ସ୍କୁଲ ନାଁ 5T... ଛାତ୍ର ସଂଖ୍ୟା ୨୩୦... ଶିକ୍ଷକ ଜଣେ

ପୁଣି ପଦାରେ ପଡ଼ିଲା 5T ସ୍କୁଲର ବିକଳ ଚିତ୍ର । ପୂର୍ବ ସରକାରଙ୍କ 5T ସ୍କୁଲ ଓ ତା’ର କଳା ସତ ବର୍ତ୍ତମାନ ପଦାରେ ପଡ଼ିଛି । ବିକାଶ ନାଁରେ ଡିଣ୍ତିମ ପିଟୁଥିଲେ ନବୀନ ସରକାର । କୁନି କୁନି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସହ ଚାଲିଥିଲା ଖେଳ ।

5T School

ପୁଣି ପଦାରେ ପଡ଼ିଲା 5T ସ୍କୁଲର ବିକଳ ଚିତ୍ର । ପୂର୍ବ ସରକାରଙ୍କ 5T ସ୍କୁଲ ଓ ତା’ର କଳା ସତ ବର୍ତ୍ତମାନ ପଦାରେ ପଡ଼ିଛି । ବିକାଶ ନାଁରେ ଡିଣ୍ତିମ ପିଟୁଥିଲେ ନବୀନ ସରକାର । କୁନି କୁନି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସହ ଚାଲିଥିଲା ଖେଳ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ । ଭୁଷୁଡ଼ି ଯାଇଛି ଶିକ୍ଷା ବ୍ୟବସ୍ଥା ।

ବିକାଶର ସ୍ୱପ୍ନ ଦେଖାଇ ଚରଦିଆ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ 5T ରେ ରୂପାନ୍ତରଣ କରିଥିଲେ । 5T ନାଁରେ ବିଦ୍ୟାଳୟଗୁଡ଼ିକରେ ରଙ୍ଗ ମାରୁଥିଲେ । ଦଳୀୟ ପ୍ରଚାର ଛଡ଼ା ବୋଧେ ଆଉ କେଉଁ କାମରେ ଲାଗୁନଥିଲା ଏହି ସ୍କୁଲଗୁଡ଼ିକ । ଶିକ୍ଷା ନାଁରେ ଚାଲିଥିଲା ଦଳୀୟ ପ୍ରଚାର, ସ୍ୱେଚ୍ଛାଚାର । ତା ନହୋଇଥିଲେ ଜଣେ ମାତ୍ର ଶିକ୍ଷକରେ କଣ ସ୍କୁଲ ଚାଲୁଥାଆନ୍ତା ।

୬୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିନସ୍ଥ ଚରଦିଆ ଗ୍ରାମ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟ । ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୩୦ ରହିଛି । କିନ୍ତୁ ଏତେ ଛାତ୍ରଙ୍କ ପାଇଁ ସ୍କୁଲରେ ଜଣେ ମାତ୍ର ଶିକ୍ଷକ ନିଯୁକ୍ତି ପାଇଛନ୍ତି । ୨ଟି ଶ୍ରେଣୀ ପାଇଁ କେମିତି ଜଣେ ଶିକ୍ଷକ ନିଯୁକ୍ତି କରାଯାଇଛି ଏହା ବର୍ତ୍ତମାନ ଚକିତ କରିଛି ।

୯ମ ଓ ୧୦ମ ଶ୍ରେଣୀରେ ପଢ଼ୁଛନ୍ତି ୨୩୦ ଜଣ ଛାତ୍ରଛାତ୍ରୀ । କିନ୍ତୁ ଶିକ୍ଷକ ମାତ୍ର ଜଣେ । ବିଦ୍ୟାଳୟରେ ପାଠପଢ଼ା ସହିତ କାଗଜ ପତ୍ର କାମ ମଧ୍ୟ ସେ ହିଁ କରୁଛନ୍ତି । ସରକାରୀ ସ୍କୁଲର ଏପରି ଅବ୍ୟବସ୍ଥା ପାଇଁ ହିଁ ଘରୋଇ ସ୍କୁଲରେ ପିଲାଙ୍କୁ ପଢ଼ାଇବାକୁ ଉଚିତ୍ ମଣୁଛନ୍ତି ଅଭିଭାବକ ।

ଶିକ୍ଷକ ଅଭାବରୁ ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯିବ ବୋଲି ଅଭିଯୋଗ ହେଉଛି । ବିଦ୍ୟାଳୟରେ 5T ମାଧ୍ୟମରେ ପରିସରକୁ ଚକାଚକ୍ କରିଦିଆଯାଇଛି । ହେଲେ ଶହ ଶହ ପିଲାଙ୍କୁ ନେଇ ଗୋଟେ ଶିକ୍ଷକ ନିଯୁକ୍ତି ହୋଇଥିବା ବି ଦେଖିବାକୁ ମିଳିଛି । ଆଗକୁ ଏପରି ଜାରି ରହିଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିହାତି ଅନ୍ଧାର ଭିତରକୁ ଚାଲିଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

ତେବେ ବିଦ୍ୟାଳୟର ଏମିତି ଗୁଣାତ୍ମକ ମାନ ହ୍ରାସ ପାଇଁ ଅନେକ ସମୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିବାର ଦେଖାଦେଇଛି । କୌଣସି ସୁଫଳ ହୋଇନି । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ତିଆରି କରୁଛନ୍ତି । ତେବେ ପାଠପଢ଼ା ପାଇଁ କାହିଁକି ଶିକ୍ଷକ ନିଯୁକ୍ତି କରିନାହାନ୍ତି ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି ।

କେବଳ ପାଠ ପଢା ନୁହେଁ ବିଦ୍ୟାଳୟରେ ପାନୀୟ ଜଳ ସୁବିଧା ମଧ୍ୟ ନାହିଁ । 5T ପରେ ମଧ୍ୟ ଛାତ୍ରଛାତ୍ରୀମାନେ ପୂର୍ବରୁ ଥିବା ପୁରୁଣା ବେଞ୍ଚରେ ବସି ପାଠ ପଢ଼ୁଛନ୍ତି । ବିଦ୍ୟାଳୟରେ ଟଏଲେଟ୍ ନାହିଁ । ସେପଟେ ଖେଳ ପାଇଁ ଖେଳ ଶିକ୍ଷକଙ୍କର ମଧ୍ୟ ନିଯୁକ୍ତି ହୋଇନାହିଁ । ନାହିଁ ନାହିଁରେ ଚାଲିଛି ଚରଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ । ଦେଖାଯାଉ କେବେ ସରକାରଙ୍କ ଦୃଷ୍ଟି ପଢ଼ୁଛି ଓ ବିଦ୍ୟାଳୟର ଭାଗ୍ୟ ଫିଟୁଛି ।