ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷାଗତ ବିକାଶ ପାଇଁ କେତେ ତତ୍ପର ରାଜ୍ୟ ସରକାର। ଜାଣିବାକୁ ଗୋଟିଏ ଉଦାହରଣ ହିଁ ଯଥେଷ୍ଟ। ସେଇଟି ହେଲା, ଆଜି ଯାଏଁ ରାଜ୍ୟରେ ଜଣେ ହେଲେ ସ୍ପେଶାଲ୍ ଏଜୁକେଟରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଏପରିକି ଏ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବି ବର୍ଷେ ହେଲା ବସି ପଡ଼ିଛନ୍ତି ରାଜ୍ୟ ସରକାର। ଯାହା ଫଳରେ ପାଠପଢ଼ାର ଉପଯୁକ୍ତ ପରିବେଶ ନପାଇ ବଢ଼ିଚାଲିଛି ଦିବ୍ୟାଙ୍ଗଙ୍କ ଡ୍ରପ୍ଆଉଟ୍ ହାର।
ସାଧାରଣ ସ୍କୁଲରେ ନିଜକୁ ଖାପ ଖୁଆଇ ନପାଇ ମାନସିକ ଅନଗ୍ରସରଙ୍କ ପାଇଁ ଥିବା ଭୁବନେଶ୍ୱରର ସ୍ୱତନ୍ତ୍ର ସ୍କୁଲରେ ପଢୁଥିବା ଏ ଶିଶୁର କଥା ସାଧାରଣ ପିଲାଙ୍କ ଠାରୁ ଏମାନଙ୍କ ଧିଶକ୍ତି କମ୍। ତେଣୁ ମାନିସକ ଓ ଶାରୀରିକ ସ୍ଥିତିକୁ ଦେଖି ଏଭଳି ପିଲାଙ୍କ ପ୍ରତି ସ୍କୁଲରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ହେଲେ ଅସଲ କଥା ହେଉଛି- ରାଜ୍ୟରେ କୌଣସି ଗୋଟିଏ ବି ସରକାରୀ ସ୍କୁଲରେ ସ୍ପେଶାଲ୍ ଏଜୁକେଟର ବା ସ୍ବତନ୍ତ୍ର ଶିକ୍ଷକ ନଥିବାରୁ ଅବହେଳିତ ଦିବ୍ୟାଙ୍ଗ ଛାତ୍ର। ଫଳରେ ପିଲା ଆଗକୁ ବଢ଼ି ପାରୁନାହାନ୍ତି।
କେନ୍ଦ୍ର ସରକାରଙ୍କ ୨୦୨୦-୨୧ ବର୍ଷ ୟୁଡିଆଇଏସ୍ଇ ପ୍ଲସ୍ ରିପୋର୍ଟର ତଥ୍ୟ ଅନୁସାରେ ରାଜ୍ୟରେ ମୋଟ୍ ୧ ଲକ୍ଷ ୩ ହଜାର ୫୮ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ନାଁ ଲେଖାଇଛନ୍ତି। ହେଲେ ସେମାନଙ୍କ ଭିତରୁ ପ୍ରଥମରୁ ପଞ୍ଚମରେ ୪୫ ହଜାର ୧୮ ଛାତ୍ରଛାତ୍ରୀ ନାଁ ଲେଖାଉଥିଲା ବେଳେ ଷଷ୍ଠରୁ ଅଷ୍ଟମ ବେଳକୁ ଏଇ ସଂଖ୍ୟା କମିଯାଇ ୩୭ ହଜାର ୩୭୧ରେ ପହଞ୍ଚୁଛି। ନବମ ଦଶମ ବେଳକୁ ଏହା ୨୦ ହଜାର ୩୩୫ ଓ ପ୍ଲସ୍ ଟୁ ବେଳକୁ ଏ ସଂଖ୍ୟା ଆହୁରି କମି ୩୩୪ରେ ପହଞ୍ଚୁଛି। ଯାହାର ମୂଳ କାରଣ ହେଉଛି ଏମାନଙ୍କ ମନସ୍ତାତ୍ୱିକ ସ୍ଥିତିକୁ ଜାଣି ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ଅଭାବ। ତେଣୁ ଯେଉଁ କିଛିି ସରକାରୀ ଅନୁଦାନ ପ୍ରାପ୍ତ ସ୍ବତନ୍ତ୍ର ସ୍କୁଲରେ ସ୍ପେଶାଲ୍ ଏଜୁକେଟର ଅଛନ୍ତି ସେଠିକୁ କିଛି ପିଲା ଯାଉଛନ୍ତି , ନହେଲେ ପାଠରେ ଡୋରି ବାନ୍ଧୁଛନ୍ତି।
ଅପରପକ୍ଷେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଲାଗି ପ୍ରତି ସ୍କୁଲରେ ସ୍ପେଶାଲ୍ ଏଜୁକେଟର ନିଯୁକ୍ତ କରିବାକୁ ଗତବର୍ଷ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ଦେଶର ସମସ୍ତ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୬ ମାସ ଭିତରେ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଥିଲେ ବି ଏପର୍ଯ୍ୟନ୍ତ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଏ ନିର୍ଦ୍ଦେଶର ଅନୁପାଳନ କରି ନଥିବା ଅଭିଯୋଗ ହୋଇଛି। ଏପରିକି ସ୍ପେଶାଲ୍ ଏଜୁକେଟର ଟ୍ରେନିଂ ପାଇ ବି ରାଜ୍ୟର ୬ ହଜାରରୁ ଅଧିକ ଚାକିରି ଆଶାୟୀ ଘରେ ବସି ରହିଛନ୍ତି। ହେଲେ ନା ଏମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ମିଳୁଛି, ନା ଦିବ୍ୟାଙ୍ଗ ଛାତ୍ରଙ୍କ ଭାଗ୍ୟ ଉଦୟ ହେଉଛି। ତେବେ ବିଭାଗୀୟ ମନ୍ତ୍ରୀଙ୍କ କହିବା କଥା ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।