେବ ସ୍କୁଲ୍ ନଯାଇ ପିଲାଙ୍କର ବୌଦ୍ଧିକ ବିକାଶରେ ବାଧା ଦେଖାଦେଉଛି । ଏହାସହ ଅନ୍ ଲାଇନ୍ ଶିକ୍ଷା ବି ସମସ୍ତଙ୍କ ପାଖରେ ପହଞ୍ଚି ପାରୁନି । ତେଣୁ ପ୍ରାଥମିକ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେପଟେ ସ୍କୁଲ୍ ଖୋଲୁଥିବା ଖବର ଶୁଣି ପିଲା କିନ୍ତୁ ଭାରି ଖୁସ୍ । ତେବେ ଓମିକ୍ରନ୍ ଭୟ ଏବଂ ପିଲାଙ୍କୁ ଏଯାଏଁ କୋଭିଡ୍ ଟିକା ଦିଆଯାଇନଥିବାରୁ ଶଙ୍କାରେ ଅଛନ୍ତି ଅଭିଭାବକ ।

ପାଖାପାଖି ଦେଢବର୍ଷ ବନ୍ଦ ରହିବା ପରେ ଗତ ନଭେମ୍ବର ୧୫ ତାରିଖରେ ଖୋଲିଥିଲା ଷଷ୍ଠ-ସପ୍ତମ ଶ୍ରେଣୀ । ଗଣଶିକ୍ଷା ବିଭାଗର ଏସଓପି ଅନୁଯାୟୀ ପିଲାଙ୍କ କ୍ଲାସରୁମ୍ ପାଠପଢା ଚାଲିଛି । ସକାଳ ୯ଟା ୩୦ ମିନିଟ୍‌ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ କ୍ଲାସ୍ ହେଉଛି । ତାପୂର୍ବରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ବି ଖୋଲିଥିଲା । ଅଧିକାଂଶ ସ୍କୁଲ୍‌ରେ ପାଠପଢ଼ା ଠିକ୍‌ଠାକ୍‌ ଚାଲିଥିବା ବେଳେ କେତେକ ଆବାସିକ ସ୍କୁଲ୍‌ରେ କିନ୍ତୁ କୋଭିଡ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ସେପଟେ ମହାମାରୀ ପାଇଁ ଅଧିକ ସମୟ ଧରି ସ୍କୁଲ୍ ବନ୍ଦ ରହିଥିବାରୁ ଡ୍ରପ୍ ଆଉଟ୍ ହାର ବଢିବାରେ ଲାଗିଛି । ଏବେ ଭିତ୍ତିଭୂମି ନଥିବା ସ୍କୁଲ୍ ଗୁଡିକରେ ସଂକ୍ରମଣମୁକ୍ତ ଶିକ୍ଷା କିପରି ମିଳୁଛି ତା ଉପରେ ନଜର ।

ଅନ୍ୟପଟେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଗାଇଡଲାଇନ ଜାରି କରିଛି ଗଣଶିକ୍ଷା ବିଭାଗ । ସ୍କୁଲ ଖୋଲିଲେ ବି ଅନଲାଇନ କ୍ଲାସ ଚାଲୁ ରଖିବାକୁ ନିର୍ଦ୍ଦେଶ । ଯେଉଁ ପିଲାମାନେ ଅନଲାଇନ କ୍ଲାସ କରିବାକୁ ଚାହିଁବେ, କରିପାରିବେ । ଅଭିଭାବକଙ୍କ ସମ୍ମତି ଆଣି ପିଲାମାନେ ସ୍କୁଲ ଆସିପାରିବେ । ସ୍କୁଲ ଖୋଲିବା ପୂର୍ବରୁ ଶିକ୍ଷାଧିକାରୀମାନେ ପରିଦର୍ଶନ କରି ସ୍ପଚ୍ଛତା ପରଖିବେ । କଣ୍ଟେନମେଣ୍ଟ ଜୋନ୍ ବାହାର ପିଲାଙ୍କୁ ସ୍କୁଲକୁ ଆସିବାକୁ ଅନୁମତି । ସ୍କୁଲରେ ହାତ ଧୋଇବାକୁ ବ୍ୟବସ୍ଥା ସହ ଡିଜିଟାଲ ଥର୍ମୋମିଟର ରଖାଯିବ । କୌଣସି ପିଲାଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯିବନି, ନିଜ ଇଚ୍ଛାରେ ଆସିବେ ।