• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଣ୍ତାଘାଟିର ଝିଅ ବାଣିଜ୍ୟ ବିଭାଗରେ ଜିଲ୍ଲା ଟପର । ମାଲକାନଗିରି ଭଳି ଏକ ଅନୁନ୍ନତ ଜିଲ୍ଲାର ପଛୁଆ ଅଞ୍ଚଳ ବଣ୍ଡାଘାଟିର ଝିଅ କରମା ମୁଦୁଲି ଯୁକ୍ତ ୨ ବାଣିଜ୍ୟ ବିଭାଗରେ ଜିଲ୍ଲା ଟପ୍ପର ହୋଇ ଚର୍ଚ୍ଚା ସାଉଣ୍ଟିଛନ୍ତି । ସେ ଏହାଦ୍ୱାରା ଗୋବିନ୍ଦପାଲ୍ଲୀ କଲେଜର ନାଁ ବଢାଇବା ସହିତ ଅନୁନ୍ନତ ବଣ୍ଡାଘାଟିରେ ବନିଛନ୍ତି ଆଶାର ଆଲୋକ ।

ମାଲକାନଗିରି ଜିଲ୍ଲା ବଣ୍ଡାଘାଟିସ୍ଥିତ ମୁଦୁଲିପଡ଼ା ପଞ୍ଚାୟତର କରମା ମୁଦୁଲି । କିଛିଦିନ ତଳେ ପ୍ରକାଶିତ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗରେ କରମା ୮୨ ଦଶମିକ ୬୬ ପ୍ରତିଶତ ମାର୍କ ରଖି ମାଲକାନଗିରି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପିଲାଟି ଦିନୁ ତାଙ୍କର ପାଠପଢ଼ା ପ୍ରତି ଆଗ୍ରହ ଥିଲେ ସୁଦ୍ଧା ପରିବାର ଲୋକେ କେବେ ଉତ୍ସାହିତ କରିନାହାନ୍ତି । ଓଲଟା ଝିଅ ବୋଲି ପାଠ ପଢିବାକୁ ବାରଣ କରିଥିବା ବେଳେ ଇଚ୍ଛାଶକ୍ତି ତାଙ୍କୁ ଦେଖାଇଛି ସଫଳତାର ବାଟ ।

କରମାଙ୍କ ବାପା କୁଲି ମଜୁରୀ କରି ପାଠ ପଢେଇଛନ୍ତି । ତେବେ ନିଜ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଯୋଗୁଁ ଆଜି ଯେ ନିଜ ବଣ୍ଡା ଜନଜାତିର ଟେକ ରଖି ପାରିଛନ୍ତି । ତାହା କେହି ଜାଣିନଥିଲେ ହେଲେ ଏହା କରି ଦେଖାଇ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ବଣ୍ତାଘାଟିର ପଢୁଆ ଝିଅ ।

ସେପଟେ କରମାଙ୍କ ଏହି ରେଜଲ୍ଟ ଦେଖି ବେଶ୍ ଖୁସି କଲେଜ ଅଧ୍ୟାପକ ମାନେ । ଗୋବିନ୍ଦପାଲ୍ଲୀ ମହାବିଦ୍ୟାଳୟରେ ପାଠ ପଢି ହଷ୍ଟେଲରେ ରହି ଆଜି ପୂରା ମାଲକାନଗିରି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଆଗକୁ କେମିତି ଉଚ୍ଚଶିକ୍ଷା ଜାରି ରଖିବେ, ସେନେଇ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ଯେଉଁ ଅଞ୍ଚଳରେ ବିକାଶ ଅପହଞ୍ଚ, ସେଭଳି ଅଞ୍ଚଳରେ ସମସ୍ତ ପ୍ରତିକୂଳ ପରିବେଶ ଭିତରେ ପାଠ ପଢି ଯୁକ୍ତ ୨ରେ ଜିଲ୍ଲା ଟପ୍ପର ହେବା ନିଶ୍ଚିତ ଗର୍ବର ବିଷୟ । କିନ୍ତୁ ଆଗକୁ କରମାଙ୍କ ଭବିଷ୍ୟତ ପ୍ରତି ଜିଲ୍ଲା ପ୍ରଶାସନ କେତେ ତତ୍ପରତା ଦେଖାଉଛି, ତାକୁ ଅପେକ୍ଷା ।

ମାଲକାନଗିରିରୁ ଜିତେନ୍ଦ୍ର ବେଉରାଙ୍କ ରିପୋର୍ଟ