Odisha CHSE Launches Question Bank For Class 12 Students
ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତିରେ ବଳ ଯୋଗାଇଲା କୋଶ୍ଚିନ୍ ବ୍ୟାଙ୍କ୍। ପ୍ରଥମ ଥର ପାଇଁ ଚଳିତ ବର୍ଷ ପରୀକ୍ଷାର୍ଥୀଙ୍କୁ କୋଶ୍ଚିନ୍ ବ୍ୟାଙ୍କ୍ ଯୋଗାଇବ ସିଏଚ୍ଏସ୍ଇ। ଏହାଦ୍ୱାରା ଛାତ୍ରଛାତ୍ରୀ ଭଲ ଭାବେ ପରୀକ୍ଷା ପ୍ରସ୍ତୁତି କରିପାରିବେ ଓ ରେଜଲ୍ଟ ବି ଭଲ ହେବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷେ, ଇଣ୍ଟରନେଟ୍ ସୁବିଧା ନଥିବା ଅଞ୍ଚଳର ପରୀକ୍ଷାର୍ଥୀ କିପରି ଏହାକୁ ୱେବସାଇଟ୍ରୁ ପାଇବେ ସେନେଇ ଏବେଠୁ ଆଶଙ୍କା ପ୍ରକାଶ କରିଛନ୍ତି।
ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କୋଶ୍ଚିନ୍ ବ୍ୟାଙ୍କ ପ୍ରସ୍ତୁତ କରିଛି। ଯାହାକି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତିରେ ସହାୟତା କରିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍ CHSEODISHA.NIC.INରେ କୋଶ୍ଚିନ୍ ବ୍ୟାଙ୍କ ଉପଲବ୍ଧ ଅଛି। ଏହି ଆଧାରରେ ପରୀକ୍ଷାର୍ଥୀ ଯେପରି ପରୀକ୍ଷା ପ୍ରସ୍ତୁତି କରିବେ ସେନେଇ ସଚେତନ କରାଇବାକୁ ସବୁ କଲେଜର ଅଧ୍ୟକ୍ଷଙ୍କୁ ପରିଷଦ ଚିଠି ଲେଖି ନିର୍ଦ୍ଦେଶ ଦେଇଛି।
ଏବେ କେବଳ ବିଜ୍ଞାନ ବିଭାଗର ଫିଜିକ୍ସ, କେମିଷ୍ଟ୍ରି, ମାଥମେଟିକ୍ସ ଓ ବାୟୋଲୋଜି ବିଷୟର କୋଶ୍ଚିନ୍ ବ୍ୟାଙ୍କ ଉପଲବ୍ଧ ଅଛି। ଖୁବ୍ଶୀଘ୍ର କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର କୋଶ୍ଚିନ୍ ବ୍ୟାଙ୍କ୍ ୱେବ୍ସାଇଟରେ ଅପଲୋଡ୍ କରାଯିବ ବୋଲି ପରିଷଦ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି।
ଆସନ୍ତା ବର୍ଷ ଫେବୃଆରୀରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ୫ ମାସ ପୂର୍ବରୁ ସିଏଚ୍ଏସ୍ଇ ଘୋଷଣା କରି ପିଲାଙ୍କ ମନରୁ ସଂଶୟ ଦୂର କରିଛି। ଆଉ ଏବେ କୋଶ୍ଚିନ୍ ବ୍ୟାଙ୍କ୍ ବ୍ୟବସ୍ଥା ପିଲାଙ୍କୁ ଅଧିକ ଉତ୍ସାହିତ କରିଛି। ଅପରପକ୍ଷେ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମନରେ ଏବେଠୁ ଆଶଙ୍କା ଦେଖାଦେଲାଣି। ଇଣ୍ଟରନେଟ୍ ସୁବିଧା ନଥିବାରୁ କିପରି ସେମାନେ କୋଶ୍ଚିନ୍ ବ୍ୟାଙ୍କ ସୁବିଧା ପାଇବେ।
ସେହିପରି କଳା ଓ ବାଣିଜ୍ୟ ବିଭାଗର କୋଶ୍ଚିନ୍ ବ୍ୟାଙ୍କ୍ କେତେ ଶୀଘ୍ର ମିଳିବ ତାକୁ ନେଇ ବି ପିଲାଏ ଆଶଙ୍କା ଭିତରେ। ପାସ୍ ହାର ବଢାଇବା ସହ ପିଲାଙ୍କୁ ପରୀକ୍ଷା ପାଇଁ ଶତ ପ୍ରତିଶତ ପ୍ରସ୍ତୁତ କରିବାକୁ CHSE ଏଭଳି ସଂସ୍କାରମୂଳକ ପଦକ୍ଷେପ ନେଉଛି। ଦେଖିବାର କଥା, ରାଜ୍ୟ ବୋର୍ଡର ପରୀକ୍ଷାର୍ଥୀ ଏହାଦ୍ୱାରା କେତେ ଉପକୃତ ହେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us