ନୀରିହ ପକ୍ଷୀକୁ ନିର୍ଦ୍ଦୟ ଭାବରେ ହତ୍ୟା, ଯୁବକଙ୍କୁ ବାନ୍ଧିଲା ପୋଲିସ୍‌

ସୋସିଆଲ ମିଡିଆରେ ଭିଜୁଆଲ ଭାଇରାଲ ହେବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

Youth arrested for killing kingfisher

ପଶୁ ପାଲଟିଗଲା ମଣିଷ । ନୀରିହ ପକ୍ଷୀକୁ ନିର୍ଯାତନା ଦେଇ ହତ୍ୟା । ଚିଙ୍ଗୁଡି ଖାଇଦେଲା ବୋଲି ମାଛରଙ୍କାକୁ ମାରି ଦେଲେ ନୃଶଂସ ଯୁବକ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ଯୁବକ ହେଲେ କେନ୍ଦ୍ରପଡ଼ା ରାଜକନିକା ତାଳଚୁଆ ପଟାପରିଆର ଗୁରୁ ଦଳାଇ ।

ଗୁରୁ ଦଳାଇ ଏକ ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ବେଳେ ମାଛରଙ୍କାଟି ସେଠାରୁ ଚିଙ୍ଗୁଡି ଖାଇ ଦେଇଥିଲା । ଆଉ ଏଥିରେ ଉତକ୍ଷୀପ୍ତ ହୋଇ ସେ ମାଛରଙ୍କାକୁ ଧରି ଅତି ନିଷ୍ଠୁର ଭାବେ ହତ୍ୟା କରିଥିଲେ । ନୀରିହ ପକ୍ଷୀଟି ଜଣେ ନୃଶଂସ ମଣିଷ ହାତରେ ଛଟପଟ୍ ହୋଇ ଜୀବନ ହାରିଦେଲା । ପରେ ଏହାର ଭିଡିଓ ରେକର୍ଡିଂ କରି ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ।

ଆଉ ସେହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଖବର ପାଇ କନିକା ରେଞ୍ଜ ଅଫିସର ଚଢ଼ାଉ କରି ଗୁରୁ ଦଳାଇକୁ ଗିରଫ କରିଛନ୍ତି । ଆଇନ ଅନୁସାରେ ଦଣ୍ଡ ବିଧାନ ହେବ ଓ ଲୋକେ ବନ୍ୟ ଜନ୍ତୁଙ୍କୁ ଏମିତି ଆଘାତ ନଦେବାକୁ ମଧ୍ୟ ଅନୁରୋଧ କରାଯାଇଛି ।