ବିଶ୍ୱବିଦ୍ୟାଳୟ ମାଳମାଳ ହେଲେ ଅଧ୍ୟାପକ ମରୁଡ଼ି; ଚୁକ୍ତିଭିତ୍ତିକ ଷ୍ଟାଫଙ୍କ ହାତରେ ପାଠପଢ଼ା ଭାର

ବିଶ୍ୱବିଦ୍ୟାଳୟ ମାଳମାଳ, ହେଲେ ସବୁଠି ଚୁକ୍ତିଭତ୍ତିକ ଷ୍ଟାଫଙ୍କ ହାତରେ ପାଠପଢା ଭାର । ରାଜ୍ୟରେ ଉଚ୍ଚଶିକ୍ଷାର ବିକଳ ଚିତ୍ରର ଗୁମର ଖୋଲିଛି RTI ତଥ୍ୟ।

Teaching Recruitment

ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି । ଉତ୍କଳରୁ ଆରମ୍ଭ କରି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଯାଏଁ ସବୁଠି ସ୍ଥିତି ସଂଗୀନ । ରାଜ୍ୟର ସବୁଠୁ ପୁରୁଣା ୟୁନିଭର୍ସିଟି ଉତ୍କଳରେ ୧୨୯ ପଦବି ଖାଲି ପଡ଼ିଥିବା ବେଳେ ରେଭେନ୍ସାରେ ଖାଲି ପଦବି ସଂଖ୍ୟା ୧୨୦ରୁ ଅଧିକ । କୌଣସି ଗୋଟିଏ ବିଶ୍ୱବିଦ୍ୟାଳୟରେ ବି ପୂର୍ଣ୍ଣସଂଖ୍ୟାରେ ପ୍ରଫେସର କି ଆସୋସିଏଟ୍ ପ୍ରଫେସର ନାହାନ୍ତି । ସବୁଠି ଆସିଷ୍ଟାଣ୍ଟ ପ୍ରଫେସର ଓ ଚୁକ୍ତିଭତ୍ତିକ ଷ୍ଟାଫଙ୍କ ଭରସାରେ ଚାଲିଛି ପାଠପଢ଼ା । ଏଭଳି କ୍ଷେତ୍ରରେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଶିକ୍ଷାଦାନ ବ୍ୟବସ୍ଥାକୁ ନେଇ ଚିନ୍ତାରେ ।

ବିଶ୍ୱବିଦ୍ୟାଳୟ ମାଳମାଳ, ହେଲେ ସବୁଠି ଚୁକ୍ତିଭତ୍ତିକ ଷ୍ଟାଫଙ୍କ ହାତରେ ପାଠପଢା ଭାର । ରାଜ୍ୟରେ ଉଚ୍ଚଶିକ୍ଷାର ବିକଳ ଚିତ୍ରର ଗୁମର ଖୋଲିଛି RTI ତଥ୍ୟ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାୟ ସବୁ ବିଭାଗରେ ପ୍ରଫେସର ଅଭାବ । ରସାୟନ ବିଜ୍ଞାନ ବିଭାଗରେ ଯେଉଁଠି ୬ ଜଣ ଷ୍ଟାଫ୍ ରହିଥିବା କଥା, ସେଠି ବର୍ଷ ବର୍ଷ ଧରି ମାତ୍ର ୩ ଜଣ ସହକାରୀ ପ୍ରଫେସରରେ ଚାଲିଛି ବିଭାଗ । କଂପ୍ୟୁଟର ସାଇନ୍ସରେ ଆବଶ୍ୟକ ଶିକ୍ଷକ ସଂଖ୍ୟା ୯। ହେଲେ ଅଛନ୍ତି ମାତ୍ର ୪ ଜଣ ସହକାରୀ ପ୍ରଫେସର । ଏଭଳି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୨୪ଟି ପ୍ରଫେସର ପୋଷ୍ଟ ରହିଥିବା ବେଳେ ସେଥିରୁ ୧୪ ପୋଷ୍ଟ ଖାଲି ପଡିଛି । ସେହିଭଳି ମୋଟ ୧୯୬ ଟିଚିଂ ପୋଷ୍ଟ ମଧ୍ୟରୁ ୮୬ ପୋଷ୍ଟ ବର୍ଷ ବର୍ଷ ଧରି ପୂରଣ ହୋଇପାରୁନାହିଁ ।

ରାଜ୍ୟର ସର୍ବ ପୂରାତନ ଉତ୍କଳ ବିଶ୍ୱବିଦ୍ୟାଳୟରେ ୨୫୭ ଜଣ ଟିଚିଂ ଷ୍ଟାଫ ଆବଶ୍ୟକ ଥିବା ବେଳେ ପାଖାପାଖି ୫୦ ପ୍ରତିଶତ ପଦବି ଖାଲି ପଡିଛି । ବର୍ଷବର୍ଷ ଧରି ଖାଲି ରହିଥିବା ୧୨୯ଟି ପଦବି ପୂରଣ ହୋଇପାରୁନି । ସେହିଭଳି ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀର ଚିତ୍ର ଆହୁରି ସଂଗୀନ। ଏଠାରେ ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ମିଶି ୧୩୮ ଟି ପଦବି ରହିଥିବା ବେଳେ ଏଥିରୁ ୭୯ ପୋଷ୍ଟ ଖାଲି ।

ସେହିଭଳି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଟିଚିଂଷ୍ଟାଫ ସଂଖ୍ୟା ୨୫୭ ରହିଥିବା ବେଳେ ସଂପୂର୍ଣ୍ଣ ପାଠପଢା ଭାର ଠିକା ଅଧ୍ୟାପକଙ୍କ କାନ୍ଧରେ ରହିଛି । କାରଣ ବାରମ୍ବାର ରାଜ୍ୟ ସରକାରଙ୍କୁ କହିବା ପରେ ବି୧୨୦ ଅଧ୍ୟାପକ ପଦବି ପୂରଣ ହୋଇପାରୁ ନାହିଁ । ଫକୀରମୋହନ ବିଶ୍ୱବିଦ୍ୟାଳୟରେ ୧୧୭ ଅଧ୍ୟାପକ ପଦବି ମଧ୍ୟରୁ ୪୩ ପଦବି ଖାଲି ପଡ଼ିଥିବା ବେଳେ ବାରିପଦାର ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ମୋଟ୍ ୧୧୫ ପଦବିରୁ ୭୬ ପଦବି ଖାଲି ରହିଛି ।

କେବଳ ବିଶ୍ୱବିଦ୍ୟାଳୟ କୁଳପତି ନୁହନ୍ତି ଅଧ୍ୟାପକ ଅଭାବକୁ ନେଇ ମୁହଁ ଖୋଳିଛନ୍ତି ଛାତ୍ରଛାତ୍ରୀ । ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କହିବା ଅନୁସାରେ ଖାଲିଥିବା ଅଧ୍ୟାପକ ପଦବି ପୂରଣ କରିବା ପାଇଁ ପ୍ରକ୍ରିୟା ଚାଲିଛି ।