ପ୍ରକାଶ ପାଇଲା କେନ୍ଦ୍ର ମାଧ୍ୟମିକ ଶିକ୍ଷା ତଥା CBSE ଦଶମ ବୋର୍ଡ ରେଜଲ୍ଟ। ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବାର କିଛି ସମୟ ବ୍ୟବଧାନରେ ଦଶମ ପରୀକ୍ଷା ଫଳ ପ୍ରକାଶ କରିଛି CBSE । ଚଳିତ ବର୍ଷ ଦଶମ ପାସ୍ ହାର ୯୩.୬୦% ରହିଛି। ଯାହାକି ଗତ ବର୍ଷ ତୁଳନାରେ ୦.୪୮% ଅଧିକ।
ଦ୍ୱାଦଶ ଭଳି CBSE ଦଶମ ଫଳାଫଳରେ ମଧ୍ୟ ବାଜି ମାରିଛନ୍ତି ଝିଅ। ଚଳିତବର୍ଷ ଝିଅଙ୍କ ପାସ୍ ହାର ୯୪.୭୫ % ଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୯୨.୭୧%। ଟ୍ରାନ୍ସଜେଣ୍ଡରଙ୍କ ରେଜଲ୍ଟ ୯୧.୩୦% ରହିଛି।
Also Read
CBSE ଦଶମ ଫଳାଫଳରେ ଏକ ନମ୍ୱର ତାଲିକାରେ ରହିଛି କେରଳ। କେରଳର ତ୍ରିଭେନ୍ଦ୍ରମରେ ୯୯.୭୫% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି ପାସ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ବିଜୟୱାଡା । ଏଠାରେ ପାସ୍ ହାର ୯୯.୬୦%ଅଛି। ୯୯.୩୦ % ସହ ଚେନ୍ନାଇ ତୃତୀୟ ସ୍ଥାନରେ ଥିବାବେଳେ ଚତୁର୍ଥରେ ରହିଛି ବେଙ୍ଗାଲୁରୁ। ଏଠାରେ ପାସ୍ ହାର ୯୯.୨୬ %ରହିଛି।
ଛାତ୍ରଛାତ୍ରୀମାନେ CBSE https://cbseresults.nic.in କୁ ଯାଇ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। CBSE ଦଶମ ଫଳାଫଳ ଯାଞ୍ଚ କରିବାକୁ ରୋଲ୍ ନମ୍ବର ବ୍ୟବହାର କରିବାକୁ ପଡିବ। ତେବେ ଗତବର୍ଷ ୯୩.୧୨% ପିଲା ଦଶମ ଶ୍ରେଣୀରେ ପାସ୍ କରିଥିଲେ।
ଆଜି CBSE ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶିତ କରିଛି। ଚଳିତବର୍ଷ ଦ୍ୱାଦଶରେ ମୋଟ ପାସ୍ ହାର ୮୭.୯୮% ରହିଛି । ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀ ବାଜି ମାରିଛନ୍ତି। ଛାତ୍ରୀଙ୍କ ପାସ୍ହାର ୯୧.୫୨% ଥିବା ବେଳେ ଛାତ୍ରଙ୍କ ପାସ୍ହାର ୮୫.୧୨% ରହିଛି । ଦ୍ୱାଦଶରେ ୨୪ ହଜାର ପରୀକ୍ଷାର୍ଥୀ ୯୫% ରୁ ଅଧିକ ନମ୍ବର ରଖିଛନ୍ତି । ସେହିପରି ୧ ଲକ୍ଷ ୧୬ ହଜାର ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।
ଛାତ୍ରଛାତ୍ରୀମାନେ CBSE ୱେବସାଇଟ୍ରେ ରେଜଲ୍ଟ ଦେଖିପାରିବେ । results.cbse.nic.in, cbse.gov.in କିମ୍ବା cbseresults.nic.in ୱେବ୍ସାଇଟ୍ରୁ ରେଜଲ୍ଟ ଦେଖିପାରିବେ । ଏଥିସହ UMANG ଆପ୍, digilocker.gov.in, ପାରିକ୍ସା ସଙ୍ଗମ୍ ପୋର୍ଟାଲ୍ ଏବଂ SMS ସୁବିଧା ମାଧ୍ୟମରେ ମଧ୍ୟ ରେଜଲ୍ଟ ଉପଲ୍ଲବ୍ଧ ହୋଇଛି ।
CBSE ଦ୍ୱାଦଶ ପରୀକ୍ଷା ପାଇଁ ଚଳିତବର୍ଷ ୧୬ ଲକ୍ଷ ୩୩ ହଜାର ୭୩୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ପ୍ରାୟ ୧୬ ଲକ୍ଷ ୨୨ ହଜାର ୨୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪ ଲକ୍ଷ ୨୬ ହଜାର ୪୨୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି ।
CBSE ଦ୍ୱାଦଶ ଫଳାଫଳରେ କେରଳ ଆଗରେ ରହିଛି। ତ୍ରିଭେନ୍ଦ୍ରମରେ ୯୯.୯୧ % ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପାସ୍ ତାଲିକାରେ ବିଜୟୱାଡା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ପାସ୍ ହାର ୯୯.୦୪% ଅଛି। ସେହିପରି ଚେନ୍ନାଇ ତୃତୀୟ ସ୍ଥାନରେ ଥିବାବେଳେ ଏହାର ପାସ୍ ହାର ୯୮.୪୭% ରିହିଛି। ତା'ପଛକୁ ରହିଛି ବେଙ୍ଗାଲୁରୁ। ଏଠାରେ ପାସ୍ ହାର ୯୬.୯୫% ଏବଂ ପଶ୍ଚିମ ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୫.୬୪% ରହିଛି।