ପଙ୍କରେ ଫୁଟିଲା ପଦ୍ମ; ବାପା ଫଳ ବିକାଳୀ, ଝିଅ ହେଲା ଟପ୍ପର..

ଯେବେ ଗରିବ ଝିଅଟିଏ ସଫଳତା ପାଏ, ପରିବାରରେ ଖେଳିଯାଏ ଖୁସିର ଲହରୀ । ଦୁଃଖ ଭିତରେ ଫୁଟି ଉଠେ ହସ । ସମସ୍ତେ ଝିଅଟିକୁ ବେଶ୍‌ ବାହାବାହା କରନ୍ତି । ଗରିବ ବାପା ଫଳ ବିକନ୍ତି ।

Matric Result

ଯେବେ ଗରିବ ଝିଅଟିଏ ସଫଳତା ପାଏ, ପରିବାରରେ ଖେଳିଯାଏ ଖୁସିର ଲହରୀ । ଦୁଃଖ ଭିତରେ ଫୁଟି ଉଠେ ହସ । ସମସ୍ତେ ଝିଅଟିକୁ ବେଶ୍‌ ବାହାବାହା କରନ୍ତି । ଗରିବ ବାପା ଫଳ ବିକନ୍ତି । ଝିଅ ରୂପା ସା ବି ବାପାଙ୍କୁ କାମରେ ସାହାଯ୍ୟ କରନ୍ତି । ସବୁ କାମରୁ ସମୟ ବାହାରକରି ନିଜେ ପାଠ ପଢ଼ନ୍ତି । ଆଉ ସେହି ପରିଶ୍ରମ ଆଜି ସଫଳତା ଆଣିଦେଇଛି । ମାଟ୍ରିକ ପରୀକ୍ଷାରେ A-1 ଗ୍ରେଡ ଆଣିଛନ୍ତି ଏହି ଗରିବ ଝିଅ ରୂପା ।

ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳର ଓମ୍ ପ୍ରକାଶ ସା ଏବଂ ପୁରନ୍ଦା ସାଙ୍କ ଝିଅ ହେଉଛନ୍ତି ରୂପା ସା । ତାଙ୍କର ସଂଘର୍ଷ ଏବଂ ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛି । ଗିରିଧାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୂପା ମାଟ୍ରିକ ପରୀକ୍ଷାରେ A-1 ଗ୍ରେଡ ହାସଲ କରିଛନ୍ତି । ଆଗକୁ ଜଣେ ଆଇଏସ୍‌ ଅଫିସର ହେବାକୁ ତାଙ୍କର ସ୍ୱପ୍ନ ରହିଛି ।

ରୂପାସା ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ସେ ଏହି ସଫଳତା ପାଇଁ ଦିନକୁ ୮ ଘଣ୍ଟା ପରିଶ୍ରମ କରନ୍ତି । ରୁପା ସାଙ୍କ ବାପା ଜଣେ ଫଳ ଦୋକାନୀ । ଆଉ ମା’ ଜଣେ ଗୃହିଣୀ । ଝିଅର ପାଠପଢ଼ା ପାଇଁ ସେମାନେ ସବୁବେଳେ ସବୁ ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରିଛନ୍ତି । ସବୁ ଅସୁବିଧା ମଧ୍ୟରେ ଝିଅର ପାଠପଢ଼ା ପ୍ରତି ଦୃଷ୍ଟି ଦେଇଛନ୍ତି ବାପା-ମା’ ।

ଫଳରେ ରୁପା ସା’ ଏହି ସଫଳତା ପାଇପାରିଛନ୍ତି । ରୁପାଙ୍କ ଏହି ସଫଳତା କେବଳ ତାଙ୍କ ପରିବାରରେ ନୁହେଁ ପୁରା ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି କରିଛି । ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ରାଜ୍ୟରେ ଏବର୍ଷ ୫ ଲକ୍ଷ ୪୧ ହଜାର ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ଚଳିତଥର ପାସ୍‌ହାର ୯୬.୦୭% ରହିଛି ।

ସେହିପରି ଛାତ୍ରଙ୍କ ପାସ୍‌ହାର ୯୫.୩୯ %ଥିବାବେଳେ ଛାତ୍ରୀଙ୍କ ପାସ୍‌ହାର ୯୩.୭୩ %ରହିଛି । ତେବେ କୌଣସି ସ୍କୁଲରେ ପରୀକ୍ଷା ଫଳ ଶୂନ ନାହିଁ । ସମସ୍ତ ୨୬୪୪ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଚଳିତବର୍ଷ ରେଗୁଲାର୍‌ରେ ୫ଲକ୍ଷ ୪୧ହଜାର ୦୬୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫ଲକ୍ଷ ୩୦ହଜାର ୧୫୩ଜଣ ପାସ୍‌ କରିଛନ୍ତି ।

ସେହିପରି SOSCରେ ୬ହଜାର ୪୫୭ଜଣ ପରୀକ୍ଷା ଦେଇଥିବା ବେଳେ ୩ହଜାର ୮୪୪ ଜଣ ପାସ୍‌ କରିଛନ୍ତି । SOSCରେ ପାସ୍‌ହାର ରହିଛି ୫୯.୮୮ % । ମଧ୍ୟମାରେ ପାସ୍‌ହାର ରହିଛି ୯୮.୧୨ % । ମଧ୍ୟମାରେ ମୋଟ୍ ୩ହଜାର ୨୫୨ଜଣ ପରୀକ୍ଷା ଦେଇଥିବା ବେଳେ ୩ହଜାର ୧୯୧ଜଣ ପାସ୍‌ କରିଛନ୍ତି ।